ଫୁଲବାଣୀ: ବିରୋଧୀ ଦଳ ମାନଙ୍କର ୧୪୧ ସାଂସଦଙ୍କୁ ପାର୍ଲିଆମେଣ୍ଟରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଆଜି କନ୍ଧମାଳ ଜିଲା କଂଗ୍ରେସପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛି ଦଳ। ବିପକ୍ଷକୁ ସଂସଦରେ କହିବାର ସୁଯୋଗ ଦେବା ପରିବର୍ତେ ସେମାନଙ୍କ ଅନୁପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ କରାଇ ନେବାପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଚାଲ ବୋଲି ସ୍ମାରକପତ୍ରରେ କୁହାଯାଇଛି।
ଏହାଦ୍ବାରା ବିଶ୍ବ ଦରବାରରେ ଭାରତ ଲଜ୍ଜିତ ହେଉଛି ବୋଲି କହିଛି କଂଗ୍ରେସ। ଆଜି ସାରା ଦେଶରେ ଏହାର ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କରାଯାଉଥିବା ବେଳେ ଫୁଲବାଣୀ ଠାରେ କଂଗ୍ରେସ ନେତା ଓ କର୍ମୀ କନ୍ଧମାଳ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ବରିଷ୍ଠ ନେତା ଘନ କୁମାର ଶବରଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା,ବିଜୟ ମହାନ୍ତି, ଅନୁପମ କହଁର, ହେମନ୍ତ କର, ସଂସାର ଭୋଇ,ସଞ୍ଜୟ କହଁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।



