ବଲାଙ୍ଗିର : ବଲାଙ୍ଗିର ଜିଲାରେ ଗତ କିଛି ବର୍ଷ ହେଲା ବେଆଇନ୍ କଫ୍ ସିରପ କାରବାର ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ବଲାଙ୍ଗିରର କଫ୍ ସିରପ ମାଫିଆମାନେ ଜେଲରେ ଥିବା ବେଳେ ଜିଲାର ସୀମାନ୍ତ ତୁରେକେଲା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ବିପୁଳ ପରିମାଣର କଫ୍ ସିରପ୍ ଜବତ ହେବା ତାଜୁବ କରିଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ରାଜ୍ୟ ବାହାରର ପଞ୍ଜୀକୃତ ହୋଇଥିବା ଏକ ଟ୍ରକକୁ ଜବତ କରିଛି। ତେବେ ଏତେ ପରିମାଣର କଫ୍ ସିରପ କେଉଁଠିକୁ ଚାଲାଣ ହେଉଥିଲା ଓ ଏହି କାରବାର ପଛରେ ସର୍ଦ୍ଦାର କିଏ ତାହା ଖୋଳତାଡ କରୁଛି ପୁଲିସ।
ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା କଲେଜ ନିକଟରେ ବିପୁଳ ପରିମାଣର କଫ୍ ସିରପ ରହିଥିବା ପୁଲିସ ପେଟ୍ରୋଲିଂ କରୁଥିବା ଡି.ଡୁଙ୍ଗଡୁଙ୍ଗ ସୂଚନା ପାଇଥିଲେ। ସଦଳବଳ ଶ୍ରୀ ଡୁଙ୍ଗଡୁଙ୍ଗ ଓ କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ଶୁକ୍ରବାର ରାତିରେ କଲେଜ ନିକଟରେ ଚଢଉ କରାଯାଇଥିଲା। କର୍ଣ୍ଣାଟକ ନମ୍ବର ଥିବା ଏକ ଟ୍ରକ ତଲାସି କରିବା ବେଳେ ୧୪ ହଜାର ୪ଶହ ବୋତଲ(ଶହେ ଏମ୍ଏଲ୍) ବୋତଲ କଫ୍ ସିରପ ସହ ଟ୍ରକକୁ ଜବତ କରିଥିଲେ। ଏଥିସହିତ ନିଶା ବଟିକା ସହ ୧୩ ହଜାର ୫ଶହ ଟଙ୍କା, ୩ଟି ମୋବାଇଲ୍ ଜବତ କରିଥିଲେ। ବେଆଇନ୍ ଭାବେ କଫ ସିରପ ଚୋରା ଚାଲାଣ କାରବାରରେ ଗିରଫ ୨ଜଣ ଅଭିଯୁକ୍ତ ହେଲେ ନୂଆପଡ଼ା ଜିଲା ଉଦ୍ୟାନବନ୍ଧର ନରେଶ କୁମାର ଅହିର(୨୬) ଓ କର୍ଣ୍ଣାଟକ ରାଜ୍ୟ ମାଣ୍ଡ୍ୟା ଜିଲା ଚୁଞ୍ଚାନାହାଲି ପ୍ଲାୟାର ଗୁରୁ ରାଜ(୨୫) ବୋଲି ଜଣାପଡିଛି। ଏନେଇ ଶନିବାର ବଲାଙ୍ଗିର ଜିଲା ପୁଲିସ ମୁଖ୍ୟାଳୟରେ ଏସ୍ପି ନୀତିନ କୁଶଲକର ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି।
ଜିଲାର ସବୁଠାରୁ ବଡ କଫ୍ ସିରପ କାରବାର ତୁରେକେଲା ପୁଲିସ ଠାବ କରିଥିବା ବେଳେ ଏହା ପୂର୍ବରୁ ଟାଉନ୍ ଥାନା ପୁଲିସ ଗୋଡେଇ ଗୋଡେଇ ନିଶା ମାଫିଆ ଦଳକୁ ଗିରଫ କରିଥିଲେ। ପ୍ରାୟ ୫ହଜାର ବୋତଲ କଫ୍ ସିରଫ ଜବତ କରାଯାଇଥିଲା। ଏହି କାରବାରରେ ସାମିଲ ଥିବା କୁଖ୍ୟାତ ନିଶା ମାଫିଆଙ୍କ ସହ ୫ ଜଣଙ୍କୁ ୨ ବର୍ଷ ତଳେ ଗିରଫ କରାଯାଇଥିଲା। ନିକଟରେ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପାଖରେ ଖପ୍ରାଖୋଲ ପୁଲିସ ମଧ୍ୟ ବଡ ଧରଣର କଫ୍ ସିରପ କାରବାର ଧରିଥିବା ବେଳେ ୧୪ହଜାର ୪ଶହ ବୋତଲ କଫସିରପ(୯୦ ପେଟି) କେଉଁଠିକୁ ଚାଲାଣ ହେଉଥିଲା ଓ ଏହା ପଛରେ କିଏ ରହିଛି ତାହା ଖୋଳତାଡ ଚାଲିଛି। ସେମାନେ ବ୍ୟବହା କରୁଥିବା ମୋବାଇଲ୍କୁ କେଉଁଠି କଲ୍ ଆସିଥିଲା ଓ ସେମାନେ କାହାକୁ ଯୋଗାଯୋଗ କରିଥିଲେ ତାର ତଥ୍ୟ ନିଆଯାଇଛି। ସେହି ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି ଶ୍ରୀ କୁଶଲକର କହିଛନ୍ତି।



