ହଷ୍ଟେଲରେ ନ ରହି ବି ଦେୟ ଦେବେ ଓୟୁଏଟି ବିଦ୍ୟାର୍ଥୀ; କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଏବିଭିପି ପକ୍ଷରୁ କୁଳପତିଙ୍କୁ ଦାବିପତ୍ର

ଭୁବନେଶ୍ବର: କରୋନାକାଳରେ ସ୍କୁଲ କଲେଜରେ ପାଠପଢ଼ା ବନ୍ଦ । ହଷ୍ଟେଲରେ ପିଲା ନାହାନ୍ତି । ପିଲାମାନଙ୍କ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଘରୋଇ ସ୍କୁଲଗୁଡ଼ିକରେ ଫି’ ହ୍ରାସ ଦାବି ମାମଲା ଅଦାଲତରେ ପହଞ୍ଚିଛି । ଏପରି ସ୍ଥିତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଫି ଦାଖଲକୁ ନେଇ ବିବାଦ ସୃଷ୍ଟି ହୋଇଛି। କରୋନା ଯୋଗୁଁ  ଚଳିତ ବର୍ଷ ମାର୍ଚ୍ଚରୁ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନାହାନ୍ତି। ତେବେ ପରବର୍ତ୍ତୀ ସେମିଷ୍ଟରକୁ ଉନ୍ନିତ  ହେବା ପାଇଁ ବିଦ୍ୟାର୍ଥୀଙ୍କଠାରୁ ନାମଲେଖା ଫି ସହ ହଷ୍ଟେଲ ଫି ଦାଖଲ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଦୃଢ ବିରୋଧ କରିଛନ୍ତି  କରୋନା ଯୋଗୁଁ ବିଦ୍ୟାର୍ଥୀ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାବେଳେ ହଷ୍ଟେଲରେ ନରହି କିଭଳି ଫି ଦାଖଲ କରିବେ ବୋଲି ପ୍ରଶ୍ନ ପଚାରିଛନ୍ତି। ଏନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କୃଷି ଛାତ୍ର ଆୟାମଏଗ୍ରିଭିଜନ ଓଡିଶା ପକ୍ଷରୁ ବର୍ଦ୍ଧିତ ଫି ଓ ବିଦ୍ୟାର୍ଥୀଙ୍କଠାରୁ କରୋନା ପୂର୍ବରୁ ନିଆଯାଇଥିବା ହଷ୍ଟେଲ ଫିକୁ ବିରୋଧ କରି କୁଳପତିଙ୍କୁ ଦାବିପତ୍ର  ପ୍ରଦାନ କରିଛନ୍ତି।
ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି) ଓ ପିଏଚ୍‌ଡି ପାଠ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲ ଫି ଦାଖଲ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ବିଦ୍ୟାର୍ଥୀଙ୍କୁ ହଷ୍ଟେଲ ସିଟ୍‌ ଭଡ଼ା, ପାଣି ବିଲ୍‌, କମନ୍‌ରୁମ୍‌ ଦେୟ, ହଷ୍ଟେଲ ଉନ୍ନୟନମୂଳକ ଫି, ଏଷ୍ଟାବ୍ଲିସ୍‌ମେଣ୍ଟ ଫି ଦାଖଲ କରିବାକୁ କୁହାଯାଇଛି । ଏହା ବ୍ୟତୀତ ବିଦ୍ୟୁତ୍‌ ବ୍ୟବହାର କରି ନଥିଲେ ମଧ୍ୟ ଫି ଦେବାକୁ କୁହାଯାଇଛି।  ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଏଭଳି ଏକପାଖିଆ ନିଷ୍ପତ୍ତି ହଷ୍ଟେଲ ଅନ୍ତୋବାସୀ ଦୃଢ ବିରୋଧ କରିଛନ୍ତି। କରୋନା ଯୋଗୁଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଫି’ ଛାଡ଼ କରିବା ପରିବର୍ତ୍ତେ  ବିଦ୍ୟାର୍ଥୀ ହଷ୍ଟେଲରେ ନରହି ତାଙ୍କୁ ଫି’ ମାଗିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି। ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଦ୍ୟାର୍ଥୀ ଦାବି କରିଛନ୍ତି। ଓୟୁଏଟିରେ ୧୨ଟି ହଷ୍ଟେଲରେ ପ୍ରାୟ  ୧୫ଶହରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ରହୁଛନ୍ତି।
ଏବିଭିପି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀ କରୋନା ର୍ପୂବରୁ ହଷ୍ଟେଲ ଫି ଦେଇଥିଲେ।  କରୋନା ହେବା ପରେ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ସହ ହଷ୍ଟେଲରେ କହି ରହୁନାହାନ୍ତି। ପୁଣି ବର୍ଦ୍ଧିତ ଫି ବିଦ୍ୟାର୍ଥୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବର୍ଦ୍ଧିତ ଫି’ ହ୍ରାସ ସହ ଯେଉଁ ବିଦ୍ୟାର୍ଥୀଙ୍କଠାରୁ ହଷ୍ଟେଲ ଫି ନେଇଛନ୍ତି ତାକୁ ଫେରସ୍ତ କରିବାକୁ  ଦାବି କରାଯାଇଛି।  ସମସ୍ୟାର ସମାଧାନ ନହେଲେ ରାଜ୍ୟପାଳଙ୍କୁ ଘଟଣା ସମ୍ବନ୍ଧରେ ଅବଗତ କରାଯିବ ବୋଲି ଏଗ୍ରିଭିଜନ ରାଜ୍ୟ ସଂଯୋଜକ ଚଣ୍ଡିପ୍ରସାଦ ସୁଆର କହିଛନ୍ତି।  ଓୟୁଏଟି ଛାତ୍ର କଲ୍ୟାଣ ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ ଦାସ କହିଛନ୍ତି କିଛି ଛାତ୍ରଛାତ୍ରୀ ହଷ୍ଟେଲ ଦେୟ ସମ୍ବନ୍ଧରେ ଆମକୁ ଜଣାଇଛନ୍ତି। ସେମାନଙ୍କର ଦାବି ନେଇ ଆମେ କୁଳପତିଙ୍କୁ ଅବଗତ କରିଛୁ। କୁଳପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Comments are closed.