• କୋଭିଡ ପ୍ରଭାବିତ ଶିଶୁଙ୍କୁ ସହାୟତା ଓ ସଶକ୍ତିକରଣ ପାଇଁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ-କୋଭିଡ ପ୍ରଭାବିତ ଶିଶୁଙ୍କ ସଶକ୍ତିକରଣ’ ଯୋଜନାର ଶୁଭାରମ୍ଭ
• କୋଭିଡ୍ କାରଣରୁ ନିଜ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ସହିତ ଅଛନ୍ତି ସରକାର
• ପିଏମ କେୟାର୍ସରୁ ଏପରି ପିଲାମାନଙ୍କୁ ୧୮ ବର୍ଷ ହେବା ପରେ ମିଳିବ ମାସିକ ଷ୍ଟାଇପେଣ୍ଡ ଏବଂ ୨୩ ବର୍ଷ ହେବା ପରେ ମିଳିବ ୧୦ ଲକ୍ଷ ଟଙ୍କାର ପାଣ୍ଠି
• କୋଭିଡରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ସୁନିଶ୍ଚିତ ମାଗଣା ଶିକ୍ଷା
• ଉଚ୍ଚ ଶିକ୍ଷା ପାଇଁ ଏପରି ପିଲାଙ୍କୁ ମିଳିବ ଶିକ୍ଷା ଋଣ ସହାୟତା : ପିଏମ କେୟାର୍ସ ପାଣ୍ଠିରୁ ଦିଆଯିବ ଋଣ ପାଇଁ ସୁଧ
• ୧୮ ବର୍ଷ ପର୍ୟ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପାଇବେ ଶିଶୁ ଏବଂ ଏଥିପାଇଁ ପିଏମ କେୟାର୍ସ ପାଣ୍ଠିରୁ ଯୋଗାଇ ଦିଆଯିବ ପ୍ରିମିୟମ
• ଶିଶୁମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କୁ ସହାୟତା ଓ ସୁରକ୍ଷା ଦେବାକୁ ଆମେ ସବୁ କିଛି କରିବୁ : ପ୍ରଧାନମନ୍ତ୍ରୀ
• ଏକ ସମାଜ ଭାବେ, ଆମ ପିଲାମାନଙ୍କର ଯତ୍ନ ନେବା ଓ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଆଶା ଜାଗ୍ରତ କରିବା ଆମର କର୍ତ୍ତବ୍ୟ
ନୂଆଦିଲ୍ଲୀ: ମହାମାରୀ କରୋନା ଅନେକଙ୍କୁ ଅନାଥ କରିଦେଇଛି। ସେହିପରି କେହି ବାପାଙ୍କୁ ହରାଇଥିବା ବେଳେ କିଏ ମା’ଙ୍କୁ ହରାଇଛନ୍ତି। କରୋନାରେ ବାପା ମା’ଙ୍କ ହରାଇଥିବା ନାବାଳକ ଓ ନାବାଳିକାଙ୍କ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଲାମାନେ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ପାଇଁ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି।
ମହାମାରୀ କରୋନାରେ ଅନାଥ ହୋଇଯାଇଥିବା ଶିଶୁଙ୍କ ପାଇଁ ଆଜି କେନ୍ଦ୍ର ସରକାର ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡରୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ଘୋଷଣା ହୋଇଛି। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨୩ ବର୍ଷ ବୟସ ହେଲେ ଏକସଙ୍ଗେ ୧୦ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଲାଙ୍କ ପାଇଁ ପିଏମ୍ କେୟାର୍ସ ନାମରେ ଯୋଜନା ଆରମ୍ଭ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ କରୋନା ଅନାଥଙ୍କୁ ଚିହ୍ନଟ କରି ସହାୟତା ଦେବା ଲାଗି ସୁପ୍ରିମ କୋର୍ଟ ଗତକାଲି ନିର୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ଖଣ୍ଡପୀଠ।
କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକକାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ସହ ମାସିକ ଭତ୍ତା କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ମୋଦୀ ସରକାରକୁ ୭ ବର୍ଷ ପୂରଣ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଘୋଷଣା ଅନୁଯାୟୀ କରୋନା ମହାମାରୀରେ ପିତା ଓ ମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସିକ ଭତ୍ତା ପ୍ରଦାନ କରାଯିବ। ‘ପିଏମ୍ କେୟାର୍ସ ଫର