ପ୍ରଭୁ ହନୁମାନଙ୍କ ପଞ୍ଚମୁଖୀ ରୂପର ରହସ୍ୟ
ଆପଣ ପ୍ରଭୁ ହନୁମାନଙ୍କ ପଞ୍ଚମୁଖୀ ରୂପ ସମ୍ବନ୍ଧରେ ଜାଣିଥିବେ। ଏହାସହ ପ୍ରଭୁ ହନୁମାନଙ୍କର ସେହି ରୂପରେ ଅନେକ ପ୍ରତିମା ଓ ଫଟୋ ଦେଖିଥିବେ। ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିବାର କାରଣ ଅନେକଙ୍କୁ ଜଣା ନଥାଏ। ରାମାୟଣରେ ବର୍ଣ୍ଣିତ ପୌରାଣିକ କଥା ଅନୁଯାୟୀ, ରାବଣ ଓ ରାମଙ୍କ ଯୁଦ୍ଧ ସମୟରେ ଅହିରାବଣ ଏକ ମାୟା କରିଥିଲେ। ରାବଣକୁ ଯୁଦ୍ଧରେ ବିଜୟୀ କରିବା ପାଇଁ ସେ ସେହି ମାୟା କରିଥିଲେ। ମାୟା ଅନୁସାରେ ସେ ରାମଙ୍କ ସମସ୍ତ ସେନାକୁ ଗଭୀର ନିଦରେ ଶୁଆଇ ଦେଇଥିଲେ। ତାପରେ ଅହିରାବଣ, ରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରି ପାତାଳପୁରୀକୁ ନେଇଯାଇଥିଲେ। ଏହି ବିପତ୍ତିରୁ ରକ୍ଷା କରିବା ପାଇଁ ସମସ୍ତ ସେନା ପ୍ରଭୁ ହନୁମାନଙ୍କ ସ୍ମରଣ କରିଥିଲେ।
ହନୁମାନ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଖୋଜି ପାତାଳପୁରୀକୁ ପଳାଇଥିଲେ। ହନୁମାନଙ୍କର ସେଠାରେ ମକରଧ୍ବଜଙ୍କ ସହ ଯୁଦ୍ଧ ହୋଇଥିଲା। ହନୁମାନ ଯୁଦ୍ଧରେ ମକରଧ୍ବଜଙ୍କୁ ପରାସ୍ତ କରିଥିଲେ। ଏହାପରେ ସେ ପାତଳାପୁରୀରେ ପହଞ୍ଚି ଥିଲେ। ସେଠାରେ ସେ ରାମ ଓ ଲକ୍ଷ୍ମଣଙ୍କୁ ବନ୍ଦୀ ଅବସ୍ଥାରେ ଦେଖିଥିଲେ। ବନ୍ଦୀ ଥିବା ମହଲର ଚାରି ପାର୍ଶ୍ବରେ ଦୀପ ଜଳୁଥିବା ଓ ମା ଭବାନୀଙ୍କ ନିକଟରେ ରାମ ଓ ଲକ୍ଷ୍ମଣଙ୍କୁ ବଳୀ ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ହନୁମାନ ଦେଖିଥିଲେ। ସେଥିରୁ ରାମ ଓ ଲକ୍ଷ୍ମଣଙ୍କୁ ରକ୍ଷା କରିବାକୁ ହନୁମାନ ଯୋଜନା କରିଥିଲେ।
ଅହିରାବଣଙ୍କୁ ବଧ କରିବା ପାଇଁ ମହଲରେ ଜଳୁଥିବା ସମସ୍ତ ଦୀପକୁ ଏକା ସହ ଲିଭାଇବାକୁ ହେବ ବୋଲି ହନୁମାନ ଜାଣିଲେ। ସେଥିପାଇଁ ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିଥିଲେ। ଏହି ପଞ୍ଚମୁଖୀ ରୂପରେ ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣ ଦିଗରେ ନରସିଂହ ରୂପ, ପଶ୍ଚିମ ଦିଗରେ ଗରୁଡ ମୁଖ, ଆକାଶକୁ ହୟଗ୍ରୀବ ମୁଖ ଓ ପୂର୍ବକୁ ହନୁମାନଙ୍କ ମୁଖ ରହିଥିଲା। ହନୁମାନଙ୍କର ଏହି ରୂପକୁ ଦିବ୍ୟ ରୂପ କୁହାଯାଏ। ସେ ଏହି ରୂପରେ ସମସ୍ତ ଦୀପକୁ ଲିଭାଇ ଦେଇ ଅହିରାବଣର ଅନ୍ତ କରିଥିଲେ। ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କର ଉଦ୍ଧାର କରିଥିଲେ। ଏହି ପ୍ରକାରରେ ହନୁମାନଙ୍କର ପଞ୍ଚମୁଖୀ ରୂପକୁ ଦୁନିଆରେ ପୂଜା କରାଯାଉଛି।