ବାଏରିଜ : ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରିନ୍ରୁ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିଛନ୍ତି । ଫ୍ରାନ୍ସର ବାଏରିଜରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ସେ ରବିବାର ସନ୍ଧ୍ୟାରେ ପହଞ୍ଚିବେ। ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରନେତାମାନଙ୍କ ସହ ସେ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।
ଅନ୍ୟପକ୍ଷରେ ବାହାରିନ୍ ଗସ୍ତ ଅବସରରେ ସେ ମାନାମାଠାରେ ସେଠାକାର ରାଜା ହମ୍ମଦ୍ ବିନ୍ ଇଶା ଅଲ୍ ଖଲିଫାଙ୍କ ସହ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ନିବିଡ଼ କରିବାପାଇଁ ଉଭୟ ଏକମତ ହୋଇଛନ୍ତି। ସେ ମଧ୍ୟ ଏହି ଅବସରରେ ବାହାରିନ୍ ପ୍ରଧାନମନ୍ତ୍ରୀ ତଥା ରାଜକୁମାର ଖଲିଫା ବିନ୍ ସଲ୍ମାନ୍ ଅଲ୍ ଖଲିଫାଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସଂସ୍କୃତି, ମହାକାଶ, ସୌରଶକ୍ତି ଏବଂ ରୂପେ କାର୍ଡ଼ ପ୍ରଚଳନ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସେ ଦେଶର ମର୍ଯ୍ୟାଦା ଜନକ “ଅର୍ଡର୍ ଅଫ୍ ରେନାସାଁ” ସମ୍ମାନରେ ସମ୍ମାନିତ କରାଯାଇଛି।



