ସମାଜ ଡିଜିଟାଲ ଡେସ୍କ: ରାତି ପାହିଲେ ବିଧାନସଭା। ତେଣୁ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ। ବୁଧବାର ଉଭୟ ବିରୋଧୀ ବୈଠକ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି।
ବୁଧବାର ସନ୍ଧ୍ୟାରେ ବିଜେଡିର ବିଧାୟକ ଦଳ ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଗାମୀ କାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ବିଧାନସଭାର ମୌସୁମୀ ଅଧିବେସନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଗତ ସାଢେ ତିନି ମାସ ମଧ୍ୟରେ ମହିଳା ସୁରକ୍ଷା, ସାର ଯୋଗାଣ ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା, ରାଜ୍ୟ ସ୍ୱାର୍ଥର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଦବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଜଳ ଜଳ ହୋଇ ଦିଶୁଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ମହିଳାମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢି ଚାଲିଛି। ରାଜ୍ୟରେ ଏବେ କେହି ନିରାପଦ ନୁହନ୍ତି। ସେହିପରି ସାର ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନବକୃତ ସଙ୍କଟ ଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି। ପଞ୍ଚାୟତି ରାଜ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସମ୍ପୂର୍ଣ୍ଣ ନଷ୍ଟ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି ସକାଶେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ ବୋଲି ନବୀନ କହିଥିଲେ। ଏତଦ୍ ବ୍ୟତୀତ ଓଡିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବି କରାଯିବ ବୋଲି ସେ କହିଥିଲେ।
ନବୀନ କହିଥିଲେ ଯେ, କେବଳ ମିଛ ପ୍ରଚାର ବ୍ୟତୀତ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି। ତେଣୁ ଚାଷୀ, ମହିଳା, ପଞ୍ଚାୟତିରାଜ ବ୍ୟବସ୍ଥା ତଥା ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ବିଜୁ ଜନତା ଦଳ ବିଧାନସଭାରେ କଠୋର ଆଭିମୁଖ୍ୟ ନେଇ କାମ କରିବ।
ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ନେତାଙ୍କ ପରାମର୍ଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟପଟେ କଂଗ୍ରେସ ବିଧାନସଭା ପରିସରସ୍ଥ ବିରୋଧୀ ଦଳ କକ୍ଷରେ ବିଧାୟକ ଦଳ ବୈଠକ କରିଥିଲା। ଏହାର ନେତୃତ୍ଵ ନେଇଥିଲେ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ପିସିସି ସଭାପତି ଭକ୍ତଚରଣ ଦାସ ଉପସ୍ଥିତ ରହିଥିଲେ। ରାଜ୍ୟ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା, ନାରୀ ନିର୍ଯାତନା ବୃଦ୍ଧି ପାଇଥିବା, ସାର ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଧାନସଭା ଅଧିବେସନରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ବୈଠକରେ ସୂଚନା ଦିଆଯାଇଛି।



