www.samajalive.in
Saturday, December 6, 2025
26.1 C
Bhubaneswar

ବିକାଶ କ୍ଷେତ୍ରରେ ଓଡ଼ିଶା ପଛୁଆ କାହିଁକି ; ରାଜ୍ୟ ସରକାରଙ୍କୁ ମୋଦୀଙ୍କ ଅନେକ ପ୍ରଶ୍ନ

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରର ପ୍ରମୁଖ କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ସ୍ବାସ୍ଥ୍ୟ, ସ୍ଵଚ୍ଛତା, କୁପୋଷଣ ଏବଂ ରୋଜଗାର ଯୋଗାଣ ​‌କ୍ଷେତ୍ରରେ  ବହୁ ପଛରେ ପଡି ଯାଇିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦାରିଦ୍ର୍ୟ ରାଜ୍ୟର ପିଛା ଛାଡୁ ନାହିଁ। ଏଠାକାର ଲୋକେ ରୋଜଗାର ଖୋଜିବା ପାଇଁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଦାସର୍ବଦା ପ୍ରୟାସ ଜାରି ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ବିଭିନ୍ନ ପ୍ରକାର କେନ୍ଦ୍ରୀୟ ଯୋଜନାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାକୁ ସେ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ଜନଆରୋଗ୍ୟ ଯୋଜନା ଅଧୀନସ୍ଥ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କାହିଁକି ଲାଗୁ ହୋଇନାହିଁ ସେ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରଠାରୁ ସାରା ଦେଶରେ ୬ ଲକ୍ଷ ରୋଗୀ ଉପକୃତ ହେଲେଣି । କିନ୍ତୁ ଏହି ​‌ଯୋଜନା ଲାଗୁ ନ ହେବାରୁ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହା ଯଦି ଓଡ଼ିଶାରେ ଲାଗୁ ହୋଇଥାନ୍ତା ତେବେ ଓଡ଼ିଶା ବାହାରେ କାମ କରୁଥିବା ଲୋକମାନେ ବାହାରେ ଥାଇ ଏହାର ଲାଭ ପାଇଥାଆନ୍ତେ । କିନ୍ତୁ ଦୁଃଖର କଥା ରାଜ୍ୟ ସରକାରଙ୍କର ନିଜର ଜିଦଖୋର ମୋନଭାବ ଯୋଗୁଁ ଓଡ଼ିଶାର ଜଣେ ହେଲେ ରୋଗୀ ଏହାର ଲାଭ ପାଇପାରୁ ନାହାନ୍ତି।

- Advertisement -

ଦିନିକିଆ ଓଡ଼ିଶା ଗସ୍ତରେ ଆସି ଅନେକ ଗୁଡିଏ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା ପରେ ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟସ୍ଥ ଗୋଶାଳାରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ସେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାର ବୀରମାଟି ଖୋର୍ଦ୍ଧା ତଥା ପାଇକ ବିଦ୍ରୋହର କେନ୍ଦ୍ରବିନ୍ଦୁ ବରୁଣେଇକୁ ପ୍ରଣାମ କରିଥିଲେ। ସାହସ,  ବୀରତ୍ୱ, ବଳିଦାନର ପବିତ୍ର ମାଟି ଖୋର୍ଦ୍ଧାର ବରୁଣେଇକୁ ଆସି ସେ ଧନ୍ୟ ହୋଯାଇଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଖୋର୍ଦ୍ଧା ମାଟିର ସମସ୍ତ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇଥିଲେ। ପାଇକ ବିଦ୍ରୋହର ୨୦୦ ବର୍ଷ ପୁର୍ତ୍ତି ଅବସରରେ ଭାରତ ସରକାର ଏକ ବିଶେଷ ଡାକ ଟିକେଟ୍‌ ଉନ୍ମଚିତ କରିଥିବା  ଶ୍ରୀ ମୋଦୀ କହିଥିଲେ। ଇତିହାସରେ ଯାହାକୁ ଭୁଲାଇ ଦିଆଯାଉଥିଲା ତାହାକୁ ଦେଶର ନୂତନ ପିଢ଼ୀଙ୍କୁ ମନେପକାଇ ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

