ଚଣ୍ଡିଗଡ: ପଞ୍ଜାବ ସରକାର ରାଜ୍ୟକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ଜିଲାରେ ବନ୍ୟା ଦେଖାଯାଇଥିବାରୁ ରାଜ୍ୟ ସରକାର ଏପରି ଘୋଷଣା ପୂର୍ବକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୨୫ ଅନୁଯାୟୀ ରାଜ୍ୟ କାର୍ଯ୍ୟକାରୀ କମିଟି (ଏସ୍ଇସି) ଗଠନ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ କେଏପି ସିହ୍ନା ଏହାର ଅଧ୍ୟକ୍ଷ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୩୪ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଏହା ସହିତ ରାଜ୍ୟ ସରକାରଙ୍କର ସମସ୍ତ ବିଭାଗକୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ସମସ୍ତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷକରି ପିଡବ୍ଲ୍ୟୁଡି, ଜଳସମ୍ପଦ ବିଭାଗକୁ ଜରୁରୀକାଳୀନଭିତ୍ତିରେ ସମସ୍ତ ପ୍ରକାର କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ରାଜ୍ୟ ବିଦ୍ୟୁତ୍ ନିଗମ, ଟେଲିକମ୍ ବିଭାଗକୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାକୁ କୁହାଯାଇଛି। ପଞ୍ଚାୟତ ଓ ପୌରଞ୍ଚଳ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଧାର, ରିଲିଫ୍ ଓ ସ୍ଥାନାନ୍ତର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦେଶ ଦିଆଯାଇଛି।
ସୋମବାର ଠାରୁ ପଞ୍ଜାବରେ ବର୍ଷା ବିତ୍ପାତ ଲାଗି ରହିଛି। ତିନି ଦିନ ମଧ୍ୟରେ ବନ୍ୟା ଓ ବର୍ଷା ଜନିତ ଅଘଟଣରେ ରାଜ୍ୟରେ ୩୦ଜଣ ଲୋକଙ୍କର ମୃତ୍ୟୁ ହେଲାଣି। ବନ୍ୟା ଯୋଗୁଁ ୧୪୦୦ ଗାଁ ପାଣି ଘେରରେ ରହିଛି। ଗୁରୁଦାସପୁର ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହି ଜିଲାର ୩୨୪ ଗାଁ ପାଣିରେ ବୁଡି ରହିଛି। ସେହିପରି ଅମୃତସରର ୧୩୫, ବର୍ଣ୍ଣାଲାର ୧୩୪ ଓ ହୋସିଆରପୁରର ୧୧୯ଟି ଗାଁ ପାଣିରେ ବୁଡି ରହିଛି। ବନ୍ୟା ଯୋଗୁଁ ପଠାନକୋଟ୍ରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଲୁଧିଆନାରେ ୪, ଅମୃତସର, ବର୍ଣ୍ଣାଲା, ମାନସା, ରୂପନଗର ଓ ହୋସିଆରପୁରରେ ୩ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଭଟିଣ୍ଡା, ଗୁରୁଦାସପୁର, ପତିଆଲା, ମୋହାଲି ଓ ସାଙ୍ଗରୁର୍ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବନ୍ୟା ଯୋଗୁଁ ରାଜ୍ୟରେ ୩.୭୫ଲକ୍ଷ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଭାକ୍ରା ଡ୍ୟାମରେ ଜଳସ୍ତର ୧୬୭୮ ଫୁଟରେ ଓ ପୋଙ୍ଗ ଡ୍ୟାମ୍ରେ ଜଳସ୍ତର ୧୩୯୩ ଫୁଟରେ ରହିଛି। ଏହି ଦୁଇ ଡ୍ୟାମ୍ର ବିପଦ ସଂକେତ ଯଥାକ୍ରମେ ୧୬୮୦ ଓ ୧୩୯୦ ରହିଛି। ତେବେ ହରିକେ ଓ ହୁସେନୱାଲ ଡ୍ୟାମ୍ରୁ ଜଳ ନିଷ୍କାସନ କାରଣରୁ ବନ୍ୟା ସୃଷ୍ଟି ହୋଇଛି।



