ନୂଆଦିଲ୍ଲୀ : ସାଧରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ୧୪୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ୭ ଜଣଙ୍କୁ ପଦ୍ମ ବିଭୂଷଣ,୧୬ ଜଣଙ୍କୁ ପଦ୍ମଭୂଷଣ ଏବଂ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ତେବେ ୪ ଜଣଙ୍କୁ ମିଳିତ ଭାବେ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ତେବେ ଗୌରବର କଥା ହେଉଛି ଚଳିତ ବର୍ଷ ୧୧ ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କୁ ଚଳିତ ବର୍ଷର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯିବ।
ସେହିପରି ଚଳଚ୍ଚିତ୍ର ନିର୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରକୁ ଅବଦାନ ପାଇଁ ଡକ୍ଟର ଦମୟନ୍ତୀ ବେସ୍ରା, ବୀଣାପାଣି ମହାନ୍ତି ଏବଂ ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । କଳା କ୍ଷେତ୍ରକୁ ଅବଦାନ ପାଇଁ ଉତ୍ସବ ଚରଣ ଦାସ ଓ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଜୈବିକ କୃଷିି ପାଇଁ ପ୍ରଫେସର ରାଧା ମୋହନ ଓ ତାଙ୍କ ଝିଅ ସାବରମତି ଏବଂ ଚିକିତ୍ସା ପାଇଁ ଡକ୍ଟର ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ପଶୁପାଳନ କ୍ଷେତ୍ରରେ ସଫଳତା ପାଇଁ ବଟକୃଷ୍ଣ ସାହୁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।



