ସମାଜ ଡିଜିଟାଲ ଡେସ୍କ: ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରବିବାର ଚୀନରେ ପହଞ୍ଚିଛନ୍ତି। ଚୀନର ତିଆନଜିନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ଅବସରରେ ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ଵିପାକ୍ଷିକ ବୈଠକ କରିବାର ଯୋଜନା ରହିଛି। ଏଥିରେ ରୁଷଠାରୁ ତୈଳ ଆମବାଦୀ, ପ୍ରତିରକ୍ଷା ସମେତ ଟ୍ରମ୍ପଙ୍କ ଟାରିଫ ପ୍ରସଙ୍ଗରେ ଆଲୋଚନା ହୋଇପାରେ।
ରବିବାରଠାରୁ ଏସସିଓ ସମ୍ମିଳନୀ ଆରମ୍ଭ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବି ଦ୍ଵିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତାଙ୍କ ଆଲୋଚନାରେ ଟ୍ରମ୍ପଙ୍କ ଟାରିଫ ପ୍ରସଙ୍ଗ ମଧ୍ୟ ସାମିଲ ହୋଇପାରେ। ୭ ବର୍ଷ ପରେ ମୋଦୀ ଚୀନ ଗସ୍ତ କରିଥିବାରୁ ଏହାର ବେଶ୍ ଗୁରୁତ୍ଵ ରହିଛି। ଭାରତ ପ୍ରତି ଆମେରିକାର ବୈମାତୃକ ମନୋଭାବ ପରେ ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କରେ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି।
ଅନ୍ୟପଟେ ଭାରତ, ଚୀନ ଏବଂ ରୁଷ ଉପରେ ଆମେରିକା ବିଭିନ୍ନ କଟକଣା ଲାଗୁ କରିଛି। ତାହାକୁ ଦୃଷ୍ଟିରେ ରଖି ଏହି ୩ ଶକ୍ତିଶାଳୀ ରାଷ୍ଟ୍ର ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଥିବାରୁ ଏହା ଉପରେ ସାରା ବିଶ୍ଵର ନଜର ରହିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ଚିନ୍ତାରେ ଥିବା ଜଣାପଡ଼ିଛି। ଯେଉଁଥିପାଇଁ ବୈଠକ ପୂର୍ବରୁ ଭାରତ ପ୍ରତି ଆମେରିକାର ସ୍ଵର ଧୀରେ ଧୀରେ ନରମ ହେବାରେ ଲାଗିଛି। ଆମେରିକା ଅର୍ଥ ସଚିବ ସ୍କଟ ବେସେଣ୍ଟ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ତିକ୍ତତା ଖୁବଶୀଘ୍ର ତୁଟିବ ଏବଂ ଉଭୟ ରାଷ୍ଟ୍ର ପୁଣି ଥରେ ଏକାଠି ହେବେ ବୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେବା ଏହାର ଜ୍ବଳନ୍ତ ଉଦାହରଣ ବୋଲି କୁହାଯାଉଛି।



