-ଓଡ଼ିଶାରେ ଉଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୩୬ ଲକ୍ଷରେ ପହଞ୍ଚିଲା,-ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତି ଘରକୁ ସ୍ୱଚ୍ଛ ଇନ୍ଧନ: ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଓଡ଼ିଶାର ମାତ୍ର ୭ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମିଳିବା ଘଟଣା ଦୁଃଖଦାୟକ ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି। ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ବାବଦରେ ମିଳିଥିବା ୭୦ କୋଟିର କେନ୍ଦ୍ରୀୟ ଅନୁଦାନ ଅଦ୍ୟାବଧି ଖର୍ଚ୍ଚ ନହୋଇ ପଡ଼ି ରହିଛି। ଏହି ଯୋଜନାରେ ପ୍ରତି ଗର୍ଭବତୀ ମହିଳାଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ପାଇଁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି। ସେହିପରି ମୋବାଇଲ ଫୋନ ମାଧ୍ୟମରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଯୋଜନା ଲାଗୁ କରାଯିବ। ଏହି ଯୋଜନା ପ୍ରତି ଓଡ଼ିଶା ସରକାରଙ୍କ ଅନାଗ୍ରହ ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଆଶ୍ଚର୍ଯପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଦର୍ଶାଇଛନ୍ତି ଯେ ମୋବାଇଲ ଫୋନର ଏକ ନିର୍ଦ୍ଧିଷ୍ଟ ବଟନ ଟିପିଲେ ପୀଡ଼ିତା ମହିଳାଙ୍କ ଭୌଗଳିକ ଅବସ୍ଥିତି ବିଷୟରେ ପୁଲିସକୁ ତୁରନ୍ତ ସୂଚନା ମିଳିଯିବ। ଏହାଦ୍ୱାରା ଓଡ଼ିଶାର ମହିଳା ମାନେ ରାତି ଅଧରେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିପାରିବେ। ନାଗାଲାଣ୍ଡ ସମେତ ଦେଶର ଆଠଟି ରାଜ୍ୟ ମହିଳାଙ୍କ ସୁରକ୍ଷା ସଂପର୍କିତ ଏହି ଯୋଜନାରେ ସାମିଲ ପାଇଁ ସ୍ୱିକୃତୀ ଦେଇସାରିଛନ୍ତି ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ସୂଚନା ଦେଇଥିଲେ। ଦେଶରେ ମହିଳାଙ୍କୁ ସମ୍ମାନ ଓ ଅଧିକାର ଦେବା ପାଇଁ ବେଟି ପଢ଼ାଅ ବେଟି ବଚାଅ ଅଭିଯାନ, ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ, ଉଜ୍ୱଳା ଯୋଜନାରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ରୋଷେଇ ସୁବିଧା, ଏକୁଟିଆ ମହିଳାଙ୍କ ସମ୍ମାନ ପାଇଁ ଦେଶରେ ୩୫୦ଟି ସଖୀ କେନ୍ଦ୍ର ସ୍ଥାପନ, ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗର ବିଚାର ପାଇଁ କମିଟି ଗଠନ ସୁନିଶ୍ଚିତ କରାଇବା, ଚାକିରିଆ ଗର୍ଭବତୀ ମହିଳାଙ୍କୁ ଦରମା ପ୍ରାପ୍ୟ ସହ ୨୬ ସପ୍ତାହ ଛୁଟି ସୁନିଶ୍ଚିତ କରାଇବା ଆଦି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ମହିଳାଙ୍କ ପ୍ରତି ଦାୟିତ୍ୱବୋଧକୁ ସ୍ପଷ୍ଟ କରୁଛି। ବିଗତ ୪୦ ବର୍ଷ ଧରି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ଘଟିନଥିବା ବେଳେ ମାସିକ ୧.୫ହଜାର ଟଙ୍କା ଭତ୍ତା ବୃଦ୍ଧି, ୧୦ ବର୍ଷ କାମ କରିଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ପଦୋନ୍ନତି ସୁବିଧା ଓ ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀଙ୍କୁ ୟୁନିଫର୍ମ ସୁବିଧା ଏନଡିଏ ଶାସନକାଳରେ ମିଳିଛି। ଏକଦା କାଠ ଓ ଗୋବର ଚୁଲିରେ ରୋଷେଇ କରୁଥିବା ଦେଶର ଗ୍ରାମୀଣ ଓ ଗରିବ ମହିଳାଙ୍କୁ ଉଜ୍ୱଳା ଯୋଜନା ସ୍ୱାସ୍ଥ୍ୟ ଓ ସୁସ୍ଥ ଅର୍ଥନୀତି ଦେଇ ପାରିଛି ବୋଲି ଓଡ଼ିଶା ଉଜ୍ୱଳା ସ୍ୱାଭିମାନ ଉତ୍ସବରେ ଯୋଗଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ କହିଥିଲେ।
ରାଜ୍ୟର ୩୦ଟି ଜିଲାର ୩୦ଟି ସ୍ଥାନରେ ଉପସ୍ଥିତ ପ୍ରାୟ ୬୦ ହଜାର ମହିଳାଙ୍କୁ ଭିଡିଓ କନଫରେସିଂ ଯୋଗେ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଉଜ୍ୱଳା ଯୋଜନାରେ ରାଜ୍ୟରେ ହିତାଧିକାରୀ ସଂଖ୍ୟା ଏବେ ୩୬ ଲକ୍ଷରେ ପହଞ୍ଚିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ଘରେ ସ୍ୱଚ୍ଛ ଇନ୍ଧନ ପହଞ୍ଚଇବା ନେଇ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି।



