www.samajalive.in
Saturday, December 6, 2025
16.1 C
Bhubaneswar

ପାଚଲପୁର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ

ପିପିଲି : ପିପିଲି ବ୍ଳକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗ୍ରାମ ୨ଦିନ ଧରି ବାହ୍ୟଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି। ଗ୍ରାମ ଚାରିପାଖରେ ବନ୍ୟାଜଳ ୬ରୁ ୮ଫୁଟ୍‌‌ ଉଚ୍ଚତାରେ ପ୍ରବାହିତ ହେଉଛି। କଣ୍ଟି ପଞ୍ଚାୟତର କାକୁଡିଆ ଠାରେ ଦୟାନଦୀର ବନ୍ୟାଜଳ ଗଙ୍ଗୁଆନଦୀକୁ ଓଲଟା ପ୍ରବାହିତ ହେବା ଫଳରେ ପୋପରଙ୍ଗା ପଞ୍ଚାୟତର ବିନ୍ଧା, ଦକ୍ଷିଣନୂଆଗାଁ, ଅର୍ଜ୍ଜୁନଗୋଦା, ପୋପରଙ୍ଗା, ଶୁଆବରେଇ, ପାଚଲପୁର ଆଦି ଗ୍ରାମର ଶହ ଶହ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।
ଗହିର ବିଲ ମଧ୍ୟରେ ଏକ ଉଚ୍ଚ ସ୍ଥାନରେ ଥିବା ଏହି ପାଚଲପୁର ଗ୍ରାମର ୩୨ଟି ପରିବାରର ୧୫୦ରୁ ଉର୍ଦ୍ଧ ସଦସ୍ୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମର ତଳିଆ ଅଞ୍ଚଳରେ (ନିଚା ସ୍ଥାନରେ) ଥିବା ୮ରୁ ଉର୍ଦ୍ଧ ଘରେ ବନ୍ୟାଜଳ ପଶିଛି। ଫଳରେ ଉକ୍ତ ଘର ମଧ୍ୟରେ ଥିବା ଧାନ, ଚାଉଳ ଆଦି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାଚଲପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ୨ରୁ ୩ଫୁଟ୍‌‌ ଉଚ୍ଚତାରେ ବନ୍ୟାଜଳ ଲହଡି ଭାଙ୍ଗୁଛି। ଅର୍ଜ୍ଜୁନଗୋଦା ଗ୍ରାମରୁ ପାଚଲପୁରକୁ ଯାଇଥିବା କଂକ୍ରିଟ ରାସ୍ତା ଉପରେ ଏବେ ୫ଫୁଟ୍‌‌ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି।

ଗ୍ରାମର ଚାରିପାଖରେ ଦୀର୍ଘ ଅଞ୍ଚଳ ପର୍ଯ୍ୟନ୍ତ ବନ୍ୟାଜଳ ଘେରି ରହିଛି। ଯୁଆଡେ ଚାହିଁଲେ କେବଳ ପାଣି ହିଁ ପାଣି ଦିଶୁଥିବା ବେଳେ ଏହା ଚିଲିକାର କୃତ୍ରିମ ଭ୍ରମ ସୃଷ୍ଟି କରୁଛି। ଏହି ବନ୍ୟା ଯୋଗୁଁ ଚାଷଜମି, ରାସ୍ତା, ପୋଖରୀ, ସଫେଇନାଳ ସବୁ ଏକାକାର ହୋଇଛି। ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିବା ଏହି ଗ୍ରାମର ଅଧିବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ଡଙ୍ଗାର ବ୍ୟବସ୍ଥା କରାଯାଇଛି। ବନ୍ୟା ସତ୍ତେ୍ୱ ଲୋକେ ନିଜର ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ ଗ୍ରାମରେ ବାସ କରୁଛନ୍ତି। ବନ୍ୟା ଯୋଗୁଁ ବିଷଧର ସର୍ପଙ୍କ ଭୟ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ନଇଁଲେ ଗ୍ରାମରେ ଅଜଣା ଭୟ ମାଡି ଆସୁଛି। ବନ୍ୟାଜଳରେ ବିନ୍ଧା, ଦକ୍ଷିଣନୂଆଗାଁ, ଅର୍ଜ୍ଜୁନଗୋଦା, ପୋପରଙ୍ଗା, ଶୁଆବରେଇ ଓ ଏହିି ଗ୍ରାମର ଶହ ଶହ ହେକ୍ଟର ଚାଷଜମି ସଂପୂର୍ଣ୍ଣ ବୁଡି ରହିଥିବା ବେଳେ ଧାନ ଓ ପନିପରିବା ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ପିପିଲି ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ଅଧିବାସୀଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ପ୍ରଦାନ କରାଯାଇଛି। ବିଡିଓ ରଶ୍ମିତା ନାଥ ପାଚଲପୁର ଗ୍ରାମକୁ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଉକ୍ତ ଅଞ୍ଚଳରେ ଗୋଖାଦ୍ୟ ପ୍ରଦାନ ପାଇଁ ବିଭିଓ (ବ୍ଲକ ଭେଟେରିନାରୀ ଅଫିସର)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଓ ଆବଶ୍ୟକ ସ୍ଥଳେ ମେଡିକାଲ ଟିମ୍‌‌କୁ ଉକ୍ତ ଅଞ୍ଚଳକୁ ପଠାଯିବ ବୋଲି ବିଡିଓ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି।

କାକୁଡିଆ ଠାରେ ଦୟାନଦୀରେ ଏହି ଗଙ୍ଗୁଆ ନଦୀ ମିଶିଥିବା ବେଳେ ସେଠାରେ କୌଣସି ସୁଇସ୍‌‌ ଗେଟ୍‌‌ର ବ୍ୟବସ୍ଥା ନାହିଁ। ଫଳରେ ଦୟାନଦୀର ବନ୍ୟାଜଳ ଗଙ୍ଗୁଆନଦୀକୁ ଓଲଟା ପ୍ରବାହିତ ହେବା ଫଳରେ ପ୍ରତ୍ୟେକ ବର୍ଷ ବନ୍ୟା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଗଙ୍ଗୁଆନଦୀ ବନ୍ଧରେ ଗତବର୍ଷ ହୋଇଥିବା ଘାଇର ମରାମତି କରାଯାଇନଥିବା ଅଭିଯୋଗ ହୋଇଛି।

ଦୟାନଦୀରେ ବନ୍ୟାଜଳ ସଂପୂର୍ଣ୍ଣ ହ୍ରାସ ପାଇବା ପରେ ଏହି ଅଞ୍ଚଳର ବନ୍ୟାଜଳ ଗଙ୍ଗୁଆ ନଦୀ ଦେଇ ଦୟାନଦୀରେ ଖଲାସ ହେବ। ଫଳରେ ଏହି ଅଞ୍ଚଳରୁ ବନ୍ୟାଜଳ ହ୍ରାସ ପାଇବାକୁ ଅତି କମ୍‌‌ରେ ୫ରୁ ୭ଦିନ ଦିନ ଲାଗିବ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories