www.samajalive.in
Monday, December 15, 2025
16.1 C
Bhubaneswar

ଫାଇଲରେ ଅଳନ୍ଧୁ ଖାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ

ସୋନପୁର  : ୧୪୪ ବର୍ଷ ପାତାଳି ହୋଇଥିବା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲାର କୋଟସମଲାଇର ଛଲିଆ ପାହାଡରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସ୍ତାବ ଏକ ପ୍ରକାର ଅନିଶ୍ଚିତତା ମଧ୍ୟରେ ରହିଯାଇଛି। ପାତାଳୀ ଶ୍ରୀକ୍ଷେତ୍ରରେ ନିର୍ମିତ ହେବାକୁ ଥିବା ମନ୍ଦିରର ଗର୍ଭଗୃହ ଓ ମୁଖଶାଳା ନିର୍ମାଣ ପାଇଁ ୪ କୋଟି ଟଙ୍କାର ବ୍ୟୟ ଅଟକଳକୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯାଇଥିଲା; କିନ୍ତୁ ଇତିମଧ୍ୟରେ ଦୀର୍ଘ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ ରାଜ୍ୟ ସଂସ୍କୃତି ବିଭାଗ କୌଣସି ତତ୍ପରତା ପ୍ରଦର୍ଶନ କରୁନଥିବାରୁ ବର୍ତ୍ତମାନ ଫାଇଲ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପ୍ରସ୍ତାବ ରହି ଅଳନ୍ଧୁ ଖାଉଥିବା ଆଲୋଚନା ହେଉଛି।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ବିିବରଣୀର ବିଷୟ ୧୦ (ଝ) ଅନୁଯାୟୀ, ଶ୍ରୀମନ୍ଦିର ବୈଷୟିକ କମିଟି ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ମୁଖ୍ୟ ମନ୍ଦିର ଓ ଜଗମୋହନ ନିର୍ମାଣ ସକାଶେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ସ୍ଥପତି ଭବାନୀ ଶଙ୍କର ମିଶ୍ର ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ୪ କୋଟି ଟଙ୍କାରେ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ପରିଚାଳନା କମିଟି ଆଗରେ ପ୍ରସ୍ତାବ ଉପସ୍ଥାପନ ପରେ ପ୍ଲାନ ଓ ଖର୍ଚ୍ଚକୁ ଅନୁମୋଦନ କରି ପରବର୍ତ୍ତି ପଦକ୍ଷେପ ପାଇଁ ସୁବର୍ଣ୍ଣପୁର ଜିଲାପାଳଙ୍କ ନିକଟକୁ ପତ୍ର ପ୍ରେରଣ ନିମନ୍ତେ ନିଷ୍ପତ୍ତି ନିଆଯିବା ସହ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ପାଇଁ ବୈଠକରେ ଅନୁରୋଧ କରାଯାଇଥିଲା। ଏହା ବ୍ୟତୀତ ସ୍ଥପତି ତଥା ଜାତୀୟ ପୁୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ପଦ୍ମଶ୍ରୀ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନା ଅନୁସାରେ ପଥର ଖୋଦେଇ ରେଖା ପାଇଁ ୧ କୋଟି ୩୪ ଲକ୍ଷ ୩୧ ହଜାର ୨ ଶହ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ପୀଠ, ବାରଣ୍ଡି, ବାଡା, ପାଶ୍ୱର୍ ମନ୍ଦିର, ଉଡାସିଂହ, ନବଗ୍ରହ, ଦ୍ୱାରସିଂହ ଆଦି ନିର୍ମାଣ ବ୍ୟବସ୍ଥା ରହିଛି। ଜଗମୋହନ ପାଇଁ ୯୧ ଲକ୍ଷ ୨୮ ହଜାର ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ପୀଠ ସହ ବାରଣ୍ଡି, ବାଡା, ପିଢାଚାଳ, ବେଡି, ଦଧିନଉତି, କଳସ, ଦ୍ୱାରବନ୍ଧ, ଦ୍ୱାରପାଳ ସହ ଅନ୍ୟାନ୍ୟ ବ୍ୟବସ୍ଥା ରହିଥିଲା। ନାଟମଣ୍ଡପ ନିର୍ମାଣ ପାଇଁ ୭୧ ଲକ୍ଷ ୩୮ ହଜାର ୪ ଶହ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏଥିରେ ମଧ୍ୟ ପୀଠ, ବାଡା, ବାରଣ୍ଡି, ପିଢାଚାଳ, ଦ୍ୱାରବନ୍ଧ, ଦ୍ୱାରପାଳ, ଦୋପିଚା ସିଂହ ରହିବାର ବ୍ୟବସ୍ଥା ରହିଥିଲା। ଲକ୍ଷ୍ମୀ ଓ ବିମଳା ମନ୍ଦିର ନିର୍ମାଣ ପାଇଁ ୨୭ ଲକ୍ଷ ୬୩ ହଜାର ଟଙ୍କାର ଅଟକଳ କରାଯାଇଥିଲା। ଏଥିରେ ବି ପୂର୍ବର ସମସ୍ତ ବ୍ୟବସ୍ଥା ସହ ଦଧିନଉତି ଓ ପାଶ୍ୱର୍ମୂର୍ତ୍ତି ରହିବାର ବ୍ୟବସ୍ଥା ରହିଥିଲା। ଏହା ବ୍ୟତୀତ ଇଟା, ସିମେଣ୍ଟଣ୍ଟକଂକ୍ରିଟ ସ୍ଲାବ, କଲମ, ବିମ୍, ଲୁହାରଡ ଓ ପ୍ଲାଷ୍ଟର ପାଇଁ ୧୫ ଲକ୍ଷ ୮୦ ସହ ଏହିପରି ମୋଟ ପ୍ରାୟ ୩ କୋଟି ୯୮ ଲକ୍ଷ ୩୪ ହଜାର ୬ ଶହ ଟଙ୍କାର ଯୋଜନା ପ୍ରସ୍ତୁତ ହୋଇସାରିଥିଲା।
ଗତ ୮.୫.୨୦୧୪ ଦିନ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟର ସଭାକକ୍ଷରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପସ୍ଥାପନ କରାଯାଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲା ସଂସ୍କୃତି ବିଭାଗକୁ ଆସିଥିବା ପତ୍ରରେ ସ୍ପଷ୍ଟ କରାଯାଇଥିଲା। ଏପରିକି ବୈଠକ ପରେ ପୁରୀ ଶ୍ରୀମନ୍ଦିର କାର୍ଯର୍୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୬୨୪୧/୨/୨୦୧୪/ ୨.୬.୨୦୧୪ ଅନୁସାରେ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସ୍ଥାନ ନିରୂପଣ ତଥା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ମନ୍ଦିର ପ୍ରଶାସକ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଜଣାଇ ଦିଆଯାଇଥିଲା। ଏହି ପତ୍ର ମିଳିବା ପରେ ପାତାଳି ଶ୍ରୀକ୍ଷେତ୍ରରେ ଆବଶ୍ୟକ ସ୍ଥାନ ନିରୂପଣ କରି ସୁବର୍ଣ୍ଣପୁର ଜିଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୭୪୫୨/ ୧୫.୯.୨୦୧୪ ରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କମିଶନରଙ୍କୁ ପତ୍ର ଲେଖି ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଥିବା ୪ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରିବା ସହ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସ୍ୱୀକୃତି ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଇତି ଦୀର୍ଘ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିବାରୁ ଜିଲାର ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥିଙ୍କୁ ପଚାରିବାରୁ ଏନେଇ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଜମି ମଧ୍ୟ ସ୍ଥିର ହୋଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇ ସାରିଛି; କିନ୍ତୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଏ ସଂକ୍ରାନ୍ତୀୟ କୌଣସି ପତ୍ରାଳାପ ହୋଇ ନଥିବାରୁ ପାତାଳିରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି ।

ପାତାଳୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ପାତାଳୀ ହେବା ମାଦଳା ପାଞ୍ଜିରେ ରହିଛି

ଲୀଳାମୟ ଜଗନ୍ନାଥ। ତାଙ୍କର ଲୀଳା ସମସ୍ତଙ୍କୁ ଅଜଣା। ଭକତ ଭାବରେ ବନ୍ଧା ସ୍ୱୟଂ ଜଗତରନାଥ ବଡଦେଉଳ ଛାଡି ଅନେକ ସ୍ଥାନରେ ଗୁପ୍ତଲୀଳା କରିଥିବା ପୁରାଣରୁ ଜଣାଯାଏ। ସେଭଳି ଦୀର୍ଘ ୧୪୪ ବର୍ଷ ଧରି ସୁବର୍ଣ୍ଣପୁର ଜିଲାର କୋଟ ସମଲାଇ ନିକଟରେ ଥିବା ପାତାଳୀ ଶ୍ରୀକ୍ଷେତ୍ରର ଛଳିଆ ପାହାଡରେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଦୀର୍ଘ ୧୪୪ ବର୍ଷ ଧରି ପାତାଳୀ ହୋଇଥିବା ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ରହିଥିବା ୯ ସେପ୍ଟେମ୍ବର ୨୦୧୦ରେ ଶ୍ରୀମନ୍ଦିର ପ୍ରଶାସନର ଉପ ମୁଖ୍ୟ ପ୍ରଶାସକ ଡଃ ଭାସ୍କର ଚନ୍ଦ୍ର ମିଶ୍ର ପ୍ରଥମେ ଏହି ଶ୍ରୀକ୍ଷେତ୍ରକୁ ଆସିଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ସୂଚନା ଦେଇଥିଲେ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରର ଗରାବଡୁ ନିଯୋଗର ଏକ ୭୨ ଜଣିଆ ପ୍ରତିନିଧି ଦଳ ମଧ୍ୟ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନରେ ଆସି ଠାକୁରଙ୍କୁ ଦର୍ଶନ କରି ଯାଇଥିଲେ। ଏହି ପ୍ରତିନିଧି ଦଳ ଛଳିଆ ପାହାଡର ଶିଖରରେ ଥିବା ମାଧବ ଗୁମ୍ଫା, ଧ୍ୱନୀ ଗୁମ୍ଫା, ଜଗନ୍ନାଥ ଗୁମ୍ଫା ଆଦି ପରିଦର୍ଶନ କରି ଏହି ଠାରେହିଁ ସ୍ୱୟଂ ଜଗନ୍ନାଥଙ୍କ ବ୍ରହ୍ମର ସନ୍ଧାନ ପାଇଥିବା ସୂଚନା ଦେଇଥିଲେ। ଏହି ପ୍ରତିନିଧି ଦଳରେ ଆସିଥିବା ଗରାବଡୁ ନିଯୋଗର ସିଦ୍ଧନାଥ ଗୁରୁ ଭାବବିହ୍ୱଳ ହୋଇ ଜଗନ୍ନାଥଙ୍କ ଆଦିଲିଳା କ୍ଷେତ୍ର ଏହି ପାତାଳୀ ଯାହାକି ବିଭିନ୍ନ ସମୟରେ ଜବନମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ୱୟଂ ଜଗନ୍ନାଥ ଏଠାରେ ଦୀର୍ଘ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ ବୋଲି କହଥିଲେ। ଏହା ସହିତ ଦଳରେ ଆସିଥିବା ପୁରୀ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଐତିହାସିକ ସୁରେନ୍ଦ୍ରନାଥ ମିଶ୍ର ଜଗନ୍ନାଥ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପାତାଳି ହୋଇଥିବାରୁ ଏହି ପୀଠ ସମ୍ପର୍କରେ ଆହୁରି ଗବେଷଣା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories