ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ : ତମିଆଁ ଗ୍ରାମର ଜନୈକ ବିଘ୍ନରାଜ ପୁଟେଲ(୫୦)ଙ୍କ ମୃତଦେହ ଗାଁର ମାଳିପଡାଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା  ଏକ ନାଳ ହିଡ ମାଟିତଳୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଶରୀରରେ ଅନେକ କ୍ଷତ ଦାଗ ଥିବା ସହ ଏକ ପରିତ୍ୟକ୍ତ ସ୍ଥାନରେ ମାଟି ତଳେ ପୋତାଯାଇଥିବାରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ତଥା ପୁଲିସ ଅନୁମାନ କରୁଛନ୍ତି।
ଉଲ୍ଲେଖଯୋଗ୍ୟ , ମୃତ ବିଘ୍ନରାଜ ସୋମବାର ସଂଧ୍ୟାରୁ ନିଖୋଜ ଥିଲେ ଏବଂ ମଙ୍ଗଳବାର ଏ ସଂକ୍ରାନ୍ତରେ ଲରମ୍ଭା ଥାନାରେ ଏକ ଅଭିଯୋଗ ମଧ୍ୟ କରାଯାଇଥିଲା।  ଗାଁଠାରୁ କିଛି ଦୂରରେ ପୋଟଳ ଚାଷ କରିଥିବା ବିଘ୍ନରାଜ ଏବଂ ତାଙ୍କ ପତ୍ନୀ ଆରତୀ ସବୁଦିନ ସକାଳୁ ସେମାନଙ୍କ ଚାଷ ଜମିକୁ ଯାଇଥାଆନ୍ତି। ଅନୁରୂପ ଭାବରେ ସୋମବାର ଦିନ ମଧ୍ୟ ଉଭୟ ନିଜ ପୋଟଳ କିଆରୀକୁ ଯାଇଥିଲେ। ସେଠାରେ ଉଭୟେ ମଧ୍ୟାହ୍ଣ ଭୋଜନ ସାରିବା ପରେ ସବୁଦିନ ଭଳି ସେଦିନ ମଧ୍ୟ ଅପରାହ୍ଣ ପ୍ରାୟ ୩ ଘଣ୍ଟା ବେଳେ ନିଜ ଘରକୁ ଫେରି ଆସିଥିଲେ। ତେବେ ସବୁଦିନ ସଂଧ୍ୟାରେ ନିଜ ଘରକୁ ଫେରୁଥିବା ବିଘ୍ନରାଜ ଆଉ ଘରକୁ ଫେରି ନଥିଲେ। ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବା ପରେ ମଙ୍ଗଳବାର ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ଖୋଜାଖୋଜି କରୁଥିବା ବେଳେ ଉକ୍ତ ନାଳ ହିଡରେ ପୋତାଯାଇଥିବା ଏକ ମୃତଦେହର ଗୋଟିଏ ହାତ ବାହାରକୁ ବାହାରି ଆସିଥିବା ଦେଖି ପରିବାର ଲୋକେ ଏବଂ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଲରମ୍ଭା ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ମୃତଦେହ ମାଟି ତଳୁ ଉଦ୍ଧାର କରିବା ପରେ ତାହା ବିଘ୍ନରାଜଙ୍କ ବୋଲି ଜଣାପଡିଥିଲା। ମୃତକଙ୍କ ପୁତୁରା ରତନ ପୁଟେଲଙ୍କ ଲିଖିତ ଅଭିଯୋଗକ୍ରମେ ଲରମ୍ଭା ଥାନା କେଶ୍ ନମ୍ବର ୨୯ରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୨/୨୦୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

Comments are closed.