ଡେସ୍କ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ମିନି ଇଣ୍ଡିଆ ଭାବେ ଅଭିହିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। ଆଜି ଅପରାହ୍ନରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, କିଛି ବର୍ଷ ହେବ ଦେଶରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଘଟୁଥିବା ଉନ୍ନତି ସାରା ବିଶ୍ୱକୁ ନୂଆ ଦିଗଦର୍ଶନ ଦେଇଛି।
ରାଷ୍ଟ୍ରପତି କହିଛନ୍ତି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଖ୍ୟାତି କେବଳ ଓଡିଶା କି ପୂର୍ବ ଭାରତରେ ନୁହେଁ ବରଂ ସାରା ଦେଶରେ ରହିଛି। ଏଠାରେ କାର୍ଯ୍ୟ କରୁଥିବା ଚିକିତ୍ସକ ମାନଙ୍କୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ଏହା ଡାକ୍ତରମାନଙ୍କ ଚିକିତ୍ସା ସେବାର ଉତ୍କୃଷ୍ଟତା ଓ ନିଷ୍ଠାକୁ ଦର୍ଶାଉଛି। ସେ କହିଛନ୍ତି, ନିଷ୍ଠାର ସହ ଚିକିତ୍ସା ସେବାର ଏହି ପରମ୍ପରା ଆଗକୁ ଜାରି ରହିବ ବୋଲି ଆଶାବାଦୀ।
ରାଷ୍ଟ୍ରପତି କହିଛନ୍ତି, ମା’ ମାନେ ଯେଭଳି ଏକ ଉଦ୍ଦେଶ୍ୟ ନେଇ ବ୍ରତ ରଖିଥାନ୍ତି ସେହିଭଳି ସେବା କରିବାର ବ୍ରତ ନେଇ ଆଜିର ମେଡିକାଲ ଛାତ୍ରଛାତ୍ରୀ ଆସନ୍ତାକାଲି ପାଇଁ ସେବାର ନିଦର୍ଶନ ହୋଇପାରିବେ। ଉଦାହରଣ ଛଳରେ ଡାକ୍ତର, ଶିକ୍ଷକ ଓ ଆଇନଜୀବୀଙ୍କୁ ଗାଁ ଗହଳିରେ ଲୋକମାନେ ଭଗବାନ ବୋଲି ମାନିଥାନ୍ତି କହିବା ସହ ରାଷ୍ଟ୍ରପତି ଡାକ୍ତରମାନକୁ ଚଳନ୍ତି ଭଗବାନ ବୋଲି କହିଛନ୍ତି। ଭାରତୀୟ ସଂସ୍କୃତିରେ ନର ସେବାକୁ ନାରାୟଣ ସେବା ବୋଲି କୁହାଯାଇଥିବା ଉକ୍ତିକୁ ପ୍ରମାଣୀକତା ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି ଯେ ଶାସକ, ପ୍ରଶାସକ, ଇଂଜିନିୟର, ଅଧ୍ୟାପକ କି ସମସ୍ତେ ଦୁଃଖୀ ଲୋକଙ୍କର ସେବା କରିପାରିବେ କିନ୍ତୁ କାହାକୁ ଯନ୍ତ୍ରଣାରୁ ମୁକ୍ତ କରି ପାରିବେ ନାହିଁ। ଅନ୍ୟ ସବୁ ତୁଳନାରେ ଏହା ହିଁ ଡାକ୍ତରୀ ବୃତ୍ତିର ସ୍ଵାତନ୍ତ୍ର୍ୟତା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।



