ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା ଚାରିଛକ ନିକଟ ତୁଳସୀପୁରଠାରେ ଶୁକ୍ରବାର ଏକ କୋରିଅର କମ୍ପାନୀ ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ନାମ ହାରାମଣି ସାହୁ ଓ ଘର ତୁଳସୀପୁର ନିକଟ କାଞ୍ଜିଅଁଳାପାଟଣାରେ। ଘଟଣା ପରେ ଚାଳକ ଗାଡ଼ି ସହିତ ଫେରାର ହୋଇଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ହାରାମଣି ରାସ୍ତାପାର୍ଶ୍ବରେ ଚାଲିଚାଲି ଘରକୁ ଫେରୁଥିବା ସମୟରେ କୋରିଅର କମ୍ପାନୀର ଗାଡ଼ିଟି ତାଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଚାରିଛକ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଡେଲିଭରି କୋରିଅର କମ୍ପାନୀର ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।



