‘କ୍ୱାଡ’ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ: ଚୀନ

ବାଂଲାଦେଶକୁ ଦେଇଥିବା ଧମକ ଠିକ୍‍ ବୋଲି କହିଲା

ବେଜିଂ: ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଓ ଭାରତକୁ ନେଇ ଗଠିତ ଚତୁଃରାଷ୍ଟ୍ରୀୟ ‘କ୍ୱାଡ’ (କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ) ଗୋଷ୍ଠୀ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ ବୋଲି କହିଛି ଚୀନ। ଏଥିସହିତ ଆମେରିକା ନେତୃତ୍ୱରେ ଗଠିତ ଏହି ଗୋଷ୍ଠୀରେ ବାଂଲାଦେଶ ଯୋଗନଦେବାକୁ ଏହା ବାଂଲାଦେଶ ରାଷ୍ଟ୍ରଦୂତଙ୍କୁ ଦେଇଥିବା ଧମକକୁ ଠିକ୍‍ ବୋଲି ଦର୍ଶାଇଛି ବେଜିଂ। ଏହାଦ୍ୱାରା ଏହି ପ୍ରସଙ୍ଗ ଉପରେ ଚୀନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିବା କହିଛି।
ଢାକାରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ଲି ଜିମିଙ୍ଗ ବାଂଲାଦେଶକୁ ସୋମବାର ଧମକ ଦେଇ କହିଥିଲେ ଯେ ଆମେରିକା ନେତୃତ୍ୱରେ ଗଠିତ ଏହି ବେଜିଂ ବିରୋଧୀ ଗୋଷ୍ଠୀରେ ବାଂଲାଦେଶ ଯଦି ସାମିଲ ହୁଏ ତେବେ ତାହା ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ଗୁରୁତର କ୍ଷତି ପହଞ୍ଚାଇବ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡ. ଏ କେ ଅବଦୁଲ ମୋମେନ ଚୀନର ଏଭଳି ମନ୍ତବ୍ୟ ଉସୁକାଇବା ଭଳି, ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ବଳପ୍ରୟୋଗ କଲାଭଳି ହୋଇଥିବା ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି, ବାଂଲାଦେଶ ଏକ ସ୍ୱାଧୀନ ଏବଂ ସ୍ୱତନ୍ତ୍ର ରାଷ୍ଟ୍ର। ଏହା ନିଜର ବୈଦେଶିକ ନୀତି ନିଜେ ନିର୍ଦ୍ଧାରଣ କରୁଛି। ବାଂଲାଦେଶ ଏକ ଗୋଷ୍ଠୀ ନିରପେକ୍ଷ ଏବଂ ସମତୁଲ ବୈଦେଶିକ ନୀତି ଅନୁସରଣ କରୁଛି ଏବଂ ସେହି ନୀତି ଆଧାରରେ କଣ କରାଯିବ, ତାହା ରାଷ୍ଟ୍ର ନିର୍ଦ୍ଧାରଣ କରିବ।
ମୋମେନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି, ଚୀନ ଓ ବାଂଲାଦେଶ ଅତ୍ୟନ୍ତ ଉତ୍ତମ ପଡୋଶୀ। ପାରସ୍ପରିକ ବିଶ୍ୱାସ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଭିତ୍ତିରେ ଏହି ଦୁଇରାଷ୍ଟ୍ର ଦ୍ୱିପାକ୍ଷିକ ସମ୍ପର୍କର ବିକାଶ ଘଟାଉଛନ୍ତି ଏବଂ ଉଭୟ ଉଭୟଙ୍କୁ ଦୃଢ ଭାବରେ ସମର୍ଥନ କରୁଛନ୍ତି। ତେବେ ତାଙ୍କ ଦେଶ ‘କ୍ୱାଡ’କୁ ନେଇ ବାଂଲାଦେଶକୁ ଦେଇଥିବା ଚେତାବନୀ ସମ୍ପର୍କରେ ପ୍ରକାଶ କରି ହୁଆ କହିଛନ୍ତି ଯେ ଏହି ସଂଗଠନ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ ଏବଂ ଏହା ଚୀନ ଚାରିପଟେ ଥିବା ଦେଶଗୁଡିକୁ ଚୀନ ବିରୁଦ୍ଧରେ କାର୍ଯ୍ୟ କରିବାକୁ ଉସୁକାଉଛି। ତେଣୁ ବେଜିଂ ଏହି ପ୍ରସଙ୍ଗରେ ତାହାର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ତାଙ୍କର ବିଶ୍ୱାସ।

Comments are closed.