ତେବେ ନିଜ ଭାଷଣ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ସମାଲୋଚନା କରିବା ସହିତ ପ୍ରଶ୍ନ କରିଛନ୍ତି। ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ବେ ଆଜି ଓଡ଼ିଶା ବିକାଶ କ୍ଷେତ୍ରରେ କାହିଁକି ପଛରେ ପଡ଼ିଛି ବୋଲି ଶ୍ରୀ ମୋଦୀ ପ୍ରଶ୍ନ ଉଠାଇଥିଲେ। ସେହପରି  ଓଡ଼ିଶାର ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବା, ସ୍ଵଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପଛରେ ପଡ଼ିବା, ଅନେକ ପ୍ରକାରର ଯୋଜନା ସତ୍ତ୍ବେ ଓଡ଼ିଶାର ଶିଶୁ କୁପୋଷଣର ଶିକାର ହେବା, ରାଜ୍ୟର ଚାଷୀଙ୍କୁ ଚାଷ ପାଇଁ ଆବଶ୍ୟକ ପରିମାଣର ପାଣି ନମିଳିବା, ଏଠାରେ ଶିକ୍ଷକମାନଙ୍କୁ ଉପଯୁକ୍ତ ଭାବେ ଦରମା ନ ମିଳିବା ଆଦିକୁ ନେଇ ଅନେକ ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି। ରାଜ୍ୟରେ ବ୍ୟାପକ ମାତ୍ରାରେ ଭ୍ରଷ୍ଟାଚାର ଚାଲିଛି ଏବଂ  ଶକ୍ତିଶାଳୀ ହୋଇଛି କହି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେହିପରି କୃଷକଙ୍କ ସମସ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ, ମୋଦୀ ସେଥିରେ ଆଉ ପାଦେ ଆଗକୁ ଯାଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ୱାମୀନାଥନ କମିଟି ରିପୋର୍ଟକୁ ଦୀର୍ଘ ଦିନ ଧରି କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ପକାଇ ରଖିଥିବା ଅଭିଯୋଗ କରିଛନ୍ତି। ତେବେ ବିଜେପି ନତୃତ୍ୱାଧୀନ ଏନଡିଏ ସରକାର ଏହାକୁ ଲାଗୁ କରିଛନ୍ତି। କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସ କରି ଚାଲିଛନ୍ତି । କୃଷକଙ୍କ ସର୍ବାଙ୍ଗିନ ଉନ୍ନତି ଓ ୨୦୨୨ ସୁଦ୍ଧା ସେମାନଙ୍କ ଆୟ ଦୁଇ ଗୁଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିଛନ୍ତି।  ଏସବୁ ସତ୍ତ୍ୱେ ଓଡ଼ିଶାର କୃଷକ ଆଜି ଅବହେଳିତ ଅବସ୍ଥାରେ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଠାରେ ଦୀର୍ଘ ଦିନ ଧରି ଶାସନରେ ରହିଥିବା ରାଜ୍ୟ ସରକାର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ କଥା ଦେଇ ଏପର୍ଯ୍ୟନ୍ତ ମାତ୍ର ୨୨ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା  କରିପାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଓଡ଼ିଶାର ବିକାଶ ପାଇଁ ଭାରତ ସରକାର ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେଉଛନ୍ତି। ସ୍ୱାସ୍ଥ୍ୟ ସେବା ପାଇଁ ୫ ଗୁଣା ଅଧିକ ଖର୍ଚ୍ଚ କରାଯାଉଛି। ୩୫ ଲକ୍ଷ ମହିଳାଙ୍କୁ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଛି। ରାଜ୍ୟରେ ୯୦ରୁ ଅଧିକ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ରାଜ୍ୟର ଯୁବକମାନଙ୍କୁ ୧୦୦ କୋଟିରୁ ଅଧିକ ଋଣ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨ ଲକ୍ଷ ଗୃହ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୮ ଲକ୍ଷ ପରିବାର ଉପକୃତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଆମର ଏକ ମାତ୍ର ଲକ୍ଷ୍ୟ । କୃଷକ, ମହିଳା, ଯୁବକ, ସମସ୍ତଙ୍କର ଉନ୍ନତି ପାଇଁ କେନ୍ଦ୍ର ସରକାର ସଦା ସର୍ବଦା ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ।  ଶେଷରେ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ସମାପ୍ତ କରିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories