ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି
ପିପିଲିରେ ମୂର୍ତ୍ତିଚୋରଙ୍କ ଦୌରାତ୍ମ୍ୟ, ୨୦ଦିନ ବ୍ୟବଧାନରେ ଦ୍ୱିତୀୟ ମନ୍ଦିର ଚୋରି ଘଟଣା, ବାହାରେ ଜଗିଛି ପୁଲିସ, ମନ୍ଦିର ଭିତରୁ ଚୋରି
ପିପିଲି : ପିପିଲି ନିକଟବର୍ତ୍ତୀ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତ୍ରିରେ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି । ମନ୍ଦିର ବାହାରେ ଦୁଇଜଣ ପୁଲିସ କର୍ମଚାରୀ ରାତ୍ର ପ୍ରହରା ଦେଇ ମନ୍ଦିରକୁ ଜଗି ରହିଥିବା ବେଳେ ମନ୍ଦିର ଭିତରୁ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଛି। ଏହାକୁ ନେଇ ନୂଆଶାସନ ସମେତ ସମଗ୍ର ପିପିଲି ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ସବୁଠାରୁ ବଡ କଥା ହେଲା ନିକଟବର୍ତ୍ତି ରାଜତେଇ ଗ୍ରାମର ପ୍ରାଚୀନ ଶୈବପୀଠ ପ୍ରଭୁ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ମନ୍ଦିରରୁ ଗତମାସ ୧୨ତାରିଖ ରାତିରେ ୧୦ଟି ମୂର୍ତ୍ତି ଚୋରି ହେବା ଘଟଣାର ମାତ୍ର ୨୦ ଦିନ ବ୍ୟବଧାନ ମଧ୍ୟରେ ଏହା ପିପିଲି ଅଞ୍ଚଳର ଦ୍ୱିତୀୟ ମନ୍ଦିର ଚୋରି ଘଟଣା। ଲୋକେ ଏଥିପାଇଁ ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।
ସୂଚନା ଅନୁଯାଇ, ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରେ ଗୁରୁବାର ରାତିରେ ଠାକୁରଙ୍କ ନୀତିକାନ୍ତି ସଂପନ୍ନ ହେବାପରେ ମନ୍ଦିରକୁ ତାଲା ପକାଇ ପୂଜକ ଓ ସେବାୟତ ଘରକୁ ଯାଇଥିଲେ । ମନ୍ଦିର ଚୋରି ଘଟଣାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ମନ୍ଦିର ଓ ଧାର୍ମିକ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ବେଳେ ପ୍ରଭୁ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରକୁ ଜଗିବା ପାଇଁ ୨ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ମନ୍ଦିର ବାହାରେ ରାତ୍ର ପ୍ରହରା ଦେଇଥିଲେ। ଶୁକ୍ରବାର ସକାଳ ସାଢେ ୫ଟାରେ ମନ୍ଦିରର ପୂଜାପଣ୍ଡା ଲକ୍ଷ୍ମୀକାନ୍ତ ପଣ୍ଡା ଠାକୁରଙ୍କ ଦୈନଦିନ ନୀତି ନିମନ୍ତେ ମନ୍ଦିରକୁ ଆସିଥିବା ବେଳେ ମୁଖ୍ୟ ମନ୍ଦିର ଦ୍ୱାରର ୫ଟି ତାଲା ସମେତ ମନ୍ଦିରର ରୋଷଘର ନିକଟରେ ପ୍ରାଚୀରରେ ଥିବା ଉତ୍ତର ଦ୍ୱାରର ତାଲା ଭଙ୍ଗା ଯାଇଥିବା ଓ ଦ୍ୱାରଗୁଡିକ ଖୋଲାଥିବା ଦେଖିବାକୁ ପାଇଥିଲେ । ମନ୍ଦିର ମଧ୍ୟରେ ଥିବା ଠାକୁରଙ୍କ ଦେଢଫୁଟ ଉଚ୍ଚତାର ଚଳନ୍ତି ପ୍ରତିମା ଶ୍ରୀବାସୁଦେବଙ୍କ ମୂର୍ତ୍ତି, ଏକ ଫୁଟ୍ ଉଚ୍ଚତାର ଶ୍ରୀଚନ୍ଦ୍ରଶେଖର, ଶ୍ରୀହରଦୁର୍ଗା, ମା’ ପାର୍ବତୀ, ଶେଷଦେବଙ୍କ ସମେତ ଚଣ୍ଡି ଚାମୁଣ୍ଡାଙ୍କୁ ମିଶାଇ ୧୫ଟି ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିବାର ସେ ଦେଖିବାକୁ ପାଇଥିଲେ। ଏହା ସହିତ ଠାକୁରଙ୍କ ରୂପା କିରଟି, ଖଡୁ ଆଦି ଚୋରି ହୋଇଥିବା ବେଳେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ ଭଙ୍ଗା ହୋଇ ପଡିଥିବା ଓ ତାମଧ୍ୟରୁ ଟଙ୍କା ଚୋରି ହୋଇଥିବାର ସେ ଦେଖିବାକୁ ପାଇଥିଲେ। ଏହି ଘଟଣା ସଂପର୍କରେ ସମଗ୍ର ଅଞ୍ଚଳରେ ପ୍ରଚାର ହୋଇଯିବା ପରେ ନୂଆଶାସନ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ସେଠାରେ ଜମିଥିଲା। ମନ୍ଦିର ବାହାରେ ତଥା ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ପୁଲିସ କର୍ମଚାରୀ ରାତିରେ ମନ୍ଦିରକୁ ଜଗି ରହିଥିବା ବେଳେ ମନ୍ଦିର ଭିତରୁ ଏତେ ବଡ ଚୋରି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଉତ୍ତର ଦିଗରେ ମନ୍ଦିର ପ୍ରାଚୀରରେ ଥିବା ଲୁହା ଗେଟ୍ର ତାଲାକୁ ଭାଙ୍ଗି ଦୁର୍ବୁତ୍ତମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ଏହି ଚୋରି କରିଥିବା ଅନୁମାନ କରାଯାଉଛି। ପୁଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଏଥିପାଇଁ ଲୋକେ ଦାୟୀ କରିଛନ୍ତି। ଏହି ଘଟଣାକୁ ନେଇ ଠାକୁରଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ନୂଆଶାସନ ଗ୍ରାମବାସୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗ୍ରାମବାସୀମାନେ ଏସଂପର୍କରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, ଏସ୍ଆଇ ସନ୍ଦୀପ ଦାସ, ଏଏସ୍ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ। ସେଠାରେ ପଡିଥିବା ଭଙ୍ଗାତାଲାକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୂର୍ତ୍ତିଚୋରଙ୍କୁ ଧରିବା ସହ ଚୋରି ହୋଇଥିବା ମୂର୍ତ୍ତି ଗୁଡିକୁ ଉଦ୍ଧାର କରିବାକୁ ଗ୍ରାମବାସୀମାନେ ପୁଲିସ ନିକଟରେ ଦାବି କରିଛନ୍ତି।
ଏଠାରେ ସୂଚନା ଥାଉକି, ଗତ ମଇ ମାସ ୧୨ ତାରିଖ ଗୁରୁବାର ରାତିରେ ନିକଟବର୍ତ୍ତି ରାଜତେଇ ଗ୍ରାମର ପ୍ରାଚୀନ ଶୈବପୀଠ ପ୍ରଭୁ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ମନ୍ଦିରରୁ ୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଓ ୫ଟି ପିତଳ ମୂର୍ତ୍ତି ଚୋରି ହୋଇଥିଲା । ସେହିପରି ଗତ ଡିସେମ୍ବର ୨୫ ତାରିଖ ରାତିରେ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପରିସରରେ ଥିବା ୫ଟି ଦାନବାକ୍ସରୁ ଟଙ୍କା ସମେତ ଠାକୁରଙ୍କ ଏକ ରୂପାବଂଶୀକୁ ଦୁର୍ବୁତ୍ତ ମାନେ ଚୋରି କରି ନେଇଥିଲେ। ଉଭୟ ଘଟଣାରେ ପୁଲିସ ଅଦ୍ୟାବଧି ଦୋଷୀଙ୍କୁ ଧରିବାରେ ସଫଳ ହୋଇନଥିବା ସୂଚନା ମିଳିଛି।
Comments are closed.