www.samajalive.in
Wednesday, December 10, 2025
26.1 C
Bhubaneswar

ପଞ୍ଚାୟତିରାଜ ବିଭାଗର ଷ୍ଟିଟ୍ ଲାଇଟ୍ ଟେଣ୍ଡରରେ ଚଞ୍ଚକତା : କଂଗ୍ରେସ

ଭୁବନେଶ୍ୱର : ସ୍ଵଛ ଶାସନର ଆବରଣ ତଳେ ରାଜ୍ୟର ବିଜେଡି ସରକାର କିପରି ଦୁର୍ନିତୀ ଓ ପ୍ରିୟାପ୍ରିତୀରେ ଲିପ୍ତ ଅଛନ୍ତି ତାର ଆଉ ଏକ ନମୁନା ହେଉଛି ଗତ ଏପ୍ରିଲ ୪ ତାରିଖରେ ପଞ୍ଚାୟତ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର । ଏହି ଟେଣ୍ଡର ପ୍ରକ୍ରିୟା ଓ ଟେଣ୍ଡର ଦସ୍ତାବିଜ୍‌ରୁ ଏଥିରେ ଦୁର୍ନିତୀ ଓ ପିୟାପ୍ରିତିର ସ୍ପଷ୍ଟ ସୂଚନା ମିଳୁଛି ବୋଲି ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରବକ୍ତା ଅଭିଯୋଗ ଆଣିଛନ୍ତି ।
ପ୍ରକାଶ ଥାଉ କି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଆରଡବ୍ଲୁଏସ୍‌ଏସ୍ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲାରେ ଏଲଇଡି ଲାଇଟ ଲଗାଇବା ନେଇ ୧୫୦ କୋଟି ଟଙ୍କା ଖର୍ଚ୍ଚରେ ୨୯ଟି ଜିଲ୍ଲାର ଗାଁ ଗୁଡିକରେ ଏଲଇଡି ଷ୍ଟ୍ରିଟ୍ ଲାଇଟ ଲଗାଇବା ନେଇ ହୋଇଥିବା ଏହି ଟେଣ୍ଡରରେ କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସହାଇଲା ଭଳି ବ୍ୟବସ୍ଥା କରାଯାଇଛି । ୨୯ଟି ଜିଲ୍ଲାକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥା/ବ୍ୟକ୍ତିବିଶେଷ ମଧ୍ୟରେ ବାଣ୍ଟି ଦେବାକୁ ଏଭଳି ମସୁଧା କରାଯାଇଛି । ଏଥି ସହିତ ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା’ ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତ ଧାର୍ଯ୍ୟ କରାଯାଇଛି । ନୂଆ ଟେକ୍ନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ ଦିଆ ନ ଯାଇ ୯/୧୦ ବର୍ଷ ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର ପ୍ରସ୍ତୁତ କରାଯାଇଛି ।
ଟେଣ୍ଡର ବିଜ୍ଞପ୍ତିରେ ୭୧୦୦ ଲୁମେନ ପାଇଁ ସର୍ବାଧିକ ୮୦ ୱାଟ୍ ଏଲଇଡି ଲାଇଟ ଧାର୍ଯ୍ୟ କରାଯାଇଛି । ଏହାର ଅର୍ଥ ପ୍ରତି ୱାଟ୍ ପିଛା ୯୦ ଲୁମେନ ବ୍ୟବହାର କରାଯାଇ ପାରିବ । ଏଭଳି କମ୍ ଲୁମେନ୍ ପ୍ରଦାନ କରୁଥିବା ଉତ୍ପାଦ ୯ରୁ ୧୦ ବର୍ଷ ତଳେ ବ୍ୟବହାର କରାଯାଉଥିଲା । ଏବେ ଦେଶର ସମସ୍ତ ପ୍ରମୁଖ କମ୍ପାନୀ ଯେଉଁ ଏଲଇଡି ଲାଇଟ ଉତ୍ପାଦନ କରୁଛନ୍ତି ସେଥିରେ ପ୍ରତି ୱାଟ୍ ପିଛା ଲୁମେନ୍ ହାର ୧୧୦ରୁ ୧୨୦ ରହୁଛି । ଏଭଳି ଉଚ୍ଚ ହାରର ଲୁମେନ ଥିବା ଏଲିଇଡି ଲାଇଟର ଗୁଣବତ୍ତା ମଧ୍ୟ ଉଚ୍ଚ ଓ ଆଲୋକିକରଣ କ୍ଷମତା ମଧ୍ୟ ଯଥେଷ୍ଟ ଅଧିକ । ଏପରି ନୂଆ ଟେକ୍ନୋଲୋଜିର  ଏଲଇଡି ଷ୍ଟ୍ରିଟ୍ ଲାଇଟ ବ୍ୟବହାର ଦ୍ୱାରା ପ୍ରତି ଲାଇଟ ପିଛା ଘଣ୍ଟାକୁ ପ୍ରାୟ ୨୦ ୱାଟ ବିଦ୍ୟୁତ କମ୍ ଖର୍ଚ୍ଚ ହେବ, ମାତ୍ର ଏଥିପ୍ରତି ନଜର ଅନ୍ଦାଜ କରିବା ପଛର ମନ୍ଦ ଏଦ୍ଦେଶ୍ୟ ଅଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।
ଟେଣ୍ଡର ପ୍ରକ୍ରିୟାରେ ଏହି ଚଞ୍ଚକତା ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କା ବାଟ ମାରଣା କରିବାର ମସୁଧା କରାଯିବା ସହିତ ପ୍ରତି ବର୍ଷ ୫ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟୁତ ଶୁକ୍ଲ ସରକାର ବହନ କରିବେ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଟେଣ୍ଡର କାଗଜରେ ପ୍ରତି ୟୁନିଟ କ୍ଲଷ୍ଟର ପାଇଁ ୧ଲକ୍ଷ ୩୪ ହଜାର ୮ଶହ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ଏହା ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ହେବ । ଅର୍ଥାତ ପ୍ରତି ୟୁନିଟ୍ ବା କ୍ଲଷ୍ଟର ପିଛା ୩୦ ରୁ ୪୦ ଶତାଂଶ ଅଧିକ ମୂଲ୍ୟ ଟେଣ୍ଡରରେ ଉଲ୍ଲେଖ ଅଛି । ଏ ବାବଦରେ ରାଜ୍ୟ ସରକାର କ୍ଷତି ସହିଲା ବେଳେ, ନେତା, ମନ୍ତ୍ରୀ ଓ ଅଫିସର ମାନଙ୍କର ପକେଟ୍‌କୁ ଗରମ କରିବାର ଏହା ଏକ ସୁଚିନ୍ତିତ ଯୋଜନା ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।
ଏକ ବିଚିତ୍ର କଥା ମଧ୍ୟ ଏହି ଟେଣ୍ଡର ବିଜ୍ଞପ୍ତିରେ ଦେଖିବାକୁ ମିଳିଛି । ମାତ୍ର ୫ଟି କମ୍ପାନିଙ୍କୁ ଯଥା:- ବଜାଜ, ଫିଲିପ୍ସ, କ୍ରମ୍ପଟନ୍‌, ହାଭେଲ୍ସ, ସୂର୍ଯ୍ୟା ରୋଶନୀ ଏଲଇଡି ଲାଇଟ ଯୋଗଣ ପାଇଁ କେବଳ ଅନୁମୋଦନ କରାଯାଇଛି । ସମାନ ଗୁଣବତ୍ତା ଥିବା ଅନ୍ୟ କୌଣସି ସଂସ୍ଥାର ଏଲିଇଡି ଲାଇଟ ଯୋଗାଣ ପାଇଁ କିଛି ସୁଯୋଗ ରଖାଯାଇ ନାହିଁ । ଟେଣ୍ଡରରେ ରହିଥିବା ସର୍ତ୍ତ ପୂରଣ କରିବାକୁ ସକ୍ଷମ ଥିବା ସର୍ବଭାରତୀୟ ସ୍ତରର ଅନ୍ୟ ବଡ଼ ବଡ଼ କମ୍ପାନୀ ଗୁଡିକୁ କାହିଁକି ଏଲଇଡି ଲାଇଟ ଯେଗାଣ ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ଏହି ୫ଟି କମ୍ପାନୀ ଭିତରୁ ସୂର୍ଯ୍ୟା ରୋଶନୀର ମାଲିକ ଜଣେ ବିଜେପି ଏମ୍‌.ପି । ଟେଣ୍ଡର ପାଇଁ ଏହି କମ୍ପାନୀକୁ ଯୋଗ୍ୟ କରାଯିବା ପଛରେ କଣ ରହସ୍ୟ ଅଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ସରକାର କଣ ପାଇଁ ୫ଟି କମ୍ପାନୀ ପ୍ରତି ଅନୁକମ୍ପା ଦେଖାଉଛନ୍ତି ତାହା ତଦନ୍ତ ସାପେକ୍ଷ ।
ସରକାର ସବୁ କଥାରେ ସ୍ୱଚ୍ଛ ଶାସନ କଥା କହୁଥିବା ବେଳେ ୧୫୦ କୋଟି ଟଙ୍କାର ଟେଣ୍ଡରରେ ଚଞ୍ଚକତା ତାଙ୍କର ସ୍ୱଚ୍ଛ ଶାସନକୁ ପଦାରେ ପକାଇଛି । ନିର୍ଦ୍ଦିଷ୍ଟ କମ୍ପାନିର ଏଲଇଡିରେ ଟେଣ୍ଡର ପ୍ରକ୍ରିୟା ସୀମିତ ନ ରଖି ସର୍ତ୍ତପୂରଣ କରୁଥିବା ସବୁ କମ୍ପାନିକୁ ସୁଯୋଗ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଏଥି ସହିତ କମ୍ ଖର୍ଚ୍ଚରେ କିଭଳି ଉଚ୍ଚ ଗୁଣବତ୍ତାର ଏଲଇଡି ଲାଇଟ ଯୋଗାଣ ହୋଇ ପାରିବ ତାହା ସରକାର ସୁନିଶ୍ଚିତ କରିବା ଦରକାର । ଏଭଳି ସ୍ଥିତିରେ ଏଲଇଡି ଲାଇଟ ଟେଣ୍ଡର ରଦ୍ଦ କରାଯାଉ । କେତେକ କମ୍ପାନି ବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ନ ଦେଖି ଜନସାଧାରଣଙ୍କ ସ୍ୱାର୍ଥ ତଥା ସରକାରୀ ଅର୍ଥର ସୁରକ୍ଷା ପାଇଁ ଏଲଇଡି ଲାଇଟ ଯୋଗାଣ ସର୍ତ୍ତରେ ଆବଶ୍ୟକ ସଂଶୋଧନ କରି ସାନି ଟେଣ୍ଡର ନୋଟିସ୍ ଜାରିକରିବାକୁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ପିସିସି ମୁଖପାତ୍ର ଶ୍ରୀ ଦାସ ଙ୍କ ସହିତ ରାଜ୍ୟ କଂଗ୍ରେସର ପ୍ରବକ୍ତା ମନୋରଂଜନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories