ଡେସ୍କ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ଗତ ମାର୍ଚ୍ଚ ମାସରେ ମୟୂରଭଞ୍ଜ ଗସ୍ତରେ ଯାଇଥିବା ବେଳେ ପଣ୍ଡିତ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ଯାଇ ତାଙ୍କ ସମାଧୀସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ସ୍ମୃତିପୀଠର ବିକାଶ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି।
ସୂଚନା ଅନୁସାରେ ସାନ୍ତାଳି ସମାଜ ଓ ସାନ୍ତାଳି ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବବିଦିତ। ପଣ୍ଡିତ ମୁର୍ମୁ ଅଲ୍ ଚିକି ଲିପିର ଉଦ୍ଭାବନ କରିଥିଲେ।
ସୂଚନା ଅନୁଯାୟୀ, ଏହି ଅର୍ଥରେ ସମାଧୀ ପୀଠର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଆଉ ୭୫ଲକ୍ଷ ଟଙ୍କା, କାପିବୁରୁର ପାଚେରୀ ଓ ସଂଯୋଗ ରାସ୍ତାର ବିକାଶ ପାଇଁ ୩ କୋଟି ଟଙ୍କା, ଏକ ଅଡିଟୋରିମ ଓ ଗବେଷଣା କେନ୍ଦ୍ର ପାଇଁ ୨ କୋଟି ଟଙ୍କା, ଡର୍ମିଟୋରୀ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧କୋଟି ଟଙ୍କା, କାପିବୁରୁର ସୌନ୍ଦର୍ଯ୍ୟକରଣ ଓ ସ୍ବାଗତତୋରଣ ପାଇଁ ୭୦ଲକ୍ଷ ଟଙ୍କା, ଦାଣ୍ଡବୋସ, ବିଦୁ ଚାନ୍ଦାନ ବାହାଗାଳର ବିକାଶ ତଥା ମାରାଙ୍ଗ-ଆହାରା ପୁଷ୍କରିଣୀ ପାଇଁ ୧ କୋଟି ଟଙ୍କା ଏବଂ ପାନୀୟ ଜଳ, ବିଦ୍ୟୁତକରଣ ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।



