‘ଜନଜାତିଙ୍କ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ଅନନ୍ୟ’

କେନ୍ଦୁଝରଗଡ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଅପରାହ୍ନରେ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ  ‘କେନ୍ଦୁଝରର ଜନ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଦୁଇଦିନିଆ ଜାତୀୟ ପାଠଚକ୍ର ଓ ଜନଜାତି ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସଭାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନଜାତିଙ୍କ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ଅନନ୍ୟ କହିବା ସହ ଏହାର ସଂରକ୍ଷଣ ଜରୁରୀ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜାତୀୟ ପାଠଚକ୍ରରେ ଯୋଗ ଦେଇଥିବା ଗବେଷକଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହ୍ୱାନ ଦେଇ ନିକଟସ୍ଥ ୪/୫ଟି ଆଦିବାସୀ ଅଧ୍ୟୁଷିତ ଗାଁକୁ ଯାଇ ସେଠାରେ ରହି ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ସହ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ସୁଫଳ ପାଇପାରିବେ ସେ ଦିଗରେ କାର୍ଯ୍ୟ କଲେ ଏହି ପାଠଚକ୍ର ଆୟୋଜନର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଏବେବି ଜନଜାତିଙ୍କ ପରମ୍ପରା, ସଂସ୍କୃତି ଓ ଖାଦ୍ୟପେୟ ଉଲ୍ଲେଖନୀୟ ଅଧ୍ୟାୟ ସୃଷ୍ଟି କରିଥିବା କହିଥିଲେ । ଅସୀମ ସମ୍ଭାବନା ଓ ସାମର୍ଥ୍ୟ ବଳରେ ଶିକ୍ଷା ମାଧ୍ୟମରେ ନୂଆ ଜ୍ଞାନକୌଶଳ ଆପଣାଇ ସଂସ୍କୃତି ସହିତ ଜଡିତ ରହିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ ।

ଏବେବି କେନ୍ଦୁଝର ଜିଲାର ଦୁଇ ଆଦିମ ଜନଜାତି ଜୁଆଙ୍ଗ ଓ ପାଉଡିଭୂୟାଁ ଅନଗ୍ରସର ଜୀବନଶୈଳୀ ବିତାଉଥିବା ବେଳେ ଦେଶର ପ୍ରଗତି କରିବାକୁ ହେଲେ ସେମାନଙ୍କ ବିକାଶକୁ ଗୁରୁତ୍ୱ ପ୍ରଦାନର ସମୟ ଆସିଛି ବୋଲି କହିଥିଲେ । ଏହି ଦୁଇ ସମ୍ପ୍ରଦାୟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇ ସେମାନଙ୍କ ଆଗକୁ ଆଣିକା ଓ ସହଯୋଗ କରିବାକୁ କହିଥିଲେ । ସରଳତା ଆଦିବାସୀଙ୍କ ଭୂଷଣ । ଏଭଳିସ୍ଥିତିରେ ଆଦିବାସୀଙ୍କ ସଂସ୍କୃତିକର ସଂରକ୍ଷଣ ପାଇଁ ଗବେଷକମାନେ ଗୁରୁତ୍ୱ ପ୍ରଦାନ ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ । ଗ୍ଲୋବାଲ ୱାର୍ମିଂ ଓ ପରିବେଶ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି କହିବା ସହ ସଶକ୍ତ ଓ ସ୍ୱାଲମ୍ବୀ ହେବାପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନା ହାତକୁ ନିଆଯିବା ସହ ମହିଳା ସଶକ୍ତିକରଣ ସହ ୨୦୪୭ ସୁଦ୍ଧା ଭାରତ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବେ ବିଶ୍ୱ ଗୁରୁ ଭାବେ ଉଭା ହେବ ବୋଲି କହିଥିଲେ । ତ୍ୟାଗ ଓ ବୀରତ୍ୱର ପ୍ରତୀକ ବିପ୍ଳବୀ ଧରଣୀଧରଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ଏକ ବିକଶିତ ଶିକ୍ଷାନୁଷ୍ଠାନରେ ପରିଣତ ହେଉବୋଲି କହିବା ସହ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଧ୍ୟାପନା କରୁଥିବା ଅଧ୍ୟାପକ ଅଧ୍ୟାପିକା ଗବେଷଣାକୁ ଅଧିକ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ ଦିଗରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ‘ନିୟୁଜ ଲେଟର’କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର ଓଏସ୍‍ଡି ତଥା ଭାରପ୍ରାପ୍ତ କୁଳପତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଙ୍କିତ ତେହଳଚିତ୍ରକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।

ରାଜ୍ୟପାଳ ରଘୁବର ଦାସ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କେନ୍ଦୁଝର ଜିଲାରେ ଗଛିତ ପ୍ରାକୃତିକ ଓ ଖଣିଜସମ୍ପଦର ସୁବିନିଯୋଗ କରାଯାଇ ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଗୁରୁତ୍ୱ ଦେଇଥିଲେ । ଏଥିସହ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗଙ୍କ ପାରମ୍ପରିକ ବିଶ୍ୱପ୍ରସିଦ୍ଧ ଲୋକନୃତ୍ୟ ‘ଛଉ’ ଏବଂ ହୋ ସମ୍ପ୍ରଦାୟର ମାଗେ ପରବ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଆଦିବାସୀ ସରଳ ଓ ଇଶ୍ୱରବିଶ୍ୱାସି ବୋଲି କହିଥିଲେ । ଆଦିବାସୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ୨୦୨୬ ସୁଦ୍ଧା ଦେଶରେ ୭୪୦ଟି କ୍ଲବ ବିଦ୍ୟାଳୟ କାର୍ଯ୍ୟକ୍ଷମ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିବା ରାଜ୍ୟପାଳ ଶ୍ରୀ ଦାସ କହିଥିଲେ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣେ ଜନଜାତିବର୍ଗର ମହିଳା ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବା ଏହା ଆମ ସମସ୍ତଙ୍କ ପାଇଁ ଖୁସି ଓ ଗର୍ବର ମୁହୂର୍ତ୍ତ ବୋଲି କହିବା ସହ ଆଦିବାସୀଙ୍କ ସାମାଜିକ ଚଳଣୀ ଆଜିବି ବୈଜ୍ଞାନିକ ମାନେ ଅନୁସରଣ କରୁଥିବା କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଓଏସ୍‍ଡି ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ସ୍ୱାଗତଭାଷଣ ଓ ବିବରଣୀ ପ୍ରଦାନ ଅବସରରେ ବିଶ୍ୱବିଦ୍ୟାଳୟରେ ଏକ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ନିମନ୍ତେ ମଞ୍ଚାସୀନ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଗଣ ପାରମ୍ପରିକ ଆଦିବାସୀ ବେଶପୋଷାକରେ ସୁସଜ୍ଜିତ ହୋଇ ରାଷ୍ଟ୍ରପତିଙ୍କୁ ମଞ୍ଚକୁ ପାଛୋଟି ଆଣିଥିଲେ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହାପୂର୍ବରୁ ପୂର୍ବାହ୍ନରେ ଜିଲାର ବାଂଶପାଳ ବ୍ଲକ ଗୋନାସିକାରେ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଗୋନାସିକା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କ୍ରୀଡା, ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିବା ବେଳେ ଜିଲାପାଳ ବିଶାଲ ସିଂହ ଓ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଭୟ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

Comments are closed.