ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି ଯେ ସଂକ୍ରାମକ ବ୍ୟାଧି (ସଂଶୋଧନ) ଅଧ୍ୟାଦେଶ, ୨୦୨୦ କରୋନା ସଂକ୍ରମଣକୁ ସାମ୍ନା କରୁଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସୁରକ୍ଷା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ସେ କହିଛନ୍ତି ଯେ ଯେଉଁମାନେ ଆଗ ଧାଡିରେ ରହି କୋଭିଡ-୧୯ର ମୁକାବିଲା କରୁଛନ୍ତି ସେହି ଚିକିତ୍ସକ, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ସଂକ୍ରାମକ ବ୍ୟାଧି (ସଂଶୋଧନ) ଅଧ୍ୟାଦେଶ, ୨୦୨୦ ଉଦ୍ଦିଷ୍ଟ ଯାହା ସରକାରଙ୍କ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପ୍ରତି ରହିଥିବା ସରକାରଙ୍କ ଉତ୍ତରଦାୟିତ୍ୱକୁ ପ୍ରମାଣିତ କରୁଛି। ମୋଦୀ ଟ୍ୱିଟ କରି କହିଛନ୍ତି ଯେ ସେମାନଙ୍କ ସୁରକ୍ଷା ନେଇ କୌଣସି ବୁଝାମଣା କରାଯିବ ନାହିଁ।
ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ବୁଧବାର ଏକ ଅଧ୍ୟାଦେଶ ଜାରି କରିଛନ୍ତି ଯେଉଁଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଏକ ଜାମିନ ବିହୀନ ମାମଲା ଭାବରେ ବିଚାର କରାଯିବ। ଏ ନେଇ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଆମେ ଏକ ଅଧ୍ୟାଦେଶକୁ ଅନୁମୋଦନ କରିଛୁ ଯେଉଁଥିରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ କୌଣସି ଆକ୍ରମଣକୁ ଜାମିନହୀନ ଅପରାଧ ଭାବେ ବିବେଚନା କରାଯିବ। ଏଭଳି ମାମଲାରେ ଅଭିଯୁକ୍ତଙ୍କୁ ୬ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯିବାକୁ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଦୋଷୀଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବା ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ କହିଛନ୍ତି।
ଜାଭଡେକର କହିଛନ୍ତି, ଏଭଳି ଅପରାଧର ୩୦ ଦିନ ମଧ୍ୟରେ ତଦନ୍ତ କରାଯିବ। ଅଭିଯୁକ୍ତଙ୍କୁ ତିନିମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇପାରିବ ଏବଂ ୫୦ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାଣରେ ଦଣ୍ଡିତ କରାଯାଇପାରିବ। ଯଦି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଯାନବାହାନ କିମ୍ବା କ୍ଲିନିକରେ କ୍ଷୟକ୍ଷତି ହୁଏ, ତେବେ କ୍ଷତିଗ୍ରସ୍ତ ସମ୍ପତ୍ତିର ବଜାର ମୂଲ୍ୟର ଦୁଇଗୁଣ କ୍ଷତିପୂରଣ ଅଭିଯୁକ୍ତଙ୍କଠାରୁ ନିଆଯିବ ବୋଲି ଜାଭଡେକର କହିଛନ୍ତି।



