ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋଦୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପାରିକର
ପଣଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଥିଲେ ଜଣେ ବିଚକ୍ଷଣ ରାଜନେତା। ତାଙ୍କ ଦୂରଦୃଷ୍ଟି ମଧ୍ୟ ଥିଲା ବେଶ୍ ତୀକ୍ଷ୍ଣ। ସେ ଏବେ ଆଉ ନାହାନ୍ତି ସତ, କିନ୍ତୁ ତାଙ୍କ ସଚ୍ଚୋଟତା ଏବଂ କାର୍ଯ୍ୟ କରିବାର ଶୈଳୀ ପାଇଁ ସେ ରାଜ୍ୟର ଜନସାଧାରଙ୍କ ମଧ୍ୟରେ ଆଦୃତ ଥିଲେ। ତାଙ୍କ ଦୂରଦୃଷ୍ଟିର ଏକ ଉଦାହରଣ ମଧ୍ୟ ଆଜି ଦେଖିବାକୁ ମିଳେ। ୨୦୧୩ ମସିହାର କଥା। ଗୋଆରେ ବିଜେପିର ଅଧିବେଶନ ଚାଲିଥିଲା। ପୂରା ଦେଶରେ ଚର୍ଚ୍ଚା ଚାଲିଥିଲା ଯେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନା ନାହିଁ। କିନ୍ତୁ ବିଜେପି ପକ୍ଷରୁ କୌଣସି ନେତା ମୋଦୀଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରକାଶ କରୁ ନ ଥିଲେ। ତେବେ ବିଜେପିର ଅଧିବେଶନ ଚାଲିଥିବାବେଳେ ପ୍ରଥମ ଥର ପାଇଁ ପାରିକର ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଲାଗି ମୋଦୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହା ପରେ ତାହା ହିଁ ହୋଇଥିଲା। ବିଜେପି ମୋଦୀଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା। ମୋଦୀ ୨୦୧୪ରେ ପ୍ରଧାମନ୍ତ୍ରୀ ହୋଇଥିଲେ। ପରେ ମୋଦୀ ପାରିକରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ଦେଇଥିଲେ। ୨୦୧୬ ସେପ୍ଟେମ୍ବର ୨୮ ଏବଂ ୨୯ରେ ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସେନା ପିଓକେରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା।