ସହଯୋଗର ହାତ ବଢ଼ାଇଲା ଭରସା ପରିବାର

ପାଟଣା: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ହାଣ୍ଡିଭଙ୍ଗା ଗ୍ରାମପଞ୍ଚାୟତ କଇଁଶି ଗ୍ରାମର ଦୟାନିଧି ବେହେରା ଓ ଦଇମତି ବେହେରା ଦୟନୀୟ ସ୍ଥିତିରେ ବସବାସ କରୁଛନ୍ତି । ତାଙ୍କର ସନ୍ତାନଙ୍କ ଅକାଳ ବିୟୋଗ ପରେ ତାଙ୍କ ସାଙ୍ଗରେ ରହୁଛନ୍ତି ତାଙ୍କର ୧୨ ବର୍ଷର ନାବାଳିକା ନାତୁଣୀ କଣ୍ଢେଇ ବେହେରା ଆଉ ନାବାଳକ ନାତି ବାବୁଲି ବେହେରା ଅନ୍ୟ ଘରେ ଛେଳି ଚରେଇବା ଭଳି କାମ କରୁଛନ୍ତି । ନାତୁଣୀ କଣ୍ଢେଇ ବେହେରା ସପ୍ତମ ଶ୍ରେଣୀରେ ପାଠ ପଢ଼ିବା ସହିତ ଦିନ ମଜୁରିଆ ଭାବେ ପର ଘରେ କାମ ମଧ୍ୟ କରି ନିଜର ପଢ଼ା ଖର୍ଚ୍ଚ ତୁଲାଇଥାନ୍ତି । ପରିବାରର ମୁଖ୍ୟ ଦୟାନିଧି ବେହେରାଙ୍କ କିଛି ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ବାମ ହାତ ଭାଙ୍ଗି ଅକାମୀ ହୋଇଥିବାରୁ ସେ କାମ କରିବାକୁ ମଧ୍ୟ ଅସମର୍ଥ ।
ଏପରି ସ୍ଥଳେ ତାଙ୍କୁ ୩୦-୪୦ ବର୍ଷ ପୂର୍ବେ ଆବାସ ଯୋଜନାରେ ମିଳିଥିବା ଘର ଭାଙ୍ଗିରୁଜି ଯାଇଛି। ରୋଜଗାର ବନ୍ଦ ହୋଇଥିବାରୁ ଘର ମରାମତି ପାଇଁ ମଧ୍ୟ ସେ ସମ୍ପୂର୍ଣ୍ଣ ଅକ୍ଷମ । ସରକାରଙ୍କ ଅନ୍ତୋଦୟ ଯୋଜନା ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରିନାହିଁ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ପରିବାର ଲୋକ କହିଛନ୍ତି । ଗ୍ରାମର କିଛି ସହୃଦୟ ବ୍ୟକ୍ତିଙ୍କ ଦୟାରେ ଚାଲିଛି ତାଙ୍କ ପରିବାର । କଇଁଶି ଗ୍ରାମର ଭରସା ପରିବାରର ସକ୍ରିୟ ସଦସ୍ୟ ତଥା ରକ୍ତବୀର ମନ୍ମଥ ବାରିକଙ୍କ ପାଖରୁ ସୂଚନା ପାଇ ସଙ୍ଗଠନ ତରଫରୁ ସଭାପତି ଲମ୍ବୋଦର ମହାନ୍ତ ଓ ସାଧାରଣ ସମ୍ପାଦକ ଶିବଶଙ୍କର ମିଶ୍ର କଇଁଶି ଗ୍ରାମକୁ ଯାଇ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଛପରରୁ ପାଣି ଗଲୁଥିବାରୁ ସାମୟିକ ସମାଧାନ ପାଇଁ ଜରି ପାଲ, ଚାଉଳ, ଶୁଖିଲା ଖାଦ୍ୟ ଓ ବୃଦ୍ଧା ଦମ୍ପତିଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ ।
ଭରସା ପରିବାରର ଆଞ୍ଚଳିକ କର୍ମକର୍ତ୍ତା ବିକି ପରିଡ଼ା ଓ ମୁନୁ ନାଏକ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପର୍ଯ୍ୟନ୍ତ ଭରସା ପରିବାର ପକ୍ଷରୁ ପରିବାର ପ୍ରତିପୋଷଣ ପାଇଁ ସହଯୋଗ ରହିବ ବୋଲି ସଙ୍ଗଠନର ସଭାପତି ଲମ୍ବୋଦର ମହାନ୍ତ କହିଛନ୍ତି ।
kalyan agarbati

Comments are closed.