ଚିଲଡ୍ରେନ’ ସୌଜନ୍ୟରେ କୋଭିଡ ପ୍ରଭାବିତ ପିଲାଙ୍କୁ ସମର୍ଥନ ଓ ସେମାନଙ୍କ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଉଛି। ଯେଉଁ ପିଲାମାନେ କୋଭିଡରେ ଅନାଥ ହୋଇଛନ୍ତି ସେମାନଙ୍କୁ ୧୮ ବର୍ଷ ପର୍ୟ୍ୟନ୍ତ ମାସିକ ଭତ୍ତା ଓ ୨୩ ବର୍ଷରେ ପିଏମ୍ କେୟାର୍ସ ଫଣ୍ଡରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଏହା ସହ କରୋନା ମହାମାରୀରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା, ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଋଣ ଯୋଗାଇ ଦିଆଯିବ ଓ ଏହି ଶିକ୍ଷାଋଣର ସୁଧ ପିଏମ୍ କେୟାର୍ସ ଫଣ୍ଡରୁ ଭରଣା କରାଯିବ। ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାରେ ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ, ଯାହାର ପ୍ରିମିୟମ ପିଏମ୍ କେୟାର୍ସ ଫଣ୍ଡରୁ ଭରଣା କରାଯିବ।

କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା ଓ ବିଚାରବିମର୍ଶ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର କୋଭିଡ ମହାମାରୀର ପ୍ରଭାବିତ ହୋଇଥିବା ପିଲାମାନଙ୍କର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ଲାଭଜନକ ସହାୟତା ଘୋଷଣା କରିଛନ୍ତି। ଏହି ସବୁ ସହାୟତା ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦେଶ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ସେମାନେ ଦୃଢ଼ ନାଗରିକ ଭାବେ ବିକଶିତ ହୋଇପାରିବେ ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସଂଘର୍ଷପୂର୍ଣ୍ଣ ମୁହୂର୍ତ୍ତରେ, ଏକ ସମାଜ ଭାବେ, ଆମର କର୍ତ୍ତବ୍ୟ ହେଉଛି ଆମର ପିଲାମାନଙ୍କର ଯତ୍ନ ନେବା ଓ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଆଶା ଜାଗ୍ରତ କରିବା। ଉଭୟ ମାତାପିତା କିମ୍ବା ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକ କିମ୍ବା ଆଇନଗତ ଅଭିଭାବକ/ପୋଷ୍ୟ ମାତାପିତାଙ୍କୁ କୋଭିଡ ୧୯ କାରଣରୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ’ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ସେ ମଧ୍ୟ କହିଥିଲେ ଯେ ପିଏମ କେୟାର୍ସ ପାଣ୍ଠିକୁ ଉଦାର ଯୋଗଦାନ କାରଣରୁ ଏହି ସବୁ ପଦକ୍ଷେପ ଘୋଷଣା କରାଯାଇଛି। ଏହା କୋଭିଡ-୧୯ ବିରୋଧରେ ଭାରତର ଲଢ଼େଇକୁ ସମର୍ଥନ କରିବ।
Supporting our nation’s future!
Several children lost their parents due to COVID-19. The Government will care for these children, ensure a life of dignity & opportunity for them. PM-CARES for Children will ensure education & other assistance to children. https://t.co/V3LsG3wcus
— Narendra Modi (@narendramodi) May 29, 2021
