ପାରଳାଖେମୁଣ୍ଡି: ଆଜି ସକାଳୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଗୋଷାଣି, ରାୟଗଡ, କାଶୀନଗର ଓ ପାରଳାଖେମୁଣ୍ଡି ଅଞ୍ଚଳରେ ଝିପ୍ ଝିପ୍ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀର ଚିନ୍ତାକୁ ଦ୍ଵିଗୁଣିତ କରିଛି। ସେପଟେ ବାତ୍ୟା ଖବର ପାଇବା ପରେ ପାରଳାଖେମୁଣ୍ଡିରେ ହଠାତ୍ ଆଳୁ ଉଦ୍ଭାନ ହୋଇଯିବା ଯୋଗୁଁ ଖାଉଟି ଚିନ୍ତାରେ ପଡିବା ସହ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛି । ଅଭିଯୋଗ ପରେ ଜିଲ୍ଲାପାଳ ଯୁଦ୍ଧକାଳୀନ ଭିତ୍ତିରେ ଆଳୁ କଳାବଜାରୀ ରୋକିବା ଓ ପନିପରିବା ଦରକୁ ଆକାଶଛୁଆଁ ନ କରିବା ପାଇଁ ବ୍ୟାପକ ସଚେତନା ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଗଜପତି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଜିଲ୍ଲାର ୧୩୯ଟି ଭୂସ୍ଖଳନ ସମ୍ଭାବିତ ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗକୁ ଆବଶ୍ୟକୀୟ ଉପକରଣ ମହଜୁଦ ରଖାଯାଇଥିବା କହିଛନ୍ତି । ଆଜି ସକାଳ ସୁଦ୍ଧା ୯୪୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ଥର କରାଯାଇଛି। ସେଥିମଧ୍ୟରୁ ୧୬୬ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଠିକଣାକୁ ନେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ନିକଟରେ ତାରିଖ ଥିବା ୯୧ ଜଣଙ୍କୁ ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ମା ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ୭ଟି, ଏନଡିଆରଏଫ୍ ର ଗୋଟିଏ ଓ ଓଡ୍ରାଫ୍ ର ୩ଟି ଦଳ ଜିଲ୍ଲାରେ ପହଞ୍ଚିବେ ବୋଲି ଜଣାପଡିଛି।
Popular Categories



