ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଅଧିକରୁ ଅଧିକ ଜଳ ସଂଗ୍ରହ କରି ବଳ ଗୋଟାଉଛି। ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।
୨୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ଅଂଶବିଶେଷ ଦକ୍ଷିଣ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହା ବାତ୍ୟା ରୂପ ନେଇପାରେ ବୋଲି ଆମେରିକୀୟ ପାଣିପାଗ ମଡେଲ ପୂର୍ବାନୁମାନ କରିଥିବାବେଳେ ଭାରତୀୟ ପାଣିପାଗ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନି। ଏପରିକି ଏହାର ଓଡ଼ିଶା ଉପରେ କ’ଣ ପ୍ରଭାବ ରହିବ ସେଥିନେଇ ମଧ୍ୟ ଆଇଏମ୍ଡି କୌଣସି ଆକଳନ କରିନି। ତେବେ ସମ୍ଭାବ୍ୟ ଲଘୁଚାପ ପ୍ରଭାବ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ହେଲେ ଓଡ଼ିଶା ଉପରେ କ’ଣ ପ୍ରଭାବ ରହିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଆଜି ରବିବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। କୋରାପୁଟରେ ୪୨ ମି.ମି. ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୨୨, ପାରଳାଖେମୁଣ୍ଡିରେ ୧୭, ବାଲେଶ୍ବରରେ ୪.୪, କଟକରେ ୩.୨ମି.ମି. ବର୍ଷା ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲାରେ ବଜ୍ରପାତ ସହ ଝଡ଼ପବନ ହୋଇପାରେ। ସେହିପରି ୨୧ରେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ବଜ୍ରପାତ ସହ ଝଡ଼ପବନ ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।



