www.samajalive.in
Friday, December 12, 2025
19.1 C
Bhubaneswar

ଲକ୍‌ଡାଉନ ଉଲ୍ଲଙ୍ଘନ କରି ଥାନାଧିକାରୀଙ୍କ ମନ୍ଦିର ପ୍ରବେଶ

ପୁରୀ: ଲକ୍‌ଡାଉନ କଟକଣା ଉଲ୍ଲଙ୍ଘନ କରି ରବିବାର ଜଣେ ପୁଲିସ ଅଧିକାରୀ ପରିବାର ସହ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଛନ୍ତି। କେତେକ ସେବକ ସେମାନଙ୍କୁ ବିରୋଧ କରିବାରୁ ଉତ୍ତରଦ୍ବାର ଦେଇ ସେମାନେ ବାହାରି ଯାଇଛନ୍ତି। ସେମାନେ ଆସିଥିବା ଏକ ଗାଡିକୁ ସେବକମାନେ ଅଟକାଇ ରଖିଛନ୍ତି। ଏଥିଯୋଗୁଁ ସେବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସିଂହଦ୍ବାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲା ବଡ଼ଚଣା ଥାନା ଇନ୍ସପେକ୍ଟର ଦୀପକ କୁମାର ଜେନା ପରିବାର ସହ ରାତି ପ୍ରାୟ ସାଢେ ୮ଟା ବେଳେ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଡ୍ୟୁଟିରେ ଥିବା ପୁଲିସ କନଷ୍ଟେବଳ କାହ୍ନୁଚରଣ ଗୌଡ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ତାହାକୁ ଖାତିର ନକରି ଜଣେ ସେବକଙ୍କ ସହଯୋଗରେ ଇନ୍ସପେକ୍ଟର ଶ୍ରୀ ଜେନା ପରିବାର ସହ ମନ୍ଦିର ଭିତରେ ପ୍ରବେଶ କରିଥିଲେ।

ଏହି ଖବର ପ୍ରଚାରହେବା ପରେ ଶତାଧିକ ସେବକ ମନ୍ଦିରରେ ପହଞ୍ଚି ତୁରନ୍ତ ବାହାରକୁ ବାହାରି ଯିବାପାଇଁ ପୁଲିସ ଅଧିକାରୀ ଏବଂ ତାଙ୍କ ପରିବାରକୁ କହିଥିଲେ। ଏହାପରେ ପୁଲିସ ପରିବାର ଉତ୍ତରଦ୍ବାର ଦେଇ ବାହାରିଥିବା ଜଣାପଡିଛି। ସେମାନେ ଆଣିଥିବା ଓଆର-୦୫-ଏଏଫ୍‌ ୦୫୦୦ ଗାଡିକୁ କେତେକ ସେବକ ଅଟକ ରଖିଛନ୍ତି। ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ସେବକମାନେ ଅଡ଼ି ବସିଛନ୍ତି। ଏହି ଗାଡିରେ ନାଲିବତି ଲାଗିଥିବା ବେଳେ ତାହା ସୁକାନ୍ତ କୁମାର ଦଳେଇଙ୍କ ନାମରେ ପଞ୍ଜୀକରଣ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ସିଂହଦ୍ବାର ଥାନା ଇନ୍ସପେକ୍ଟର ଗେଲି କୁମାରୀ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ କଟକଣା ସମ୍ପର୍କରେ ଜାଣି ନଥିବାରୁ ଇନ୍ସପେକ୍ଟର ଶ୍ରୀ ଜେନା ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିବା ସେ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ସମେତ ସାମାଜିକ ଦୂରତ୍ବ ରକ୍ଷାପାଇଁ ଜିଲା ପ୍ରଶାସନ ପକ୍ଷରୁ ଗତମାସ ୧୯ତାରିଖ ଦିନ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଏହି କଟକଣା ମେ ମାସ ୩ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ ପାଳିଆ ସେବକଙ୍କ ବ୍ୟତୀତ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ଲକ୍‌ଡାଉନ ଜନିତ କ୍ଷତିଭରଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏ ପ୍ରଦାନ କରିବାକୁ ଘୋଷଣା କରିଛି। ସରକାରୀ କଟକଣା କାର୍ୟ୍ୟକାରୀ କରିବା ପରିବର୍ତ୍ତେ ତାହାକୁ ଉଲ୍ଲଙ୍ଘନ କରି ଜଣେ ପୁଲିସ ଇନ୍ସପେକ୍ଟର ପରିବାର ସହ ଶ୍ରୀମନ୍ଦିରରେ ପ୍ରବେଶ କରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories