ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ପ୍ରତିବର୍ଷ ବିଭିନ୍ନ ଗ୍ରାମରେ ଏକାଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଗୁରୁବାର ବହଲପଦର ପଞ୍ଚାୟତ ଅନ୍ତର୍ଗତ ଅମରପାଲି ଗ୍ରାମରେ ଏହି ରୋଗରେ ପଡି ପୁଣି ଜଣକର ଜୀବନ ଯାଇଥିବା ଜଣାପଡ଼ିଛି । ମୃତକ ହେଲେ ଗ୍ରାମର ଦଶରଥ ସିନ୍ଦିରିଆ (୬୨)। ଉନ୍ନତ ଚିକିତ୍ସା ନ ପାଇ ସେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ତିନି ମାସ ପୂର୍ବରୁ ତାଙ୍କୁ ପ୍ରଥମେ ଜ୍ଵର ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଏଠାରେ ଭଲ ନ ହେବାରୁ ପରେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମ୍ବଲପୁର ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ପରୀକ୍ଷାନିରୀକ୍ଷା ପରେ ଦଶରଥ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ତେଣୁ ସେଠାରୁ ସେ ବୁର୍ଲା ବଡ଼ ଡ଼ାକ୍ତରଖାନା ଓ ପରେ ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ତାହା କୌଣସି କାମରେ ଆସିପାରି ନ ଥିଲା । ମାଗଣାରେ ମିଳୁଥିବା କିଛି ଔଷଧକୁ ଛାଡ଼ି ଅନେକ ଔଷଧ ବାହାର ଦୋକାନରୁ କିଣିବାକୁ ପଡୁଥିଲା ବୋଲି ଜଣାପଡିଛି । ସମ୍ବଳ ଅଭାବରୁ ଦଶରଥଙ୍କ ଅଧିକ ଚିକିତ୍ସା ହୋଇପାରି ନ ଥିଲା। ବୁର୍ଲାରୁ ଆସିବା ପରେ ସେ ଘରେ ପଡ଼ି ରହିଥିଲେ । ଦଶରଥଙ୍କ ଜମିବାଡ଼ି କହିଲେ ପ୍ରାୟ ଅଧ ଏକର । ତାଙ୍କର ତିନି ପୁଅ ଓ ତିନି ଝିଅ । ଦୁଇ ପୁଅ ବିବାହିତ ହୋଇଥିବାବେଳେ ସମସ୍ତ ତିନି ପୁଅ ଶ୍ରମିକ ଭାବେ କାମ କରନ୍ତି। ସ୍ୱର୍ଗତ ଦଶରଥ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି। ଅନ୍ୟପଟେ ଏହି ଅଞ୍ଚଳରେ କ’ଣ ପାଇଁ କିଡନୀ ରୋଗ ବ୍ୟାପୁଛି ତାହାର ଯାଞ୍ଚ କରି ପ୍ରତିକାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।



