କଂଟାବାଞ୍ଜି: ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥରେ କିଏ କାହାକୁ ସାହାଯ୍ୟ କରେନାହିଁ । ଏହି ସ୍ୱାର୍ଥପର ଦୁନିଆରେ ଆଜି ବି ଏମିତି କିଛି ଲୋକ ଅଛନ୍ତି, ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳୁଛି। ବର୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ । ଏଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହରକୁ ଆସୁଥିବା ଗ୍ରାମାଞ୍ଚଳର ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩/୪ଦିନ ହେଲା ଜଳଛତ୍ର ଖୋଲିଛି, ଲୋକଙ୍କୁ ପିଇବା ପାଣି ଦିଆଯାଉଛି । ଏହା ପ୍ରଶାସନର କାମ, ହେଲେ ଜଳ ଛତ୍ର ଖୋଲିବାରେ ବିଳମ୍ବ କଲା ପ୍ରଶାସନ। କିନ୍ତୁ ଜଣେ ମହିଳା ବ୍ୟବସାୟୀ ଏହି ପ୍ରଚଣ୍ଡ ଖାରାରେ ନିଜ ବ୍ୟବସାୟ ସମ୍ଭାଳିବା ସହ ଦୋକାନ ବାହାରେ ନିଜ ଖର୍ଚ୍ଚରୁ ଲୋକଙ୍କୁ ସରବତ, ଥଣ୍ଡା ପାଣି ପିଇବାକୁ ଯୋଗାଇ ଦେଉଥିବା ଦେଖାଯାଇଛି ।
ସହରର ମୁଖ୍ୟ ରାସ୍ତା ପାର୍ଶ୍ବରେ ପ୍ରୀତି ଜୈନଙ୍କ ଦୋକାନ । ପ୍ରୀତି ବିଭିନ୍ନ ସମାଜିକ ସଂଗଠନ ସହ ଜଡିତ । ଯଦି ଲୋକ ପିଇବା ପାଣି ପାଇଁ ପାଉଚ୍ ଏବଂ ବୋତଲ କିଣିବେ ତେବେ ନିଶ୍ଚିତ ଭାବେ ଟଙ୍କା ଖର୍ଚ୍ଚ ହେବ। ତେଣୁ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ସରବତ୍ ଏବଂ ଥଣ୍ଡା ପାଣି ପିଇବା ପାଇଁ ଦେଉଛି। ମୁଁ ଯେମେତି କରୁଛି ଯଦି ଅନ୍ୟ ଦୋକାନୀମାନେ ମଧ୍ୟ ନିଜ ଦୋକାନ ବାହାରେ ଗୋଟିଏରୁ ଦୁଇଟି ମାଠିଆ ରଖି ଲୋକଙ୍କୁ ପିଇବା ପାଣି ବ୍ୟବସ୍ଥା କରନ୍ତେ ତେବେ ନିଶ୍ଚିତ ଭାବେ ଲୋକେ ଆରାମରେ ପିଇବା ପାଣି ପାଇ ପାରନ୍ତେ ବୋଲି ପ୍ରୀତି କହିଛନ୍ତି । କେବଳ ଯେ ସେ ପିଇବା ପାଣି ଦେଉଛନ୍ତି ତାହା ନୁହେଁ ଅତି ଗରିବ ଲୋକଙ୍କୁ ଦରକାର ପଡିଲେ ଖାଇବାର ବ୍ୟବସ୍ଥା କରିବା ସହ ଛତା, ଚପଲ, କପଡା ମଧ୍ୟ ଯୋଗାଇ ଦେଉଛନ୍ତି । ଆଜିର ଦିନରେ ଜଣେ ମହିଳା ନିଜ ବ୍ୟବସାୟ ଚଳାଇବା ସହ ଏଭଳି ଜନସେବା କରୁଛନ୍ତି, ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଦେବ ।



