www.samajalive.in
Saturday, December 6, 2025
26.1 C
Bhubaneswar

ସିବିଆଇରୁ ବିଦାହେଲେ ଆସ୍ଥାନା

ନୂଆଦିଲ୍ଲୀ : ବାଧ୍ୟତାମୂଳକ ଛୁଟିରେ ଯାଇଥିବା ସିବିଆଇ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ ଅବଧି ଶେ​‌ଷ ପୂର୍ବରୁ ସଂସ୍ଥାରୁ ବିଦା କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଅତିି ଆଶ୍ଚର୍ଯ୍ୟଜନକ ଭାବେ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସ୍ଥାନାଙ୍କ ସହିତ ଯୁଗ୍ମ ନିର୍ଦେଶକ ଅରୁଣ କୁମାର ଶର୍ମା, ଡିଆଇଜି ମନୀଷ କୁମାର ସିହ୍ନା ଓ ଏସପି ଜୟନ୍ତ ଜେ ନାଏକନାଭାରେଙ୍କୁ ମଧ୍ୟ ସିବିଆଇରୁ ହଟାଇ ଦିଆଯାଇଛି। ଏହିସବୁ ଆଇପିଏସ୍ ଅଫିସରମାନେ ସିବିଆଇରେ ଯେତିକି ସମୟ ପାଇଁ କାର୍ଯ୍ୟ କରିବାକୁ ମନୋନୀତ ହୋଇଥିଲେ ତାହାକୁ ସରକାର ହ୍ରାସ ପୂର୍ବକ ତୁରନ୍ତ ବିଦା କରିଛନ୍ତି। ଏବେ ଏମାନଙ୍କୁ ଅନ୍ୟତ୍ର ନିଯୁକ୍ତି ଦିଆଯିବ କିମ୍ବା ସେମାନେ ନିଜର ମୂଳ ପଦକୁ ଫେରିଯିବେ ବୋଲି ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୁରୁବାର ପୂର୍ବାହ୍ଣରେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ(ସିଭିସି)ଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏହି ବୈଠକରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଅନୁସାରେ ଆସ୍ଥାନାଙ୍କୁ ତାଙ୍କ ପୁରୁଣା ପଦ ବ୍ୟୁରୋ ଅଫ ସିଭିଲ ଆଭିଏସନ୍‌କୁ ପଠାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ଶର୍ମାଙ୍କୁ ସିଆରପିଏଫ ଅତିରିକ୍ତ ଡିଜି, ସିହ୍ନାଙ୍କୁ ବ୍ୟୁରୋ ଅଫ ପୁଲିସ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟକୁ ପଠାଇବାକୁ ବ୍ୟବସ୍ଥା ହୋଇଛି।
ଗୁଜରାଟ ପାହ୍ୟାର ୧୯୮୪ ବ୍ୟାଚ ଆଇପିଏସ ଅଫିସର ଆସ୍ଥାନା ୨୦୧୭ ଫେବୃଆରୀରେ ସିବିଆଇର ସ୍ବତନ୍ତ୍ର ନିର୍ଦେଶକ ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ଏଠାରେ ଅତିରିକ୍ତ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଅରୁଣ ଶର୍ମା ମଧ୍ୟ ଗୁଜରାଟ ପାହ୍ୟାର ଅଫିସର ହୋଇଥିବାବେଳେ ମନୀଷ ସିହ୍ନା ଆନ୍ଧ୍ରପ୍ରଦେଶ ଓ ଜୟନ୍ତ ନାଏକନାଭାରେ ମହାରାଷ୍ଟ୍ର ପାହ୍ୟାର ଅଫିସର। ଲାଞ୍ଚ ମାମଲା ଓ ଦୁର୍ନୀତିକୁ ନେଇ ନିର୍ଦେଶକ
ଆଲୋକ ବର୍ମାଙ୍କ ସହ ଆସ୍ଥାନାଙ୍କର ବିବାଦ ଚରମ ସୀମାରେ ପହଞ୍ଚିବା ପରେ ସରକାର ଉଭୟଙ୍କୁ ଗତ ବର୍ଷ ଅକ୍ଟୋବର ୨୩ରେ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ ଆଲୋକ ବର୍ମାଙ୍କୁ ପଦଚ୍ୟୁତ କରାଯାଇଥିଲା। ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଆସ୍ଥାନାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି। ଆସ୍ଥାନାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତ ୧୦ ସପ୍ତାହ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ମାମଲା ପ୍ରତ୍ୟାହାର ପାଇଁ ଆସ୍ଥାନା କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିବାରୁ ସେ ଗିରଫ ହେବାର ଆଶଙ୍କା ରହିଛି। ତେବେ ଆସନ୍ତା ୨୪ରେ ନୂଆ ସିବିଆଇ ନିର୍ଦେଶକ ମନୋନୟନ କମିଟି ବୈଠକ ଆହୂତ ହୋଇଥିବାବେଳେ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories