ପୁରୀ ବାସେଳୀସାହି ଥାନା ହାଜତ ମୃତ୍ୟୁ ଘଟଣା, ମୃତବ୍ୟକ୍ତିଙ୍କ ବିରୋଧରେ ମକଦ୍ଦମା କରିଛି ପୁଲିସ

ପୁରୀ: ବାସେଳୀସାହି ଥାନା ହାଜତ ମୃତ୍ୟୁ ଘଟଣାର ଆଉ ଏକ ରହସ୍ୟ ଲୋକଲୋଚନକୁ ଆସିଛି। କେ. ରମେଶଙ୍କ ମୃତ୍ୟୁ ପରେ ପୁଲିସ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି। ମୃତବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୪୧, ୩୨୩, ୩୫୩, ୩୦୭ ଏବଂ ଆର୍ମସ୍‌ ଆକ୍ଟର ଦଫା ୨୫ ଓ ୨୭ରେ ମାମଲା ରୁଜୁ କରାଯାଇଛି। ବାସେଳୀସାହି ଥାନା ସବ୍‌ଇନ୍ସପେକ୍ଟର ବିପ୍ଳବକୁମାର ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ୧୮ତାରିଖ ରାତି ୮ଟା ୪୦ରେ ଏଫ୍‌ଆଇଆର୍‌ ନଂ. ୦୩୧୮ ପଞ୍ଜୀକରଣ କରାଯାଇଛି। ଅଭିଯୁକ୍ତଙ୍କ ନାମ ସ୍ଥାନରେ କେ. ଆପନା ଓରଫ୍‌ ରମେଶ ବୋଲି ଉଲ୍ଲେଖ କରାଯାଇଛି। ସେଦିନ ଥାନା ଅଧିକାରୀ ଦାୟିତ୍ବରେ ଥିବା ସବ୍‌ଇନ୍ସପେକ୍ଟର ସୁଶାନ୍ତକୁମାର ବେହେରା ମାମଲା ପଞ୍ଜୀକରଣ କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ଗତ ୧୮ତାରିଖ ରାତି ୭ଟା ୧୫ରେ କେ. ରମେଶ (୩୧) ନାମକ ଜଣେ ଅସାମାଜିକ ଯୁବକ ବ୍ରହ୍ମଗିରିରୁ ଏକ ମୋଟର ସାଇକଲ ଯୋଗେ ପୁରୀ ଅଭିମୁଖେ ଆସୁଥିଲେ। ଏ ସମ୍ପର୍କରେ ସୂଚନା ପାଇ କନଷ୍ଟେବଳ ରଞ୍ଜନକୁମାର ରଥ, ଜଗନ୍ନାଥ ସ୍ବାଇଁ ଓ ବାବୁଲି ବେହେରାଙ୍କ ସହ ସେ ମଙ୍ଗଳାଘାଟ ଛକରେ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ପୁଲିସ କର୍ମଚାରୀଙ୍କୁ ଦେଖି ରମେଶ କାଜୁଜଙ୍ଗଲ ଦେଇ ଓଁକାରେଶ୍ବର ମନ୍ଦିର ଆଡକୁ ଦୌଡିଥିଲେ। ରମେଶ ପାଖରେ ଏକ ପିସ୍ତଲ ରହିଥିଲା। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଚେତାଶୂନ୍ୟ ​‌େ​ହାଇ ରମେଶ ତଳେ ପଡିଯାଇଥିଲେ। ତାଙ୍କ ପାଖରୁ ପୁଲିସ ଗୋଟିଏ ୭.୬୨ ଏମ୍‌ଏମ୍‌ ପିସ୍ତଲ ସମେତ ୨ରାଉଣ୍ଡ ଜୀବନ୍ତ ଗୁଳି, ମାଗାଜିନ୍‌ ଏବଂ ମୋବାଇଲ ଫୋନ ଜବତ କରିଥିଲା। ରମେଶ ମୁହଁରେ ପାଣିଛିଞ୍ଚି ପୁଲିସ ଚେତା ଫେରାଇବାକୁ ଉଦ୍ୟମ କରିଥିଲା। ପରେ ପୁଲିସଗାଡିରେ ତାଙ୍କୁ ଜିଲା ସଦର ହାସପାତାଳ ନିଆଯାଇଥିଲା। ଡାକ୍ତର ସେଠାରେ ରମେଶଙ୍କୁ ମୃତ ଘୋଷଣା କରିଥିଲେ। ଏସ୍‌ଆଇ ଶ୍ରୀ ପ୍ରଧାନ ଥାନାରେ ଦେଇଥିବା ଏତଲାରେ ରମେଶ ମରିଯାଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଡାକ୍ତରଖାନା ଶବ ବ୍ୟବଚ୍ଛେଦ ଖାତାରେ ରମେଶଙ୍କ ମୃତଦେହ ରାତି ୮ଟା ୩୧ରେ ଜଣେ ପୁଲିସ କର୍ମଚାରୀଙ୍କଠାରୁ ଗ୍ରହଣ କରିଥିବା ଡାକ୍ତର ଉଲ୍ଲେଖ କରିଛନ୍ତି। ଏସବୁ ସତ୍ତ୍ବେ ରାତି ୮ଟା ୪୦ରେ ମୃତ କେ. ରମେଶ ବିରୋଧରେ ପୁଲିସ ହତ୍ୟା ଉଦ୍ୟମ ମକଦ୍ଦମା ରୁଜୁ କରିଛି। ମଲାଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ହାଇକୋର୍ଟରେ ମକଦ୍ଦମା ରୁଜୁ କରିଥିବା ଆଇନଜୀବୀ ଶରତକୁମାର ରାୟଗୁରୁ ମତ ଦେଇଛନ୍ତି। ଏପରି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି। ଏହାଛଡା ବାସେଳୀସାହି ଥାନାରେ ରୁଜୁ ହୋଇଥିବା ମକଦ୍ଦମାରେ ପୁଲିସ ସିଆରପିସିର ୧୭୪ ଧାରା ଲଗାଇ ନଥିବା ବେଳେ ଜାତୀୟ ମାନବାଧିକାର କମିଶନଙ୍କୁ ଗତ ୧୯ତାରିଖ ଦିନ ଜିଲାପାଳ ଏବଂ ଏସ୍‌ପି ଦେଇଥିବା ଯୁଗ୍ମ ତଦନ୍ତ ରିପୋର୍ଟରେ ଏହି ଦଫାରେ ମୋକଦ୍ଦମା ରୁଜୁ କରାଯାଇଥିବା ଉଲ୍ଲେଖ କରିଛନ୍ତି। ହାଜତମୃତ୍ୟୁ ଘଟଣାକୁ ଚପାଇବା ପାଇଁ ପୁଲିସ ଏଭଳି ଚଞ୍ଚକତା କରିଥିବା ଶ୍ରୀ ରାୟଗୁରୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ଏସ୍‌ପି କନୱର ବିଶାଲ ସିଂହଙ୍କ ସହ ଯୋଗାଯୋଗ କରାଯାଇଥିଲା। ହାଇକୋର୍ଟରେ ମକଦ୍ଦମା ବିଚାରାଧିନଥିବାରୁ ବର୍ତ୍ତମାନ ମତାମତ ଦେବା ଉଚିତ ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.