ପିପିଲି ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ

ଦିଘାଳ ଓ ଠଣଠଣା ଗ୍ରୀଡ୍‌‌ ପରିଦର୍ଶନ କଲେ ଶକ୍ତି ସଚିବ

ପିପିଲି: ପିପିଲି ବିଦ୍ୟୁତ୍‌‌ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିପିଲିର ଠଣଠଣା ସ୍ଥିତ ୧୩୨/୩୩ କେଭି କ୍ଷମତା ସଂପନ୍ନ ବିଦ୍ୟୁତ୍‌‌ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ ଓ ନିମାପଡ଼ା ସ୍ଥିତ ଦିଘାଳ ବିଦ୍ୟୁତ୍‌‌ ଗ୍ରୀଡକୁ ଶ୍ରୀ ଧଳ ପରିଦର୍ଶନ କରିବା ଅବସରରେ ପିପିଲି ବିଦ୍ୟୁତ୍‌‌ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ଏହାର ସ୍ଥାୟୀ ସମାଧାନ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

prayash

ପିପିଲି ଅଞ୍ଚଳର ଦୀର୍ଘ ୪୦ବର୍ଷର ବିଦ୍ୟୁତ୍‌‌ ସମସ୍ୟା ସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇଥିଲା। ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ଧଳ ପିପିଲିର ବିଦ୍ୟୁତ୍‌‌ ସମସ୍ୟା ସଂପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ସମୀକ୍ଷା କରିଥିଲେ। ନିମାପଡ଼ା ସ୍ଥିତ ଦିଘାଳ ଗ୍ରୀଡ୍‌‌କୁ ସେ ପରିଦର୍ଶନ କରିବା ସହ ସେଠାରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପିପିଲି ବିଦ୍ୟୁତ୍‌‌ ସବ୍‌‌ଡିଭିଜନକୁ ଦିଘାଳଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌‌ ଗ୍ରୀଡ୍‌‌ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୪ଶହରୁ ଉର୍ଦ୍ଧ ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍‌‌ ଆସୁଛି। ତେବେ ବର୍ଷା ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ସୃଷ୍ଟି ହେଉଥିବା ବିଦ୍ୟୁତ୍‌‌ ବିଭ୍ରାଟର ମରାମତି ପାଇଁ ସମୟ ସାପେକ୍ଷ ହେବା ଯୋଗୁଁ ପିପିଲି ବିଦ୍ୟୁତ ଅଞ୍ଚଳର ୩୨ହଜାରରୁ ଉର୍ଦ୍ଧ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ୍‌‌ ସେବାରୁ ବଞ୍ଚିତ ହେଉଛନ୍ତି। ଅନେକ ସମୟରେ ଦିନକୁ ୮ରୁ ୧୫ଘଣ୍ଟା ପିପିଲିବାସୀ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ଦିଘାଳ ଗ୍ରୀଡ୍‌‌ରୁ ପିପିଲିକୁ ସଂଯୋଗ ହୋଇଥିବା ୩୩କେଭି ଫିଡର ଲାଇନ୍‌‌ର ନବୀକରଣ ଓ ଆବଶ୍ୟକ ମରାମତି କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ପିପିଲି ବିଦ୍ୟୁତ୍‌‌ ଉପଖଣ୍ଡ କାର୍ଯ୍ୟାଳୟ ଓ ପିପିଲିର ଠଣଠଣା ସ୍ଥିତ ୧୩୨/୩୩ କେଭି କ୍ଷମତା ସଂପନ୍ନ ବିଦ୍ୟୁତ ଗ୍ରୀଡ୍‌‌ ସବ୍‌‌ଷ୍ଟେସନକୁ ପରିଦର୍ଶନ କରିଥିଲେ। ଏହି ଗ୍ରୀଡ୍‌‌ର ନିର୍ମାଣ କାର୍ଯ୍ୟ ୨୦୧୬ରେ ଆରମ୍ଭ ହୋଇ ୨୦୧୯ ମସିହାରେ ସଂପୂର୍ଣ୍ଣ ହୋଇଥିଲା। ୨୦୨୦ ଜୁନ ୨୫ ତାରିଖରେ ଏହି ଗ୍ରୀଡ୍‌‌କୁ ୧୩୨ କେଭି ବିଦ୍ୟୁତ୍‌‌ ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ସେହିବର୍ଷ ନଭେମ୍ବର ୬ ତାରିଖରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ଗ୍ରୀଡ୍‌‌କୁ ଓପିଟିସିଏଲକୁ ହସ୍ତାନ୍ତର କରାଯାଇଥିଲା। ଗ୍ରୀଡ୍‌‌ କାର୍ଯ୍ୟକ୍ଷମ ହେବାର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରୁ ମଙ୍ଗଳପୁର ଝିଲିମିଲିପାଟଣା ଦେଇ ପିପିଲିକୁ ୩୩କେଭି ଲାଇନ୍‌‌ ସଂଯୋଗ ହୋଇନପାରିବା କାରଣରୁ ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଏହା ଜାଣିବା ପରେ ସଚିବ ଶ୍ରୀ ଧଳ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଗ୍ରୀଡ୍‌‌ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ପାଇଁ ଯଥାଶିଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶକ୍ତି ସଚିବଙ୍କ ଏହି ଗସ୍ତ ସମୟରେ ଟିପିସିଓଡିଏଲ୍‌‌ ସିଇଓ ଅରବିନ୍ଦ ସିଂହଙ୍କ ସମେତ ଓପିଟିସିଏଲ୍‌‌ ଓ ଟିପିସିଓଡିଏଲର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

 

Comments are closed.