www.samajalive.in
Thursday, December 11, 2025
13.1 C
Bhubaneswar

ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ଧୁମଧାମରେ ସମ୍ପନ୍ନ

ପିପିଲି : ପୁରୀ ଜିଲା ପିିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ମହା ସମାରୋହରେ ସମ୍ପନ୍ନ ହୋଇଛି। ଏଥିପାଇଁ ତିନିଦିନ ଧରି ଗ୍ରାମ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଶନିବାର ଅପରାହ୍ନରେ କାଠଚକ୍ର ବାଣଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୭ ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା।
ପରମ୍ପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତଥା ଗତ ଗୁରୁବାର ରାତିରେ ପ୍ରଭୁ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଥିଲା। ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିବା ବେଳେ ଉକ୍ତ ବିବାହ ଉତ୍ସବକୁ ଶ୍ରଦ୍ଧାଳୁମାନେ ମନଭରି ଉପଭୋଗ କରିଥିଲେ। ଶୁକ୍ରବାର ରାତ୍ରିରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀନୀଳକଣ୍ଠେଶ୍ୱର ଦେବ ଓ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଢୋଲ, ମହୁରୀ ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ବିଭିନ୍ନ ପ୍ରକାରର ରଙ୍ଗିନ ଆତସବାଜିରେ ଆକାଶ ରଙ୍ଗିନ ହୋଇଯାଇଥିଲା। ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁରମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରିରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯାଇଥିଲା। ତ୍ରୟୋଦଶୀ ତିଥି ତଥା ଶନିବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ ପାରମ୍ପରିକ କାଠଚକ୍ର ବାଣ ପ୍ରଦର୍ଶନ କରାଯାଇଥିଲା। ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ଏଥିରେ ମୋଟ୍‍ ୧୯ଟି କାଠଚକ୍ର ବାଣ ସମେତ ବିଭିନ୍ନ ପ୍ରକାର ଆତସବାଜି ପ୍ରଦର୍ଶନ କରାଯାଇଥିଲା। ବାଣ ଦୁର୍ଘଟଣାକୁ ଏଡାଇବା ପାଇଁ କାଠଚକ୍ର ବାଣ ଚତୁଃପାର୍ଶରେ ଷ୍ଟିଲ ଜାଲି ଦିଆଯାଇଥିଲା। ଏହି କାଠଚକ୍ର ବାଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୭ ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପିପିଲି ପୁଲିସ ମୁତୟନ ଥିଲା। ଏହି ଯାତ୍ରାରେ ଖୋଲାଯାଇଥିବା ଶତାଧିକ ଅସ୍ଥାୟୀ ଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା।
ଏଠାରେ ସୂଚନା ଥାଉକି, ଦାଣ୍ଡମୁକୁନ୍ଦପୁର ଗ୍ରାମର ଏହି ପୁରାଣ ପ୍ରସିଦ୍ଧ ମନ୍ଦିରକୁ ଓଡିଶାର ଶେଷ ସ୍ୱାଧିନ ନରପତି ମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଆରମ୍ଭ କରିଥିଲେ। ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ। ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪୫୦ ବର୍ଷରୁ ଉର୍ଦ୍ଧକାଳ ଧରି ପାଳିତ ହୋଇଆସୁଥିବାରୁ ଏହାକୁ ଜାତୀୟ ପର୍ବର ମାନ୍ୟତା ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories