୨୦୨୫-୨୬ ଆର୍ଥିକ ବର୍ଷରେ ଫୁଲବାଣୀ ମେଡିକାଲ କଲେଜର ଶୁଭାରମ୍ଭ କରାଯିବ, ନର୍ସିଂ କଲେଜ ପ୍ରତିଷ୍ଠା ହେବ-ସ୍ୱାସ୍ଥ୍ୟ ମନ୍ତ୍ରୀ

ଫୁଲବାଣୀ : ଓଡ଼ିଶା ସମେତ ଭାରତର ୧୨ଟି ରାଜ୍ୟରେ ରାଜ୍ୟସ୍ତରୀୟ ସାମୁହିକ ଔଷଧ ସେବନ ଓ ଜାତୀୟ କୃମି ନିବାରଣ ଦିବସ ଅଭିଯାନର ଭର୍ଚୁଆଲ୍ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳ ଓ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଦ୍ୱାରା ଆୟୋଜିତ ଜାତୀୟ କୃମି ନିବାରଣ ଦିବସ ଏବଂ ଲିମ୍ଫାଟିକ୍ ଫାଇଲେରିଆସିସ୍- ସାମୁହିକ ଔଷଧ ସେବନ ଫେବୃଆରି ୨୦୨୫ ରାଉଣ୍ଡର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।

ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶାର କନ୍ଧମାଳ ସମେତ ୬ଗୋଟି ଜିଲାରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଫୁଲବାଣୀରୁ ହିଁ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ସୁଚନା ଦେଇଥିଲେ।

ଏହି ଅବସରରେ ଡ. ମହାଲିଙ୍ଗ କହିଥିଲେ ଯେ ଆଗାମୀ ଦିନରେ କନ୍ଧମାଳ ବାସୀଙ୍କର ସ୍ୱପ୍ନକୁ ସାକାର କରିବାକୁ ଯାଉଛୁ। ୨୦୨୫-୨୬ ଆର୍ଥିକ ବର୍ଷରେ ଫୁଲବାଣୀ ସ୍ଥିତ ମେଡିକାଲ କଲେଜର ଶୁଭାରମ୍ଭ କରାଯିବ। ଏଠାରେ ଏକ ବୈପ୍ଲବିକ ପରିବର୍ତ୍ତନ ହେବାକୁ ଯାଉଛି। ନର୍ସିଂ କଲେଜ ପ୍ରତିଷ୍ଠା ହେବ। ସ୍ଥାନୀୟ ଛାତ୍ରଛାତ୍ରୀମାନେ ଉଭୟ କଲେଜରେ ନାମ ଲେଖାଇପାରିବେ। କୃମି ଥାଉ ବା ନ ଥାଉ ବୟସ ଅନୁଶାରେ ଥିବା ମାତ୍ରା ଅନୁଶାରେ ପ୍ରତି ୬ ମାସରେ ଥରେ କୃମି ଔଷଧ ଖାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।

ସାମୁହିକ ଔଷଧ ସେବନ ଉଦ୍ଦେଶ୍ୟରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ରୋଟାରୀ କ୍ଲବ୍, ଫୁଲବାଣୀ ଜନ ସଚେତନତା ସୃଷ୍ଟି ପାଇଁ ନେଇଥିବା ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସା କରିବା ସହିତ ଶିଶୁ ମାନଙ୍କୁ ଔଷଧ ସେବନ କରାଇ ଆଜିର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ପ୍ରତି ବ୍ଲକରେ ଅତି କମରେ ଜଣେ କିମ୍ବା ଦୁଇ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ।

ଉଭୟ ବିଧାୟକଙ୍କ ଦାବି କରିଛନ୍ତି ତା’କୁ ପୂରଣ କରିବାକୁ ଶତଚେଷ୍ଟା କରିବୁ। କେବଳ ଏହି ଜିଲା ନୁହେଁ ସାରା ରାଜ୍ୟର ସମସ୍ୟାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ କରିଦେଇଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ , ଓଡ଼ିଶା ଡା. ନୀଳକଣ୍ଠ ମିଶ୍ର , କନ୍ଧମାଳ ଜିଲାପାଳ ତଥା ଅଧ୍ୟକ୍ଷ, ଜିଲା ସ୍ୱାସ୍ଥ୍ୟ ସମିତି ଅମ୍ରିତ୍ ଋତୁରାଜ୍ ଯୋଗଦେଇ ଉଦବୋଧନ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ତାଙ୍କ ପ୍ରାରମ୍ଭିକ ସଂଭାଷଣରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।

ମଶା କାମୁଡ଼ିବା ଦ୍ୱାରା ଫାଇଲେରିଆ କୀଟାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ଅଣସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ। ସାଧାରଣତଃ ପ୍ରାରମ୍ଭିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ୧୦ ରୁ ୧୫ ବର୍ଷ ପରେ ରୋଗର ଲକ୍ଷଣମାନ ଦେଖାଯାଏ। ତେବେ ଗୋଷ୍ଠୀରେ ସମସ୍ତଙ୍କ ଠାରୁ ଫାଇଲେରିଆ କୀଟାଣୁ ନଷ୍ଟ କରିବା ନିମନ୍ତେ ସାମୁହିକ ଔଷଧ ସେବନ ନିହାତି ଜରୁରୀ ବୋଲି ଡା. ପାଢ଼ୀ କହିଥିଲେ। ଅତିରିକ୍ତ ନିର୍ଦ୍ଦେଶକ, ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଓଡ଼ିଶା ଡା. ପ୍ରଭାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.