ବୈଦ୍ୟୁତିକ ଦୁଇଚକିଆ ଯାନ ମାଲିକଙ୍କ ପାଇଁ ଖୁସିଖବର, କମ୍ପାନୀ ଫେରସ୍ତ କରିବେ ୨୮୭ କୋଟି !

ନୂଆଦିଲ୍ଲୀ: ଦେଶରେ ନିକଟ ଅତୀତରେ ବୈଦ୍ୟୁତିକ ଯାନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଦୁଇ ଚକିଆ ଯାନ ତଥା ବୈଦ୍ୟୁତିକ ସ୍କୁଟର ଓ ବାଇକ୍‌‌ ଲୋକେ ବହୁ ମାତ୍ରରେ କିଣିଛନ୍ତି। ଏବେ ଏହି ବୈଦ୍ୟୁତିକ ଦୁଇ ଚକିଆ ଯାନ ମାଲିକମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନିର୍ମାତା ଓଲା ଇଲେକ୍ଟ୍ରିକ୍, ହିରୋ ମୋଟୋକର୍ପ, ଆଥର ଏନର୍ଜି ଏବଂ ଟିଭିଏସ୍ ମୋଟର କମ୍ପାନୀ ଇଭି ଅଫ୍ ବୋର୍ଡ ଚାର୍ଜର ପାଇଁ ପୃଥକ ଭାବରେ ବିଲ୍ ହୋଇଥିବା ଅର୍ଥ ଫେରସ୍ତ କରିବାକୁ ଯୋଜନା କରୁଛନ୍ତି। ସୂଚନା ମୁତାବକ, ଫେରସ୍ତ ହେବାକୁ ଥିବା ଏହି ଅର୍ଥର ପରିମାଣ ପ୍ରାୟ ୨୮୭ କୋଟି। ଏଥିପାଇଁ କିଛି କମ୍ପାନୀ ନିଜ ସହମତି ମଧ୍ୟ ପ୍ରକାଶ କରିଛନ୍ତି।

ଓଲା ଇଲେକ୍ଟ୍ରିକ୍‌‌ ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ଘୋଷଣା କରିଛି ଯେ, ସେ ବୈଦ୍ୟୁତିକ ଦୁଇ ଚକିଆ ଯାନ ଚାର୍ଜର ପାଇଁ ପୃଥକ ଭାବେ ବିଲ୍‌‌ କରାଯାଇଥିବା ଅର୍ଥ ଗ୍ରାହକଙ୍କୁ ଫେରସ୍ତ କରିବ। ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଫେରସ୍ତ କେବଳ ଯୋଗ୍ୟ ଗ୍ରାହକଙ୍କୁ ହିଁ ପ୍ରଦାନ କରାଯିବ। ତେବେ କମ୍ପାନୀ ପକ୍ଷରୁ ଫେରସ୍ତ କରିବାକୁ ଥିବା ଅର୍ଥର ପରିମାଣ ବିଷୟରେ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଓଲା ଗ୍ରାହକଙ୍କୁ ପ୍ରାୟ ୧୩୦ କୋଟି ଟଙ୍କା ଫେରାଇବ।

ମିଳିଥିବା ସୂଚନା ଅନୁସାରେ, ଓଲା ଇଲେକ୍ଟ୍ରିକ୍‌‌ ବ୍ୟତୀତ ଆଥର୍‌‌ ଏନର୍ଜି ପ୍ରାୟ ୧୪୦ କୋଟି, ଟିଭିଏସ୍‌‌ ମୋଟର୍ସ ନିଜ iQube ବୈଦ୍ୟୁତିକ ସ୍କୁଟର ଗ୍ରାହକଙ୍କୁ ପ୍ରାୟ ୧୫.୬୧ କୋଟି, ହିରୋ ମୋଟୋକର୍ପ ନିଜ Vida V1 Plus ଇଲେକ୍ଟ୍ରିକ ସ୍କୁଟର ଗ୍ରାହକଙ୍କୁ ୨.୨୩ କୋଟି ଟଙ୍କା ଫେରସ୍ତ କରିବ। ଆଥର୍‌‌ ଏନର୍ଜି ଗତ ୧୨ ଏପ୍ରିଲ ପର୍ଯ୍ୟନ୍ତ ବିକ୍ରି କରାଯାଇଥିବା ଯାନର ଟଙ୍କା ଫେରସ୍ତ କରିବ। ଅପରପକ୍ଷେ, ଟିଭିଏସ୍‌‌ ମୋଟର୍ସ ଓ ହିରୋ ମୋଟୋକର୍ପ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ବିକ୍ରି କରାଯାଇଥିବା ଯାନର ଚାର୍ଜର ପାଇଁ ପୃଥକ ଭାବେ ବିଲ୍‌‌ କରାଯାଇଥିବା ଅର୍ଥ ଫେରସ୍ତ କରିବ।

ବୈଦ୍ୟୁତିକ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀମାନେ ନିଜ ଯାନ ଉପରେ ଗ୍ରାହକଙ୍କୁ ସବ୍‌‌ସିଡି ଦେବା ପାଇଁ ଇଭି ଚାର୍ଜରର ମୂଲ୍ୟ ପୃଥକ୍‌‌ ଭାବେ ନେଉଥିଲେ। ଏହି ମାମଲା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଓକିନାଭା ଅଟୋଟେକ୍‌‌ ଓ ହିରୋ ଇଲେକ୍ଟ୍ରିକ୍‌‌ ଦ୍ୱାରା FAME II ଯୋଜନାର ନିୟମ ଉଲ୍ଲଂଘନ କରିବା କଥା ସାମ୍ନାକୁ ଆସିଲା। ଅନିୟମିତତା ବିଷୟରେ ଜଣାପଡ଼ିବା ପରେ କେନ୍ଦ୍ର ଇଭି ନିର୍ମାତାମାନଙ୍କୁ FAME ଲାଭ ଦେବା ବନ୍ଦ କରିଦେଇଥିଲା। କେବଳ ଏତିକି ନୁହେଁ ଦୁଇ ବୈଦ୍ୟୁତିକ ଦୁଇଚକିଆ ଯାନ ନିର୍ମାତାଙ୍କୁ ପ୍ରୋତ୍ସାହନ ଲାଭ ପ୍ରାପ୍ତ କରିବାରୁ ବଞ୍ଚିତ ହେବାକୁ ପଡ଼ିଥିଲା। କାରଣ ସେମାନେ ସ୍ଥାନୀୟକରଣ(ଯାନରେ ସ୍ଥାନୀୟ ଉପାଦାନର ବ୍ୟବହାର) ମାନଦଣ୍ଡ ପୂରଣ କରୁନଥିଲେ, ଯାହା FAME ସବସିଡି ପାଇବାକୁ ଯୋଗ୍ୟ ହେବା ନିୟମର ଏକ ଅଂଶ।

Comments are closed.