ଭୁବନେଶ୍ଵର: ବିଗତ ସାତ ଦଶନ୍ଧି ଧରି ପାକିସ୍ତାନର ଶାସକ ଓ ସେନାବାହିନୀ ଭାରତ ପ୍ରତି କି ପ୍ରକାରର ମନୋଭାବ ପୋଷଣ କରନ୍ତି ସେ ବିଷୟରେ ସମଗ୍ର ବିଶ୍ବ ଅବଗତ। ପ୍ରତ୍ୟେକ ଦିନ ପାକିସ୍ତାନରେ ହୁଏ ଭାରତ ବିପକ୍ଷରେ ଭୟଙ୍କର ଷଡ଼ଯନ୍ତ୍ର। ଅତୀତରେ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ସହିତ ବାରମ୍ବାର ସୁସମ୍ପର୍କ ଗଢ଼ି ତୋଳିବା ପାଇଁ ଅନେକ ପ୍ରୟାସ ହୋଇଥିଲେ ମଧ୍ୟ ପାକିସ୍ତାନ ସେସବୁକୁ ବିଭିନ୍ନ ପ୍ରକାରର ଆଳ ଦେଖାଇ ଆଡେଇ ଦେଇଛି। ପହଲଗାଓଁ ନରସଂହାର ସେହି ଭାରତ-ପାକିସ୍ତାନ ସମ୍ପର୍କର କଳଙ୍କିତ ଓ ଅନ୍ଧକାର ଇତିହାସର ଗୋଟିଏ ନୂତନ ଅଧ୍ୟାୟ। ଭାରତର ଧୈର୍ଯ୍ୟଚ୍ୟୁତି ହେବା ପରେ ପାକିସ୍ତାନ ଦ୍ବାରା ପ୍ରାୟୋଜିତ ସନ୍ତ୍ରାସବାଦ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା। ପାକିସ୍ତାନ ନିୟମିତ ଭାବରେ ଆତଙ୍କ ସୃଷ୍ଟି କରିବା କାର୍ଯ୍ୟକଳାପ ଜାରି ରଖିଥିଲେ ମଧ୍ୟ ଭାରତ ଆଜି ପର୍ଯ୍ୟନ୍ତ ପାକିସ୍ତାନ ପ୍ରତି କଦାପି ଦ୍ୱେଷମୂଳକ ପଦକ୍ଷେପ ଗ୍ରହଣ କରି ନାହିଁ। ‘ଅପରେସନ ସିନ୍ଦୂର’ ରେ ମଧ୍ୟ ପାକିସ୍ତାନର ସାଧାରଣ ଲୋକଙ୍କ ଯେପରି କିଛି ଧନ ଓ ଜୀବନ ନଷ୍ଟ ନ ହୁଏ ସେଥିପାଇଁ ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା। ପାକିସ୍ତାନ ଭାରତର ଏହି ମନୋବୃତ୍ତିକୁ ଜାଣି ପାରି ଆକ୍ରମଣ ସମୟରେ ସେନାବାହିନୀ ନିଜକୁ ସୁରକ୍ଷିତ ରଖିବା ପାଇଁ ବେସାମରିକ ବିମାନକୁ ଢାଲ ସ୍ୱରୂପ ଉପଯୋଗ କରୁଥିଲା। ବିଡ଼ମ୍ବନାର ବିଷୟ ଯେ ପାକିସ୍ତାନ ଭାରତର ଭ୍ରାତୃଭାବ ସହିତ ସମନ୍ୱିତ ଆଞ୍ଚଳିକ ସ୍ଥିରତା ଓ ବିକାଶର ଆଦର୍ଶ ଓ ସମର୍ପଣକୁ ବୁଝି ନ ପାରିବା କିମ୍ୱା ସବୁ ବୁଝି ମଧ୍ୟ ନିଜକୁ ଧ୍ବଂସ କରିବା ଜିଦ୍ରେ ଅଟଳ ରହିବା ଭାରତ ପାଇଁ ଏକ ବଡ଼ଧରଣର ବିଚିତ୍ର ସମସ୍ୟା ହୋଇଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ବିଷୟରେ ସମସ୍ତେ ପ୍ରାୟ ମୌନ ରହିବା ଓ ସ୍ଥଳ ବିଶେଷରେ ଏହାକୁ ସମର୍ଥନ କରିବା ମଧ୍ୟ ଶୁଭ ଲକ୍ଷଣ ନୁହେଁ। ସନ୍ତ୍ରାସବାଦ କେବଳ ଯେ ପଡୋଶୀ ରାଷ୍ଟ୍ରରେ ସୀମିତ ଏପରି ଧାରଣା ଅତ୍ୟନ୍ତ ଉଦ୍ବେଗଜନକ। ଆତଙ୍କବାଦର କୌଣସି ସୀମା ନାହିଁ କି ତାହାର କେହି ମିତ୍ର ମଧ୍ୟ ନାହାନ୍ତି। ସନ୍ତ୍ରାସବାଦ ଏପରି ଏକ ହୀନ ବିଚାରଧାରା ଦ୍ବାରା ପରିଚାଳିତ ହୁଏ ଯେ ତାହାର ସୃଷ୍ଟିକର୍ତ୍ତାକୁ ବିନାଶ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦିଏ ନାହିଁ। ପାକିସ୍ତାନ ଦ୍ବାରା ପ୍ରାୟୋଜିତ ସନ୍ତ୍ରାସବାଦ ସହିତ ମୁକାବିଲା କରିବା ଓ ଏହାର ସମୂଳ ବିନାଶ କରିବା ପାଇଁ ଭାରତ ସମର୍ଥ। ଭାରତ ନିଜର ବିଶାଳ ସାମରିକ ଶକ୍ତିର ବହୁତ କମ୍ ଶକ୍ତି ଉପଯୋଗ କରି ଏହି ଲକ୍ଷ୍ୟ ହାସଲ କରି ପାରିବ। କିନ୍ତୁ ବିଶ୍ୱରେ ଶାନ୍ତି, ମୈତ୍ରୀ ସହିତ ଆର୍ଥିକ ସହଯୋଗିତା ବୃଦ୍ଧି କରିବା ପାଇଁ ଆମେ ଯେଉଁ ସବୁ ସଙ୍ଗଠନ ଗଢିଛୁ, ଠିକ ସମୟରେ ସଙ୍ଗଠନଗୁଡିକ ସନ୍ତ୍ରାସବାଦ ଭଳି ଏକ ପ୍ରମୁଖ ଓ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ନୀରବ ରହିବା ଭବିଷ୍ୟତ ପାଇଁ ଦୁର୍ଭାଗ୍ୟଜନକ।
ପାକିସ୍ତାନ ଦ୍ବାରା ପରିଚାଳିତ ଆତଙ୍କବାଦୀମାନେ ପହଲଗାଓଁ ଆକ୍ରମଣ କରିଥିବା ସମସ୍ତ ପ୍ରକାରର ପ୍ରମାଣ ରହିଥିବା ସତ୍ତ୍ବେ ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମ ଆତଙ୍କବାଦ କିମ୍ୱା ସନ୍ତ୍ରାସବାଦ ଶବ୍ଦ ବ୍ୟବହାର କରି ନ ଥିଲେ। ୟୁରୋପ ଓ ଆମେରିକାରେ କାର୍ଯ୍ୟ କରୁଥିବା ପ୍ରମୁଖ ଗଣମାଧ୍ୟମ ଲେଖିଲେ ଯେ କିଛି ସନ୍ଦିଗ୍ଧ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଭାରତରେ କାର୍ଯ୍ୟରତ ଗୋଟିଏ ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖି ପାରିଲେ ନାହିଁ। ଅବଶ୍ୟ ସମ୍ପୃକ୍ତ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ ଏକ ପତ୍ର ପ୍ରାପ୍ତ କରିବା ପରେ ଏଥିରୁ ନିବୃତ୍ତ ହେଲେ। ଭାରତ ବିରୋଧରେ ଆତଙ୍କବାଦକୁ ମୁକ୍ତକଣ୍ଠରେ କହିବା ବା ଲେଖିବାରେ ଅନ୍ତର୍ଜାତୀୟ ଗଣମାଧ୍ୟମ ଏତେ କୁଣ୍ଠିତ କାହିଁକି? ଯେତେବେଳେ ୟୁରୋପ କିମ୍ୱା ଆମେରିକାର କୌଣସି ସହରରେ ବୋମା ଫୁଟେ, ନିରୀହ ଜନତାଙ୍କ ଲୁହ ଓ ଲହୁ ରାଜରାସ୍ତାରେ ବହୁଥାଏ ସେତେବେଳେ ଏହି ଗଣମାଧ୍ୟମମାନେ ଲେଖନ୍ତି ଏହା ଏକ ବିଶ୍ବ ସଙ୍କଟ। ନିଶ୍ଚିତ ଭାବରେ ପୃଥିବୀର କୌଣସି ସ୍ଥାନରେ ବିନା କାରଣରେ ନିରୀହ ଜନତାଙ୍କ ପ୍ରାଣହାନି ଏକ ଦୁଃଖଦ ଘଟଣା। ଏଥିରେ ସ୍ଥାନର ବାଛବିଚାର ରହିବା ଉଚିତ ନୁହେଁ। ଏହା ଦ୍ବାରା କେବଳ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସଙ୍ଗଠନ ଓ ଦେଶମାନଙ୍କ ସାହସ ବୃଦ୍ଧି ହୁଏ। କାରଣ ସେମାନେ ଭଲ ଭାବରେ ଜାଣି ପାରନ୍ତି ଯେ ଆତଙ୍କବାଦକୁ ମୁକ୍ତକଣ୍ଠରେ ନିନ୍ଦା କରିବା ପାଇଁ ବିଶ୍ବରେ ଏକତା ନାହିଁ।
ଜାତିସଂଘର ସୁରକ୍ଷା ପରିଷଦରେ ପହଲଗାଓଁର ଘଟଣାକୁ ନିନ୍ଦା କରାଯିବା ସମୟରେ ସଦସ୍ୟମାନେ ବହୁତ ବାକ୍ ସଂଯମ ରକ୍ଷା କରିଥିଲେ। ପରିଷଦ ପକ୍ଷରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ କେବଳ ଏତିକି ଲେଖା ଥିଲା ଯେ ଯେଉଁମାନେ ଏହି ‘ନିନ୍ଦନୀୟ ଆତଙ୍କବାଦୀ କାଣ୍ଡ’ ପାଇଁ ଦାୟୀ, ସେମାନେ ଦଣ୍ଡନୀୟ ହେବା ଉଚିତ୍ ଏବଂ ଏହାର ଆୟୋଜକ ଓ ପ୍ରାୟୋଜକଙ୍କୁ ଦାୟୀ କରାଯିବା ସହିତ ନ୍ୟାୟର ପରିସର ମଧ୍ୟକୁ ଆଣିବା ଉଚିତ। ଏଠାରେ ଜାତିସଂଘ ପକ୍ଷରୁ ପାକିସ୍ତାନର ନାମ ଉଲ୍ଲେଖ କରାଯାଇ ନ ଥିଲା। ଆଶା କରାଯାଉଛି ଯେ ଯଦି ଭାରତ ସରକାର ସୁରକ୍ଷା ପରିଷଦରେ ପହଲଗାଓଁ ଆକ୍ରମଣରେ ସଂପୃକ୍ତ ଥିବା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ବିପକ୍ଷରେ ଯଥେଷ୍ଟ ପ୍ରମାଣ ପ୍ରଦାନ କରନ୍ତି ତେବେ ପରିଷଦ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’କୁ ଏକ ଆତଙ୍କବାଦୀ ସଙ୍ଗଠନ ରୂପେ ଘୋଷଣା କରିବେ; କିନ୍ତୁ ଏହାର ସମ୍ଭାବନା ବହୁତ କମ। କାରଣ ବର୍ତ୍ତମାନ ପରିଷଦରେ ୧୫ ଜଣିଆ ସଦସ୍ୟଙ୍କ ମଧ୍ୟରୁ ପାକିସ୍ତାନ ସ୍ଥାୟୀ ସଦସ୍ୟ ନ ହେଲେ ମଧ୍ୟ ଅସ୍ଥାୟୀ ସଦସ୍ୟ। ପରିଷଦ ମଧ୍ୟରେ ସ୍ଥାୟୀ ସଦସ୍ୟ ଚୀନ ପାକିସ୍ତାନକୁ ଘଣ୍ଟ ଘୋଡ଼ାଇ ରଖିବ। ଯେତେବେଳେ ସୀମାରେ ସମର ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ସେତେବେଳେ ୟୁରୋପ ସଂଘ ପକ୍ଷରୁ ବାରମ୍ବାର ଯୁଦ୍ଧ ଉତ୍ତେଜନା ହ୍ରାସ କରିବା ପାଇଁ ଅନୁରୋଧ କରାଗଲା। ୟୁରୋପ ସଂଘ ପକ୍ଷରୁ ମଧ୍ୟ ସିଧା ସଳଖ ଭାବରେ ପାକିସ୍ତାନ ହିଁ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରୁଛି କିମ୍ବା ସୀମା ଭେଦ ଆତଙ୍କବାଦ କାର୍ଯ୍ୟକଳାପକୁ ଉତ୍ସାହିତ କରୁଛି ବୋଲି କୁହାଗଲା ନାହିଁ। ବ୍ରିଟେନ ୟୁରୋପ ସଂଘରୁ ବିଦାୟ ନେବା ପରେ ଗତ ମେ ଛ’ ତାରିଖ ଦିନ ଭାରତ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିଛି; କିନ୍ତୁ ବ୍ରିଟେନ ମଧ୍ୟ ଶାନ୍ତି ରକ୍ଷା କରିବା ପାଇଁ ଉପଦେଶ ଦେଇ ପ୍ରମାଣିତ କଲା ଯେ ମୁକ୍ତ ବାଣିଜ୍ୟ ରାଜିନାମା କେବଳ ଆର୍ଥିକ କାରବାର ପାଇଁ ଉଦ୍ଦିଷ୍ଟ ଓ ଦ୍ୱିପାକ୍ଷିକ ସଂପର୍କ ଉନ୍ନତିରେ ଅଧିକ ଆଶା କରିବା ନିରର୍ଥକ।
କ୍ୱାଡ଼ ଗୋଷ୍ଠୀ ପକ୍ଷରୁ ମଧ୍ୟ ଭାରତକୁ ନୈତିକ ସମର୍ଥନ ମିଳିଲା ନାହିଁ। ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପାକିସ୍ତାନ ଶବ୍ଦକୁ ତୁଣ୍ଡରେ ଧରିବା ପାଇଁ ଉଚିତ ଭାବିଲେ ନାହିଁ। ଡୋନାଲ୍ଡ ଟ୍ରମ୍ପ୍ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ଅପମାନିତ କରିବାକୁ କୁଣ୍ଠା ବୋଧ କଲେ ନାହିଁ। ବ୍ରିକ୍ସ ଗୋଷ୍ଠୀରେ ମଧ୍ୟ ସମଦଶା। ରୁଷ, ଇରାନ ମଧ୍ୟ ଉତ୍ତେଜନା ହ୍ରାସ କରିବା ପାଇଁ ଉପଦେଶ ଦେଲେ। ପହଲଗାଓଁ ନରସଂହାର ଘଟଣା ପରେ ଆତଙ୍କବାଦକୁ ମୁକ୍ତକଣ୍ଠରେ ନିନ୍ଦା କରାଗଲା। ସମଗ୍ର ବିଶ୍ବରେ ଆତଙ୍କବାଦ ବିରୋଧରେ ଯେପରି ଏକ ବଳିଷ୍ଠ ସ୍ୱର ସୃଷ୍ଟି ହୋଇଥିଲା ତାକୁ ଲକ୍ଷ୍ୟ ରଖି ଭାରତ ସରକାର ଚିନ୍ତା କରିଥିଲେ ଯଦି ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରାଯାଏ ତେବେ ସମସ୍ତ ପ୍ରକାରର ନୈତିକ ସମର୍ଥନ ମିଳିବା ସହିତ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ଭାବରେ ଏକଘରିକିଆ କରିବା ବହୁତ ସହଜ ହେବ; କିନ୍ତୁ ଭାରତ ଯେତେବେଳେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କଲା ତାହାପରେ ସମସ୍ତେ ନୀରବ ରହିଲେ ଓ ଯୁଦ୍ଧ ନ କରି ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବା ପାଇଁ ଉପଦେଶ ଦେଲେ। ‘ଅପରେସନ ସିନ୍ଦୂର’ର ଲକ୍ଷ୍ୟ ପାକିସ୍ତାନ ସହିତ ସିଧାସଳଖ ଯୁଦ୍ଧ ନ ଥିଲେ ମଧ୍ୟ ବିଶ୍ବର ପ୍ରମୁଖ ନେତୃବୃନ୍ଦ ଅନୁଭବ କଲେ ଯେ ଭାରତ ସିଧାସଳଖ ଭାବରେ ପାକିସ୍ତାନ ସହିତ ଯୁଦ୍ଧ କରିବା ପାଇଁ ଆଗ୍ରହୀ। ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ପାକିସ୍ତାନକୁ ଅତି ସହଜରେ ଆର୍ଥିକ ସହାୟତା ଯୋଗାଇ ଦିଆଗଲା। ଏପରି ପରିସ୍ଥିତିରେ ଋଣ ପ୍ରଦାନରେ ଟିକିଏ ବିଳମ୍ବ କରି ସନ୍ତ୍ରାସବାଦକୁ ନିୟନ୍ତ୍ରଣ କରିବା ପାଇଁ ଚାପ ସୃଷ୍ଟି କରାଯାଇ ପାରିଥାନ୍ତା। ଏବେ ଅବଶ୍ୟ ଆଇଏମ୍ଏଫ୍ ଭବିଷ୍ୟତ ଋଣ ପାଇଁ କିଛି ସର୍ତ୍ତ ରଖିଛି।
ସନ୍ତ୍ରାସବାଦ ବିରୋଧରେ ଯୁଦ୍ଧ ସମୟରେ ଭାରତ ପାଖରେ କୁମ୍ଭୀର କାନ୍ଦଣା ସହାନୁଭୂତି ଓ ଅଯଥା ଉପଦେଶ ବ୍ୟତୀତ କିଛି ନ ଥିଲା କହିଲେ ଚଳେ। ଆତଙ୍କବାଦ ପରି ଏକ ବିଶ୍ବବ୍ୟାପୀ ସମସ୍ୟାର ସମାଧାନ କରିବା ସମୟରେ ଭାରତ କୂଟନୈତିକ ଦୃଷ୍ଟିକୋଣରୁ ଏପରି ଏକୁଟିଆ ହୋଇଗଲା କାହିଁକି? ଭାରତ ୨୦୧୪ ପର୍ଯ୍ୟନ୍ତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନୀତି ଅବଲମ୍ବନ କରି ଆସୁଥିଲା; କିନ୍ତୁ ଏହା ପରେ ଭାରତର ବୈଦେଶିକ ନୀତିରେ ପରିବର୍ତ୍ତନ ଆସିଛି। ବିଶ୍ବର ଅନେକ ଛୋଟ ବଡ଼ ଗୋଷ୍ଠୀରେ ଭାରତ ଏକ ପ୍ରମୁଖ ସ୍ଥାୟୀ ସଦସ୍ୟ। କିନ୍ତୁ ବିପଦ ସମୟରେ ଭାରତ ପାଖରେ କେହି ଠିଆ ହେଲେ ନାହିଁ। ଏଥିରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା ନିଷ୍କର୍ଷ ଭାବରେ ମିଳିଥାଏ। ପ୍ରଥମ ଭାରତ ଯେଉଁ ସବୁ ଗୋଷ୍ଠୀରେ ସଦସ୍ୟ ରହିଛି ସେଠାରେ କେବଳ ଭାରତର ବିଶାଳ ବଜାରକୁ ଗୁରୁତ୍ବ ପ୍ରଦାନ କରାଯାଉଛି। କେବଳ ଆର୍ଥିକ ସହଯୋଗିତା ମୂଳ ଲକ୍ଷ୍ୟ। ସଦସ୍ୟମାନଙ୍କ ଅନ୍ୟାନ୍ୟ ସମସ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉ ନାହିଁ। ଅନ୍ୟଟି ହେଲା ସନ୍ତ୍ରାସବାଦ ଭଳି ଭୟଙ୍କର ସମସ୍ୟା ଉପରେ ମତପାର୍ଥକ୍ୟ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏକମତ ଓ ପରସ୍ପର ମଧ୍ୟରେ ସହଯୋଗ ନ ରହିଲେ ସନ୍ତ୍ରାସବାଦକୁ ବିନାଶ କରିବା ସମ୍ଭବ ନୁହେଁ।
ବେଲେଶ୍ବର, ନୟାବଜାର, କଟକ
ଉପଦେଶ ନୁହେଁ, ସହଯୋଗ ଲୋଡା
Popular Categories



