କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଧାମୁଣିପଙ୍ଗା ପଞ୍ଚାୟତ ଅଧୀନସ୍ଥ ଗୁଣ୍ଡୁରୀଗୁଡା ଗାଁର ହିକକା ସପାଇ ନାମ୍ନୀ ବୃଦ୍ଧାଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସପାଇ କୌଣସି କାମରେ କଲ୍ୟାଣସିଂହପୁର ଆସି ଅପରାହ୍ନରେ ସେ ନିଜ ଘର ଗୁଣ୍ଡୁରୀଗୁଡା ଫେରୁଥିବା ସମୟରେ କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ନାଲି ରଙ୍ଗର ମୋଟରସାଇକେଲରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ କାନଫୁଲ ଝାମ୍ପି ନେଇଥିଲେ। ଫଳରେ ସପାଇଙ୍କ କାନ ଛିଣ୍ଡିଯିବାରୁ ସେ ରକ୍ତାକ୍ତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ପଡି ସେ କାନ୍ଦୁଥିବା ଲୋକମାନେ ଦେଖି ତାଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରାଇଥିଲେ।
ଘଟଣା ସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।