ଶିଶୁ ନାମରେ ସ୍ଥାୟୀ ଜମା :ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଏହି ଯୋଜନାରେ ପ୍ରତ୍ୟେକ ଶିଶୁ ୧୮ ବର୍ଷ ବୟସରେ ଉପନୀତ ହେବା ପରେ ପିଏମ କେୟାର୍ସ ପାଣ୍ଠିରୁ ତାଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଏକ କର୍ପସ ପାଣ୍ଠି ସୃଷ୍ଟି କରାଯିବ। ଏହି କପର୍ସ ପାଣ୍ଠି ୧୮ ବର୍ଷ ବୟସରେ ଉପନୀତ ହେବା ପରେ ମାସିକ ଆର୍ଥିକ ସହାୟତା/ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବା କ୍ଷେତ୍ରରେ ବିନିଯୋଗ କରାଯିବ। ପରବର୍ତ୍ତ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ମିଳିବାକୁ ଥିବା ଏହି ସହାୟତାରେ ଉଚ୍ଚ ଶିକ୍ଷା ଅବଧି ସମୟରେ ତାଙ୍କର ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରାଯାଇପାରିବ ଏବଂ ୨୩ ବର୍ଷ ବୟସରେ ପହଞ୍ଚିବା ପରେ, ସେ ବ୍ୟକ୍ତିଗତ ଓ ପେସାଦାର ଉପଯୋଗ ଲାଗି ଏକକାଳୀନ ଅର୍ଥରାଶି ପାଇପାରିବେ।
ବିଦ୍ୟାଳୟ ଶିକ୍ଷା : ୧୦ବର୍ଷରୁ କମ ପିଲାଙ୍କ ପାଇଁ ଦିବସ ବିଦ୍ୟାର୍ଥୀ (ଡେ ସ୍କଲାର) ଭାବେ ଶିଶୁଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଏକ ଘରୋଇ ବିଦ୍ୟାଳୟରେ ନାମ ଲେଖାଯିବ। ଯଦି ପିଲା ଜଣଙ୍କ ପୂର୍ବରୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି, ତା’ହେଲେ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସ୍କୁଲ ଫି’ ପଇଠ କରାଯିବ। ୟୁନିଫର୍ମ, ପାଠ୍ୟପୁସ୍ତକ ଓ ନୋଟବୁକ୍ ପାଇଁ ଅର୍ଥ ମଧ୍ୟ ପିଏମ କେୟାର୍ସରୁ ଦିଆଯିବ।
ବିଦ୍ୟାଳୟ ଶିକ୍ଷା : ୧୧-୧୮ ବର୍ଷର ପିଲାଙ୍କ ପାଇଁ ପିଲାଙ୍କୁ ନିକଟରେ ଥିବା ସୈନିକ ସ୍କୁଲ, ନବୋଦୟ ବିଦ୍ୟାଳୟ ଭଳି କୌଣସି କେନ୍ଦ୍ରୀୟ ସରକାରୀ ଆବାସିକ ବିଦ୍ୟାଳୟରେ ନାମ ଲେଖାଇ ଦିଆଯିବ।
ଯଦି ପିଲା ଜଣକ ଅଭିଭାବକ/ଜେଜେବାପାଜେଜେମା/ବର୍ଦ୍ଧିତ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଯତ୍ନରେ ରହିବାକୁ ଚାହୁଁଥାନ୍ତି ତା’ହେଲେ ତାଙ୍କୁ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଘରୋଇ ବିଦ୍ୟାଳୟରେ ଦିବସ ବିଦ୍ୟାର୍ଥୀ ଭାବେ ନାମ ଲେଖାଇ ଦିଆଯିବ। ଏଥିପାଇଁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସ୍କୁଲ ଫି’ ପଇଠ କରାଯିବ। ୟୁନିଫର୍ମ, ପାଠ୍ୟପୁସ୍ତକ ଓ ନୋଟବୁକ୍ ପାଇଁ ଅର୍ଥ ମଧ୍ୟ ପିଏମ କେୟାର୍ସରୁ ଦିଆଯିବ।
ଉଚ୍ଚ ଶିକ୍ଷା ପାଇଁ ସହାୟତା :
ପ୍ରଚଳିତ ଶିକ୍ଷା ଋଣ ସର୍ତ୍ତାବଳୀ ଅନୁଯାୟୀ ପିଲାମାନଙ୍କୁ ଭାରତରେ ପେସାଦାର ପାଠ୍ୟକ୍ରମ/ଉଚ୍ଚ ଶିକ୍ଷା ନିମନ୍ତେ ଶିକ୍ଷା ଋଣ ଯୋଗାଇ ଦିଆଯିବ। ଏହି ଋଣର ସୁଧ ପିଏମ କେୟାର୍ସରୁ ପଇଠ କରାଯିବ। ଏକ ବିକଳ୍ପ ଭାବେ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଏପରି ପିଲାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସ୍ନାତକ/ଧନ୍ଦାମୂଳକ ଶିକ୍ଷା ପାଇଁ ଟ୍ୟୁସନ ଫି’/କୋର୍ସ ଫି’ ସହ ସମାନ ଶିକ୍ଷା ବୃତ୍ତି ଯୋଗାଇ ଦିଆଯିବ। ଯେଉଁ ପିଲାମାନେ ବର୍ତ୍ତମାନର ବୃତ୍ତି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ, ପିଏମ କେୟାର୍ସ ପାଣ୍ଠିରୁ ଏହା ସହ ସମାନ ବୃତ୍ତି ଯୋଗାଇ ଦିଆଯିବ।
ସ୍ବାସ୍ଥ୍ୟ ବୀମା
ସବୁ ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା (ପିଏମ-ଜେଏଓ୍ବାଇ)ର ହିତାଧିକାରୀ ଭାବେ ପଞ୍ଜୀକରଣ କରାଯିବ ଓ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ଏପରି ପିଲାମାନଙ୍କ ବୀମାର ପ୍ରିମିୟମ ରାଶି ୧୮ ବର୍ଷର ଆୟୁ ପର୍ୟ୍ୟନ୍ତ ପିଏମ କେୟାର୍ସ ପାଣ୍ଠିରୁ ଯୋଗାଇ ଦିଆଯିବ।



