www.samajalive.in
Monday, December 8, 2025
24.1 C
Bhubaneswar

କରୋନା ବିରୋଧରେ ବଡ଼ ଲଢ଼େଇ କରୁଛି ଦେଶ, ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ ରାଜ୍ୟ ସରକାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ପରୀପ୍ରେକ୍ଷିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନା ବିରୋଧରେ ବଡ଼ ଲଢ଼େଇ କରୁଛି ଦେଶ। କରୋନା ସହ ଆମକୁ ମଜଭୁତ ଭାବେ ଲଢ଼ିବାକୁ ହେବ। କରୋନାର ଦ୍ବିତୀୟ ଲହର ବାତ୍ୟା ପରି ମାଡ଼ି ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ଆମକୁ କୋଭିଡ୍‌ ନିୟମ ମାନିବାକୁ ପଡ଼ିବ। କଠିନରୁ କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ହରାଇବା ନାହିଁ। ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଇବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ ରାଜ୍ୟ ସରକାର। କୋଭିଡ୍‌ ଅନୁଶାସନକୁ ସମସ୍ତେ ପାଳନ କରନ୍ତୁ। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଗୁରୁତ୍ବ ଦିଆଯାଉ। ସମସ୍ତେ କଟକଣା ମାନିଲେ ଲକଡାଉନର ଆବଶ୍ୟକ ପଡ଼ିବନି। ଆମକୁ ଜୀବନ ସହ ଜୀବିକାକୁ ମଧ୍ୟ ଦେଖିବାକୁ ପଡ଼ିବ। ତେଣୁ ସମସ୍ତଙ୍କୁ ଲକଡାଉନକୁ ଦୂରେଇ ରଖିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ବାତ୍ୟା ପରି ମାଡ଼ି ଆସୁଛି। ଏହାଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହେଉଛି। କରୋନା ମହାମାରୀରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଏଭଳି ଏକ କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ନ ହରାଇ ଏକାଠି ଲଢ଼େଇ କରିବା। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶରେ ବର୍ତ୍ତମାନ ଅମ୍ଳଜାନର ଚାହିଦା ବଢ଼ିଛି। ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ଅଭିଯୋଗ ଆସିଛି। ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରଗୁଡ଼ିକ ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଦେଶର ସବୁ ଲୋକଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି। ରାଜ୍ୟରେ ନୂଆ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଔଷଧ ଉତ୍ପାଦନ ମଧ୍ୟ ବଢ଼ିଛି। ଜାନୁଆରୀ/ଫେବୃଆରୀ ତୁଳନାରେ ଏବେ ଦେଶରେ ଜରୁରୀ ଔଷଧର ଉତ୍ପାଦନ ବୃଦ୍ଧି ପାଉଛି। ଏ ସମ୍ପର୍କରେ ମୁଁ ଦେଶର ବଡ଼ବଡ଼ ଫାର୍ମା କମ୍ପାନୀ ସହ ମଧ୍ୟ କଥା ହୋଇଛି। ଆଗକୁ ଔଷଧ ଉତ୍ପାଦନ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଇଛି।
ଦେଶର ବିଭିନ୍ନ ସ୍ଥାନରେ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଉଛି। ଗତବର୍ଷ ଠାରୁ ଟିକା ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏବେ ବିଶ୍ୱର ସବୁଠାରୁ ପ୍ରଭାବୀ ଟିକା ଆମ ଦେଶରେ ଉତ୍ପାଦନ ହେଉଛି। ଭାରତରେ ସବୁଠୁ କମ୍‌ ଦାମରେ କରୋନା ଟିକା ଉପଲବ୍ଧ ହେଉଛି। ଦୁଇଟି ମେଡ୍‌ ଇନ୍‌ ଇଣ୍ଡିଆ ଟିକା ଦ୍ୱାରା ଭାରତରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

- Advertisement -


ଭାରତରେ ସବୁଠାରୁ କମ ସମୟରେ ପ୍ରଥମେ ୧୦ କୋଟି ପରେ ୧୧ କୋଟି ଓ ୧୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଅନ୍ୟ ବର୍ଗର ଲୋକଙ୍କୁ ଟିକା ନେଉଛନ୍ତି। ମେ’ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। ଭାରତରେ ଯେଉଁ ଟିକା ଉତ୍ପାଦନ ହେବ, ତା’ର ୫୦% ରାଜ୍ୟମାନଙ୍କୁ ଦିଆଯିବ। ପୂର୍ବଭଳି କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବେ। ସରକାରୀ କେନ୍ଦ୍ରଗୁଡ଼ିକରେ ସେମାନଙ୍କୁ ମାଗଣାରେ ଟିକା ମିଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମକୁ ଜୀବନ ରକ୍ଷା ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକମାନଙ୍କ ଟିକାକରଣ କରିବେ। ଶ୍ରମିକମାନେ ଯେଉଁଠି ରହୁଛନ୍ତି, ସେହିଠାରେ ହିଁ ରୁହନ୍ତୁ। ସେମାନଙ୍କୁ ସେହି ସ୍ଥାନରେ ହିଁ ଟିକା ଦିଆଯିବ। ରାଜ୍ୟ ସରକାରମାନେ ନିଜନିଜ ଅଞ୍ଚଳରେ କାମ କରୁଥିବା ବାହାର ପ୍ରଦେଶର ଶ୍ରମିକଙ୍କୁ ସମସ୍ତ ପ୍ରକାରର ସହଯୋଗ କରନ୍ତୁ। ସେମାନଙ୍କୁ ଶୀଘ୍ର ଟିକା ମିଳିବ ବୋଲି ପ୍ରତିଶ୍ରୁତି ଦିଅନ୍ତୁ। ଲୋକଙ୍କ ସେବା କରୁଥିବା ସଂଗଠନଗୁଡ଼ିକୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ସମସ୍ତେ ସହଯୋଗ କରିବାକୁ ଆଗକୁ ଆସନ୍ତୁ। ଯୁବଗୋଷ୍ଠୀ ଛୋଟଛୋଟ କମିଟି କରି କରୋନା କଟକଣା ମାନିବାକୁ ଲୋକଙ୍କୁ କୁହନ୍ତୁ। ଏହାଦ୍ୱାରା ସରକାରଙ୍କୁ କୌଣସି କଣ୍ଟେନମେଣ୍ଟ ଜୋନ କରିବାର ଆବଶ୍ୟକ ପଡ଼ିବ ନାହିଁ। ଛୋଟ ପିଲାମାନେ ସ୍ୱଚ୍ଛତା ଅଭିଯାନ ବେଳେ ଲୋକଙ୍କୁ ସଚେତନ କରିଥିଲେ। ଏବେ ସେମାନେ ଆଗକୁ ଆସି ନିଜ ଆଖପାଖ ଅଞ୍ଚଳର ଲୋକଙ୍କୁ ସଚେତନ କରନ୍ତୁ। ଯୁବଗୋଷ୍ଠୀଙ୍କ ସହଯୋଗ ମିଳିଲେ, ଆଉ ଦେଶରେ ଲକଡାଉନ କରିବାକୁ ପଡ଼ିବ ନାହିଁ ବୋଲି ମୋଦି କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories