ପିପିଲିରେ ମତଦାନ କରିବେ ୨ଲକ୍ଷ ୩୭ ହଜାର ୯୬୨ ଭୋଟର, ସମ୍ବେଦନଶୀଳ ମତଦାନ କେନ୍ଦ୍ରକୁ ଜଗିବେ ଅର୍ଦ୍ଧ ସାମରିକ ବାହିନୀ
ମତଦାତାଙ୍କୁ ଆକର୍ଷିତ କରୁଛି ଚାନ୍ଦୁଆରେ ସଜ୍ଜିତ ୨ଟି ସଖି ମତଦାନ କେନ୍ଦ୍ର
ପିପିଲି :ପିପିଲି ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ସମସ୍ତ ୨୭୪ଟି ମତଦାନ କେନ୍ଦ୍ରରେ ପୁଲିଂ ଷ୍ଟାଫ ପହଞ୍ଚି ସାରିଛନ୍ତି। ଅପେକ୍ଷା କେବଳ ଭୋଟରଙ୍କ ମତଦାନକୁ। ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍.ଏ.ସିର ୧୬ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ହେଉଛି ସାଧାରଣବର୍ଗର ପ୍ରାର୍ଥିଙ୍କ ପାଇଁ ଉଦ୍ଦିଷ୍ଟ। ଚଳିତ ନିର୍ବାଚନରେ ଏହି ଆସନରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ବହୁଜନ ସମାଜ ପାର୍ଟି ରୁ ଅହେମ୍ମଦ ଖାଁ, ମାନସ ଲୋକଶକ୍ତି ଦଳରୁ ଆରତ ବେହେରା, ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଦଳରୁ ଦୀନବନ୍ଧୁ ପରିଡା ଓ ସ୍ୱାଧୀନ ଭାବେ ଯୁଧିଷ୍ଠିର ସ୍ୱାଇଁ, ରାଧାମୋହନ, ଶୁଭ୍ରାଂଶୁ କୁମାର ମଲ୍ଲିକ ପ୍ରତିଦ୍ୱନ୍ଦିତା କରୁଛନ୍ତି।
ନିର୍ବାଚନମଣ୍ଡଳୀର ୨୭୪ଟି ମତଦାନ କେନ୍ଦ୍ରରେ ୧ଲକ୍ଷ ୨୨ହଜାର ୬୮ ଜଣ ପୁରୁଷ, ୧ଲକ୍ଷ ୧୫ହଜାର ୮୮୮ଜଣ ମହିଳା ଓ ୬ଜଣ ଅନ୍ୟ ବର୍ଗର ଭୋଟରଙ୍କୁ ମିଶାଇ ମୋଟ୍ ୨ଲକ୍ଷ ୩୭ହଜାର ୯୬୨ ଜଣ ଭୋଟର ୨୫ ତାରିଖରେ ନିଜର ମତ ସାବ୍ୟସ୍ତ କରିବେ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ୨୩ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ପିପିଲିରେ ୨୨ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ଦାଣ୍ଡମୁକୁନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୨ଟି ସଖି ମତଦାନ କେନ୍ଦ୍ରକୁ ଚାନ୍ଦୁଆରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଛି। ସେଠାରେ ପାନୀୟ ଜଳ, ଆଲୋକ, ପଙ୍ଖା, ପିଲାଙ୍କ ପାଇଁ ସ୍ୱତନ୍ତ୍ର ଖେଳ ଜୋନ୍, ସେଲ୍ଫି ପଏଣ୍ଟ ଓ ଚାନ୍ଦୁଆ ପ୍ରଦର୍ଶନ କେନ୍ଦ୍ର ଆଦି କରାଯାଇଛି।
୨ଟି ଯାକ ମତଦାନ କେନ୍ଦ୍ରକୁ ଚାନ୍ଦୁଆରେ ସଜ୍ଜିତ କରାଯାଇଛି। ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ସେହିପରି ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ଥିବା ଗୋଟିଏ ମତଦାନ କେନ୍ଦ୍ରକୁ ସଖି ଇକୋ ଫ୍ରେଣ୍ଡଲି ମତଦାନ କେନ୍ଦ୍ର କରାଯାଇଛି। ସେଠାରେ କୌଣସି ପ୍ଲାଷ୍ଟିକ୍ର ବ୍ୟବହାର କରାନଯାଇ ତାହାକୁ ପରିବେଶ ବାତାନୁକୂଳ କରାଯାଇଛି। ଦରଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଥିବା ମତଦାନ କେନ୍ଦ୍ରକୁ ଯୁବବର୍ଗ ପୋଲିଂ ଅଧିକାରୀ ପରିଚାଳନା କରିବେ। ଖଣ୍ଡିଆଗିରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।
ଏହି ନିର୍ବାଚନମଣ୍ଡଳୀ ମଧ୍ୟରେ ଥିବା ପିପିଲି ଥାନା ଅଞ୍ଚଳରେ ୨୭ଟି, ଡେଲାଙ୍ଗ ଥାନା ଅଞ୍ଚଳରେ ୨୦ଟି ଓ ବଳଙ୍ଗା ଥାନା ଅଞ୍ଚଳରେ ୭ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। ଏସବୁ ବୁଥ୍ରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସଂପର୍କରେ ପିପିଲି ଏସଡିପିଓ ବିରଞ୍ôଚ ନାରାୟଣ ପତି ସୂଚନା ଦେଇଛନ୍ତି। ୩ଗୋଟି ସ୍ୱତନ୍ତ୍ର ପୁଲିସ ମୋବାଇଲ ପାଟ୍ରୋଲିଂ ଟିମ ଓ ୨୨ଟି ପୁଲିସ ମୋବାଇଲ ପାଟ୍ରୋଲିଂ ଟିମ୍ ସମସ୍ତ ମତଦାନ କେନ୍ଦ୍ର ଗୁଡିକୁ ବୁଲି ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ତଦାରଖ କରୁଥିବା ଜଣାଯାଇଛି ।
ପିପିଲି ଥାନା ଅଞ୍ଚଳରେ ୧ କମ୍ପାନୀ ବିଏସ୍ଏଫ୍ ଓ ୧ କମ୍ପାନୀ ଛତିଶଗଡ ଆର୍ମଡ୍ ପୁଲିସ ଫୋର୍ସ ଏବଂ ଡେଲାଙ୍ଗ ଥାନା ଅଞ୍ଚଳରେ ୧ କମ୍ପାନୀ ସିଆଇଏସ୍ଏଫ୍ ଫୋର୍ସ ମୁତୟନ କରାଯାଇଛି। ନିର୍ବାଚନକୁ ପରିଚାଳନା କରିବା ପାଇଁ ଅତିରିକ୍ତ ଏସ୍ପି ଅମୂଲ୍ୟ ଧର, ଡିଏସ୍ପି ରଶ୍ମିରଞ୍ଜନ ସେନାପତି ଓ ଇନିସପେକ୍ଟର ପ୍ରଣତି ସେନାପତି ପ୍ରମୁଖ ପିପିଲିରେ ଉପସ୍ଥିତ ଥିବା ବେଳେ ପିପିଲି ଏସ୍.ଡି.ପି.ଓ ବିରଞ୍ôଚ ନାରାୟଣ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଓ ଡେଲାଙ୍ଗ ଥାନାଧିକାରୀ ଦେବାଶିଷ ମହାନ୍ତି ସମସ୍ତ ମତଦାନ କେନ୍ଦ୍ର ଗୁଡିକର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିବା ସୂଚନା ମିଳିଛି।
ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଣ୍ଟା ଓ ଭୋଜିଭାତ ଉପରେ ପୁଲିସ ଓ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି । ପିପିଲି-ଡେଲାଙ୍ଗର ସମସ୍ତ ପ୍ରବେଶ ପଥରେ ସମସ୍ତଗାଡି ମୋଟର ଯାଞ୍ଚକୁ ଅଧିକ କଡାକଡି କରାଯାଇଥିବା ବେଳେ ବିଭିନ୍ନ ହୋଟେଲ, ଢାବା ଉପରେ ପୁଲିସ କଡା ନଜର ରଖିଛି । ଅଭ୍ୟାସଗତ ଅପରାଧିଙ୍କ ଗତିବିଧି ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଥିବା ସୂଚନା ମିଳିଛି।
Comments are closed.