www.samajalive.in
Thursday, December 11, 2025
26.1 C
Bhubaneswar

ମହାନଦୀ ଜଳ ଜହର : ଛୁଇଁଲେ ହେବ ରୋଗ

ଲିଟରେ ପାଣିରେ ୪୯ ଲକ୍ଷ ରୋଗ ସୃଷ୍ଟିକାରୀ ବୀଜାଣୁ

ସମ୍ବଲପୁର (ବ୍ରଜମୋହନ ସାହୁ) : ଓଡ଼ିଶାର ଜୀବନରେଖା ମହାନଦୀକୁ ଏବେ ଦୋହରା ବିପଦ। ଛତିଶଗଡ଼ର ଅବରୋଧ ଯୋଗୁ ଓଡ଼ିଶାରେ ମହାନଦୀର ଧାର ଧିରେଧିରେ ଶୁଖି ଶୁଖି ଯାଉଛି। ହଜାରେ ଅବରୋଧ ସତ୍ତ୍ୱେ ଯେଉଁ ସଙ୍କୀର୍ଣ୍ଣ ଧାରଟିଏ ତଥାପି ଓଡ଼ିଶା ମାଟିକୁ ବହି ଆସିଛି ତାହା ଏତେ ସାଂଘାତିକ ଭାବରେ ପ୍ରଦୂଷିତ ହୋଇସାରିଛି ଯେ ପିଇବା ଦୂର କଥା, ଛୁଇଁଲେ ମଧ୍ୟ ରୋଗ ହୋଇଯିବ। ମହାନଦୀ କଡ଼ର ୪୪ଟି ଛୋଟ ବଡ଼ ବସତି, ୧୮ କାରଖାନା ଓ ୧୫ କୋଇଲା ଖଣିରୁ ପ୍ରତିଦିନ ହାରାହାରି ୫୭ କୋଟି ୭୦ ଲକ୍ଷ ଲିଟର ତରଳ ଆବର୍ଜନା ଢାଳି ମହାନଦୀକୁ ବଡ଼ ନର୍ଦମାରେ ପରିଣତ କରିଦେଲେଣି। ଆବର୍ଜନା ଜଳ ମହାନଦୀ ପାଣିକୁ ବିଷାକ୍ତ କରି ସାରିଥିବା ବେଳେ ପ୍ରତି ଏକ ଲିଟର ପାଣିରେ ହାରାହାରି ୪୯ ଲକ୍ଷ ସଂଖ୍ୟକ ରୋଗ ସୃଷ୍ଟିକାରୀ କୋଲିଫର୍ମ ବୀଜାଣୁଙ୍କ ଉପସ୍ଥିତି ଏହାର ପ୍ରଦୂଷଣର ମାତ୍ରାକୁ ସୂଚାଉଛି।
ମହାନଦୀ ସହିତ ଓଡ଼ିଶାର ୧୯ ନଦୀ ପ୍ରଦୂଷିତ ବୋଲି ରାଜ୍ୟ ସରକାର ୨୦୧୯ ମସିହାରେ ବିଧାନସଭାରେ ସ୍ୱୀକାର କରିଥିଲେ। ଏହି ନଦୀ ସହିତ ଦେଶର ୬ ନଦୀକୁ ‘ନମାମୀ ଗଙ୍ଗେ’ ଯୋଜନାରେ ପ୍ରଦୂଷଣମୁକ୍ତ କରାଯିବ ବୋଲି ସେହି ବର୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ଦେଇଥିବା ଅଭିଭାଷଣରେ ସୂଚନା ଦେଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମହାନଦୀର ୨୯ଟି ଜାଗାରେ ନିୟମିତ ବ୍ୟବଧାନରେ ପାଣିର ମାନ ପରୀକ୍ଷା କରୁଛି। ପରୀକ୍ଷା ରିପୋର୍ଟ କହୁଛି ଯେ ମହାନଦୀ ପିଇବା ଦୂର କଥା, ଗାଧୋଇବା ଉପଯୋଗୀ ମଧ୍ୟ ନୁହେଁ। ଏହି ପାଣିକୁ କେବଳ ଜଳସେଚନ ଓ ତାପଜ କାରଖାନାଗୁଡ଼ିକର ଯନ୍ତ୍ରାଂଶ ଶୀତଳୀକରଣ ପାଇଁ ହିଁ ବ୍ୟବହାର କରାଯାଇପାରେ। ସେହି ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମହାନଦୀ ପାଣିର ମାନକୁ ‘ଡି’ ଓ ସବୁଠାରୁ ନିକୃଷ୍ଟ ‘ଇ’ ପର୍ଯ୍ୟାୟଭୁକ୍ତ କରିଛି।
ମହାନଦୀ ଛତିଶଗଡ଼ର ରାଜନନ୍ଦଗାଓଁ, ଭିଲାଇ, ଦୁର୍ଗ, ବିଲାସପୁର, ସିମୋଗା, ରାୟପୁର ଓ କୋର୍ବା ସହରରୁ ଉଦବୃତ୍ତ ଆବର୍ଜନା ଜଳ ସହିତ ଆସି ହୀରାକୁଦ ଜଳଭଣ୍ଡାରରେ ମିଶିଥାଏ। ଓଡ଼ିଶାକୁ ପ୍ରବେଶ କଲା ପରେ ବେଲପାହାଡ଼, ବ୍ରଜରାଜନଗର, ଝାରସୁଗୁଡ଼ା, ବୁର୍ଲା, ହୀରାକୁଦ, ସମ୍ବଲପୁର, ବିନକା, ସୋନପୁର, ବୌଦ୍ଧ, ନୟାଗଡ଼, ଚୌଦ୍ବାର, ‌କଟକ ଓ ପାରାଦ୍ୱୀପ ଆଦି ୪୪ ଛୋଟବଡ଼ ସହରର ଆବର୍ଜନା ପାଣି ମହାନଦୀରେ ମିଶୁଛି। ଏସବୁ ସହରାଞ୍ଚଳରୁ ଦୈନିକ ୪୬ କୋଟି ୩୦ ଲକ୍ଷ ଲିଟର ଆବର୍ଜନା ପାଣି ମହାନଦୀରେ ପଡ଼ୁଛି। ସେହିପରି ହିଣ୍ଡାଲକୋ, ଓପିଜିସି, ବେଦାନ୍ତ, ଭୂଷଣ, ପାରାଦୀପ ଫସଫେଟ ଲିମିଟେଡ ଆଦି ୧୮ଟି ଇସ୍ପାତ, ତାପଜ ବିଦ୍ୟୁତ ଓ ସାର କାରଖାନା ପ୍ରତିଦିନ ହାରାହାରି ୧୦ କୋଟି ଲିଟର ବିଷାକ୍ତ ରାସାୟନିକ ମିଶ୍ରିତ ପାଣି ମହାନଦୀକୁ ଛାଡ଼ୁଛନ୍ତି। ମହାନଦୀ ଅବବାହିକାରେ ଥିବା ଏମସିଏଲର ୧୫ଟି କୋଇଲା ଖଣିରୁ ବାହାରୁଥିବା ଆହୁରି ୧ କୋଟି ୪୦ ଲକ୍ଷ ଲିଟର କୋଇଲା ମିଶା ପାଣି ମହାନଦୀରେ ମିଶୁଛି।
ଦୈନିକ ୫୭ କୋଟି ଲିଟର ବିଷାକ୍ତ ପାଣି ମିଶି ମହାନଦୀକୁ ସାଂଘାତିକ ଭାବେ ପ୍ରଦୂଷିତ କରି ପକାଇଛି। ସହରାଞ୍ଚଳର ମଳ ମିଶ୍ରିତ ଆବର୍ଜନା ଜଳ ଓ କାରଖାନାର ବିଷାକ୍ତ ରାସାୟନିକ ମିଶ୍ରିତ ପାଣି ମହାନଦୀ ପାଣିକୁ ଦୂଷିତ ନୁହେଁ, ବିଷାକ୍ତ କରିଛି। ଜନବସତିରୁ ବାହାରୁଥିବା ଆର୍ବଜନା ପାଣିରେ ମଳ ସହିତ ସୀସା, କ୍ରୋମିୟମ, କାଡମିଅମ, ଜିଙ୍କ ଓ ପାରଦ ଭଳି ବିଷାକ୍ତ ଦ୍ରବ୍ୟ ଓ ଶିଳ୍ପାଞ୍ଚଳରୁ ବାହାରୁଥିବା ପାଣିରେ କାର୍ବୋନେଟ, ବାଇ-କାର୍ବୋନେଟ, ଲୁହା, ମାଙ୍ଗାନିଜ, ଜିଙ୍କ, ତମ୍ବା ଓ ଫ୍ଲୋରାଇଡ ଥିବା ମହାନଦୀ ପାଣି ସନ୍ଦର୍ଭରେ ହୋଇଥିବା ଏକାଧିକ ଗବେଷଣା ଓ ପରୀକ୍ଷାରୁ ଜଣାପଡ଼ିଛି। ଓଡ଼ିଶା ଜଳଯୋଗାଣ ଓ ସ୍ୱେରେଜ ବୋର୍ଡ ରିପୋର୍ଟ ଅନୁସାରେ ସମ୍ବଲପୁର ଓ କଟକରେ ମହାନଦୀ ପାଣି ସର୍ବାଧିକ ପ୍ରଦୂଷିତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକ ଓ ସମ୍ବଲପୁରରେ ମହାନଦୀ ପାଣିରେ କରିଥିବା ପରୀକ୍ଷାରୁ ସାଂଘାତିକ ଚିତ୍ର ମିଳିଛି। ଗତ ଏପ୍ରିଲ ମାସରେ ସମ୍ବଲପୁର ଓ କଟକରେ ପ୍ରତି ଏକ ଲିଟର ମହାନଦୀ ପାଣିରେ ୪୯ ଲକ୍ଷ କୋଲିଫର୍ମ ବୀଜାଣୁ ମିଳିିଥିବା ବେଳେ ମେ ମାସରେ ସମ୍ବଲପୁରରେ ୪୯ ଲକ୍ଷ ଓ କଟକରେ ୩୫ ଲକ୍ଷ ଏବଂ ଜୁନ ମାସରେ ସମ୍ବଲପୁରରେ ୩୩ ଲକ୍ଷ ଓ କଟକରେ ଏକ ଲିଟର ମହାନଦୀ ପାଣିରେ ୪୯ ଲକ୍ଷ କୋଲିଫର୍ମ ବୀଜାଣୁ ଥିବା ପରୀକ୍ଷାରୁ ଜଣାପଡ଼ିଛି।
ବିଶିଷ୍ଟ ପରିବେଶ ବିଜ୍ଞାନୀ ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ପ୍ରଫେସର ଡ. ସଂଜତ କୁମାର ସାହୁ କହିଛନ୍ତି ଯେ ମଳ ମିଶ୍ରିତ ମହାନଦୀ ପାଣିରେ କୋଲିଫର୍ମ ବୀଜାଣୁର ମାତ୍ରାଧିକ ଉପସ୍ଥିତି ବିଭିନ୍ନ ପ୍ରକାର ପେଟରୋଗ ସୃଷ୍ଟି କରୁଛି। ମହାନଦୀର ପ୍ରଦୂଷିତ ଜଳ ଓଡ଼ିଶାବାସୀଙ୍କ ପାଇଁ ଏକ ଧୀର ଜହର ଭଳି କାମ କରୁଛି ବୋଲି ପ୍ରଫେସର ସାହୁ କହିଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories