www.samajalive.in
Thursday, December 11, 2025
13.1 C
Bhubaneswar

ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି

ବାରିପଦା : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମର ଶୁକ୍ରବାର ଦ୍ୱିତୀୟ ଦିବସରେ ବିରଳ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିଲେ। ସେଠାରୁ ଫେରି ହେଲିକପଟର ଯୋଗେ ବାରିପଦାରେ ପହଞ୍ଚିଛନ୍ତି। ବାରିପଦା ଷ୍ଟେସନ ବଜାରସ୍ଥିତ ସର୍କିଟ ହାଉସରେ ତାଙ୍କର ବିଶ୍ରାମ ଓ ରାତ୍ରି ଯାପନ ପାଇଁ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ସହରର ମହୁଲଡିହାସ୍ଥିତ ନିଜ ବାସଭବନରୁ ସକାଳ ୮.୨୦ରେ ବାହାରି ଘର ସମ୍ମୁଖରେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ପରେ ସହରର ୩ ନମ୍ବର ୱାର୍ଡରେ ଥିବା ପୂ​‌େ​‌ର୍ଣ୍ଣଶ୍ବର ଶିବ ମନ୍ଦିର ପରିଦର୍ଶନ ସହ ପୂଜାର୍ଚ୍ଚନା ସାରିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ଦାଣ୍ଡବୋଷ ସନ୍ନିକଟ ଡାହାରଡିହିରେ ଅଲଚିକ ଲିପିର ସ୍ରଷ୍ଟା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ପହଞ୍ଚି ସାରନା ଧର୍ମର ପାରମ୍ପରିକ ରୀତିନୀତି ଅନୁଯାୟୀ ଇଷ୍ଟଦେବଙ୍କୁ ସ୍ମରଣ ପୂର୍ବକ ପ୍ରାର୍ଥନା କରିଥିଲେ। ସେ ଅନ୍ୟମାନଙ୍କ ସହ ସାନ୍ତାଳୀ ଧର୍ମଗ୍ରନ୍ଥ ହିତାଲ ଗାନ କରିଥିଲେ। ଦାଣ୍ଡବୋଷ ସମାଧିସ୍ଥଳରୁ ହେଲିପେଡ ଅଭିମୁଖେ ପ୍ରତ୍ୟାବର୍ତ୍ତନ ପଥରେ ଗୁରୁ ଗମକେଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ତାଙ୍କ ନିଜ ଗ୍ରାମରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହା ପରେ ହେଲିପେଡରୁ ବାୟୁସେନା ହେଲିକପ୍ଟରରେ ଯଶିପୁର ଅଭିମୁଖେ ଯାତ୍ରା କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖଙ୍କ ସମେତ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ।
ଶିମିଳିପାଳ ପରିଦର୍ଶନରେ ଯିବା ପାଇଁ ରାଷ୍ଟ୍ରପତି ପୂର୍ବାହ୍ନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପେଡଠାରେ ଅବତରଣ କରିଥିଲେ। ସେଠାରୁ ସ୍ୱତନ୍ତ୍ର ଗାଡି ଯୋଗେ ସଡକ ପଥରେ ଯାଇ ମଧ୍ୟାହ୍ନ ୧୨ଟା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିଲେ। ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ କିଛି ସମୟ ବୁଲି ଚହଲାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଶିମିଳିପାଳରେ ପରିଭ୍ରମଣ କାଳରେ ବିଭିନ୍ନ ଇକୋ ଡେଭଲପମେଣ୍ଟ କମିଟିର କର୍ମୀ ସହାୟତା କରିଥିଲେ। ରାଷ୍ଟ୍ରପତି ଦିବା ଅଢେଇଟା ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିଲେ। ସଡକ ପଥରେ ପ୍ରାୟ ୮୦ କିଲୋମିଟର ଯାତ୍ରା କରି ସାଢେ ୪ଟା ସମୟରେ ଯଶିପୁର ହେଲିପେଡଠାରେ ପହଞ୍ଚିଥିଲେ। ଯଶିପୁର ହେଲିପେଡରୁ ବାୟୁସେନା ହେଲିକପ୍ଟର ଯୋଗେ ଆସି ବାରିପଦାର ରାଣୀବନ୍ଧ ହେଲିପେଡରେ ୫ଟାରେ ପହଞ୍ଚିଥିଲେ। ପରେ ବାରିପଦା ଷ୍ଟେସନ ବଜାରସ୍ଥିତ ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନେଇଛନ୍ତି। ଏଠାରେ ମଧ୍ୟ ସେ ରାତ୍ରି ଯାପନ କରିବେ। ବିଶ୍ରାମ ନେବା ଅବସରରେ ସେ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥବା ଜଣାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories