ଗଭୀର ଖାତକୁ ଖସିଲା ବସ୍: ଚାଳକ ସମେତ ୨ ମୃତ, ଅନେକ ଆହତ
ଶିମଳା: ହିମାଚଳପ୍ରଦେଶ କୁଲ୍ଲୁ ଜିଲାର ଆନୀ ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍ ଗଭୀର ଖାତକୁ ଖସିପଡ଼ିଛି। ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ଚାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଏକ ଘରୋଇ ବସ୍ କରଗୋସ୍ର ଆନୀ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଦିନ ପ୍ରାୟ ୧୧ଟା ସମୟରେ ଶ୍ଵାଡ-ନିଗାନ ରାସ୍ତାରେ ଶକେଲେଡ୍ ନିକଟରେ ଗଭୀର ଖାତକୁ ଖସିପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି। ବସ୍ରେ ପ୍ରାୟ ୨୫ ଜଣ ଲୋକ ଯାତ୍ରା କରୁଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Comments are closed.