ଇସଲାମାବାଦ : ଦିଲ୍ଲୀ ଲାଲକିଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ଘଟାଯାଇଥିବା ନେଇ ସ୍ବୀକାର କରିଛନ୍ତି ଇସଲାମାବାଦର ବରିଷ୍ଠ ରାଜନେତା ଚୌଧୁରୀ ଅନୱରଉଲ୍ ହକ୍। ଭାରତରେ ହେଉଥିବା ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସମ୍ପୃକ୍ତି ନେଇ ସର୍ବଦା ଅଭିଯୋଗ ହେଉଥିବାବେଳେ ହକ୍ ଏପରି ସ୍ବୀକାର କରିଛନ୍ତି। ହକ୍ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ କାଶ୍ମୀରର ଜଙ୍ଗଲରୁ ଆରମ୍ଭ କରି ଦିଲ୍ଲୀର ଲାଲକିଲା ପର୍ଯ୍ୟନ୍ତ ଆମେ ଭାରତକୁ ଟାର୍ଗେଟ କରିପାରିଛୁ। ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏହି ସଫଳତା ପାଇଛୁ। ଆମେ ଯେଉଁ ଆକ୍ରମଣ ଘଟାଇଛୁ ତା’ର ମୃତ୍ୟୁ ଆକଳନ କରାଯାଉଛି। ଅନୱରଉଲ୍ ହେଉଛନ୍ତି ଆଜାଦ୍ ଜାମ୍ମୁ-କାଶ୍ମୀର (ଏଜେକେ)ର ପୂର୍ବତନ ପ୍ରଧାନମନ୍ତ୍ରୀ। ସେ ୨୦୨୩ ଏପ୍ରିଲରୁ ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ଏଜେକେର ୧୫ତମ ପ୍ରଧାନମନ୍ତ୍ରୀ ଥିଲେ। ଏହା ସହିତ ସେ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (ପିଟିଆଇ)ର ପ୍ରତିଷ୍ଠାତା ସଦସ୍ୟ। ଏବେ ସେ ପିଟିଆଇରୁ ବହିଷ୍କୃତ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ଏପ୍ରିଲରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ପାକିସ୍ତାନ ଆତଙ୍କବାଦୀମାନେ ୨୬ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ।



