ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନର ଅସଲ ମୁଖା ଅନ୍ତର୍ଜାତୀୟ ସ୍ତରରେ ପର୍ଦ୍ଦାଫାସ କରିବା ପାଇଁ ମୋଦୀ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି । ଏଥିପାଇଁ ଗଠନ ହୋଇଛି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ । ପ୍ରତ୍ୟେକ ଟିମର ନେତୃତ୍ୱ ନେବେ ୭ଜଣ ବରିଷ୍ଠ ସାଂସଦ ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା ନେବେ ନେତୃତ୍ୱ । ସେହିପରି କଂଗ୍ରେସର ଶଶି ଥରୁର, ଜେଡିୟୁର ସଞ୍ଜୟ ଝା ନେତୃତ୍ୱ ନେବେ । ଡିଏମକେର କାନିମୋଇ କରୁଣାନିଧି ଓ ଏନସିପିର ସୁପ୍ରିୟା ସୁଲେ, ଶିବସେନାର ଶିକାନ୍ତ ଏକନାଥ ସିନ୍ଦେ ନେତୃତ୍ୱ ନେବେ । ଜାତିସଂଘର ସଦସ୍ୟ ରାଷ୍ଟ୍ରକୁ ମଧ୍ୟ ପ୍ରତିନିଧି ଦଳ ଗସ୍ତ କରିବେ । ଚଳିତ ମାସ ଶେଷରେ ସହଯୋଗୀ ଦେଶ ଗସ୍ତ କରିବେ ଏହି ପ୍ରତିନିଧି ଦଳ । ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ବାର୍ତ୍ତା ପହଞ୍ଚାଇବେ ଏହି ବରିଷ୍ଠ ନେତା ।
କଂଗ୍ରେସ ନେତା ଶଶି ଥରୁର ଜାତିସଂଘରେ ମଧ୍ୟ କାର୍ଯ୍ୟ କରିଛନ୍ତି, ତେଣୁ ସରକାର ତାଙ୍କ ଅଭିଜ୍ଞତାକୁ ବିଚାର କରି ପାକିସ୍ତାନ ବିରୋଧରେ ଏକ ଆନ୍ତର୍ଜାତୀୟ ଅଭିଯାନ ଚଳାଇବା ପାଇଁ ଗଠିତ ଦଳର ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଛନ୍ତି । କୁହାଯାଉଛି ଯେ ଶଶି ଥରୁର ଆମେରିକା ଏବଂ ୟୁରୋପର ଅନ୍ୟ କିଛି ଦେଶ ଗସ୍ତ କରିବେ ଏବଂ ପାକିସ୍ତାନର ଷଡଯନ୍ତ୍ର ବିଷୟରେ ଜନମତ ସୃଷ୍ଟି କରିବେ । ସେହିପରି ଦଳର ଅନ୍ୟ ସଦସ୍ୟମାନେ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯାଇ ପାକିସ୍ତାନର ପର୍ଦ୍ଦାଫାସ କରିବେ । ପାକିସ୍ତାନ ଆତଙ୍କବାଦୀଙ୍କ ରହଣୀ ପାଇଁ ଏକ ସୁରକ୍ଷିତ ସ୍ଥାନ । ଜାତିସଂଘ ଏବଂ ଆମେରିକା ଦ୍ୱାରା ନିଷିଦ୍ଧ ଆତଙ୍କବାଦୀମାନେ ଏବେ ବି ସେଠାରେ ଖୋଲାଖୋଲି ଭାବେ ବୁଲୁଛନ୍ତି ।



