ନୂଆଦିଲ୍ଲୀ : ନିର୍ବାଚନରେ ବାରମ୍ବାର ପରାଜୟକୁ ନେଇ କଂଗ୍ରେସ ଦଳ ଓ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରି ଆରୋପ କରିଆସୁଛନ୍ତି। କଂଗ୍ରେସ ଓ ରାହୁଲଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି ଯେ ନିର୍ବାଚନ ଆୟୋଗଙ୍କ ସହଯୋଗରେ ବିଜେପି ଭୋଟ ଚୋରି କରି ନିର୍ବାଚନରେ ବିଜୟୀ ହେଉଛି। ଏପରି ଅଭିଯୋଗକୁ ନେଇ ଦେଶର ୨୭୨ଜଣ ପ୍ରମୁଖ ବ୍ୟକ୍ତି ବିଶେଷ କଂଗ୍ରେସ ଓ ଏହାର ନେତା ରାହୁଲ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପତ୍ର ଲେଖିଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି ୧୬ଜଣ ଅବସରପ୍ରାପ୍ତ ବିଚାରପତି, ୧୨୩ଜଣ ଅବସରପ୍ରାପ୍ତ ଅମଲା ଅଧିକାରୀ, ୧୪ଜଣ ପୂର୍ବତନ ରାଷ୍ଟ୍ରଦୂତ ଓ ୧୩୩ଜଣ ଅବସରପ୍ରାପ୍ତ ସେନା ଅଧିକାରୀ। ସେମାନେ ଲେଖିଥିବା ପତ୍ରରେ ଭୋଟ ଚୋରି ଅଭିଯୋଗ ପାଇଁ ରାହୁଲ ଓ କଂଗ୍ରେସକୁ ଭର୍ତ୍ସନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବିରୋଧୀ ନେତା ରାହୁଲ ଓ ତାଙ୍କ ଦଳ କଂଗ୍ରେସ ନିର୍ବାଚନ ଆୟୋଗ ଓ ଅନ୍ୟାନ୍ୟ ସାମ୍ବିଧାନିକ ପ୍ରତିଷ୍ଠାନ ଉପରୁ ଲୋକଙ୍କ ବିଶ୍ବାସ ତୁଟାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେମାନେ ଉତ୍ତେଜନାପୂର୍ଣ୍ଣ ଓ ମିଥ୍ୟା ଅଭିଯୋଗ ଆରୋପ କରୁଛନ୍ତି। ରାହୁଲ ପ୍ରଥମେ ସେନାର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ଚେଷ୍ଟା କରିବା ସହିତ ବୀର ସୈନିକଙ୍କ ସାହସିକତା ଉପରେ ପ୍ରଶ୍ନ ଉଠାଇଥିଲେ। ପରେ ସେ ଦେଶର ନ୍ୟାୟପାଳିକା ଓ ସଂସଦ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଏସବୁ ଅଭିଯୋଗ କୌଣସି ଫଳପ୍ରଦ ନ ହେବାରୁ ସେ ଏବେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଭୋଟ ଚୋରିର ଅଭିଯୋଗ ଆଣିଛନ୍ତି। ଏହି ବ୍ୟକ୍ତି ବିଶେଷ କହିଛନ୍ତି ଯେ ରାହୁଲ ଦେଶର ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଅଭିଯୋଗ କରୁଛନ୍ତି ତା’ର ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ରାହୁଲ ବାରମ୍ବାର କହୁଛନ୍ତି ଯେ ଭୋଟ ଚୋରି ଅଭିଯୋଗର ପ୍ରମାଣ ତାଙ୍କ ପାଖରେ ରହିଛି; ମାତ୍ର ଏହାକୁ ସେ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଉକ୍ତ ବ୍ୟକ୍ତିବିଶେଷ ଦାବି କରିଛନ୍ତି।



