www.samajalive.in
Friday, November 14, 2025
25.1 C
Bhubaneswar

ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ତା’ର ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ

ଭୁବନେଶ୍ୱର: ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଅବଧିରେ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ ସମୂହଙ୍କ ପାଇଁ ବ୍ୟବହାର କରିବା ଦିଗରେ ସ୍ୱପ୍ନ ଦେଖିବାକୁ ଓଡ଼ିଶାର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ଭୁବନେଶ୍ୱର ଠାରେ ଯୁବ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ “ଓଡିଶା @୧୦୦ : ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା” କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତାକାଲି ଉତ୍କଳ ଦିବସ । ମୋ ମନରେ ସନ୍ଦେହ ନାହିଁ, ଆଗାମୀ ୧୩ ବର୍ଷ ପରେ ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବା ବେଳେ ଓଡ଼ିଶାର ରୂପରେଖ କଣ ହେବ? ଓଡିଆ ଯୁବଶକ୍ତିଙ୍କ ଭାବନାକୁ ଦେଖିଲେ ମୋର ବିଶ୍ୱାସ, ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ପେଣ୍ଠସ୍ଥଳୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର ଭୂମି ଓଡ଼ିଶା ହିଁ ହେବ। ଦେଶରେ ୫ ଟ୍ରିଲିୟନ ଆମାରେକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖାଯାଇଛି। ଇଣ୍ଟରନେଟର ଉପଯୋଗ ବ୍ୟାପକ ହେଉଛି।

- Advertisement -

ଏହି ସମୟରେ ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା। ସୁଯୋଗର ସଠିକ୍ ଉପଯୋଗ କରିପାରିଲେ ସମାଜର ନୂଆପିଢି ନୂଆ ଇତିହାସ କରେ, ସଂରଚନା କରିପାରିବ। ପୃଥିବୀ ଯେତେବେଳେ ଶକ୍ତିଶାଳୀ ହେବ ଓଡ଼ିଶା ହିଁ ବିଶ୍ୱକୁ ନୂଆ ଦିଗଦର୍ଶନ ଦେବ। ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଅବଦୁଲ କଲାମ କହିଥିଲେ ‘ସ୍ୱପ୍ନ ଏପରି ଦେଖ, ଯେଉଁ ସ୍ୱପ୍ନ ନିଦ ହଜାଇ ଦେବ’। ଆଜିର ଏହି ସମସ୍ତ ଉଚ୍ଚ ଅଭିଳାଷୀ ତଥା ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରୁଥିବା ଯୁବ ନେତୃତ୍ୱଙ୍କ ଉପଲବ୍ଧି କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଦେଶ ଓ ବିଶ୍ୱକୁ ଦିଗଦର୍ଶନ ଦେଖାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଆ ଜାତି ସ୍ୱୟଂ ନୁହେଁ ବରଂ ସମୂହଙ୍କ ପାଇଁ ଭାବୁଥିବା ଜାତି। ୨୨୦୦ ବର୍ଷ ପୂର୍ବରୁ ସଂଗଠିତ କଳିଙ୍ଗ ଯୁଦ୍ଧରେ ଓଡିଆଙ୍କ ସାମୂହିକ ଶକ୍ତିର ଚରମ ନିଦର୍ଶନ ଦେଖିବାକୁ ମିଳିଛି। ଓଡିଆଙ୍କ ଇଚ୍ଛାଶକ୍ତି କାରଣରୁ ମଗଧ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ଅତୀତରେ ଓଡ଼ିଶାର ସାଧବ ପୁଅଙ୍କ ଦ୍ୱାରା ବେପାର ନୌବାଣିଜ୍ୟ ଯୋଗୁଁ ଆମେ ବିଖ୍ୟାତ ଥିଲେ। ଏହା ସହ କୋଣାର୍କ ମନ୍ଦିରରେ ହଜାର ହଜାର ବର୍ଷ ପୂର୍ବେ ଅଙ୍କାଯାଇଥିବା ଜିରାଫ୍ ମଧ୍ୟ ରାଜ୍ୟର ଆଫ୍ରିକା ସହ ସମ୍ପର୍କ ଥିବା ସୂଚିତ କରୁଛି।

ସେହିପରି କୋଣାର୍କ ମନ୍ଦିରରେ ଥିବା ସନ୍ନ୍ୟାସୀଙ୍କ ଚିତ୍ର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳୁଥିବା ପ୍ରାଚୀନ ଲିପି ଓ ଶୀଳାଲେଖ ଉତ୍କଳର ସମ୍ପନ୍ନତା ଓ ଜ୍ଞାନର ଗଭୀରତାର ବଳିଷ୍ଠ ପ୍ରମାଣ। ଓଡ଼ିଶାର ଅତୀତ କେବଳ ଗୌରବମୟ ନୁହେଁ, ତା’ର ବର୍ତ୍ତମାନ ମଧ୍ୟ ସମ୍ଭାବନାମୟ। ଏକଦା ବିକାଶ ଦୃଷ୍ଟିରୁ ପଛୁଆ କଳାହାଣ୍ଡି ଆଜି ଇତିହାସ ରଚୁଛି। ସାମାନ୍ୟ ଘରୁ ଆସିଥିବା ବୁର୍ଲା ଇଞ୍ଜିନିୟରିଂର ପିଲା ରକେଟ୍ ଓ ସାଟେଲାଇଟ୍ ମାଧ୍ୟମରେ ହୀରାକୁଦ ଡ୍ୟାମର ପାଣି ଓ ଗଭୀରତାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ବଲାଙ୍ଗୀରର ୱିଙ୍ଗ୍ କମାଣ୍ଡର ନିଖିଲ ରଥ ‘ଗଗନଯାନ’ର ଅଂଶ ହୋଇଛନ୍ତି । ଓଡ଼ିଆ ଝିଅ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ଆସୁଛି।

ଓଡିଆ ଜାତିର ଧମନୀରେ ଶୌର୍ଯ୍ୟ ଓ ଓଡ଼ିଆ ଜାତି ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି। ଓଡ଼ିଆ ଜାତି ସ୍ୱୟଂ ଜଗନ୍ନାଥଙ୍କୁ ନିଜର ନେତା ବୋଲି ସ୍ୱୀକାର କରିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଏହି ଭାଷା ହିଁ ଆମର ପରିଚୟ। ଯେଉଁ ଉତ୍କଳରେ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରି ୧୨୦୦ ବଢେଇଙ୍କ ଜୀବନ ରକ୍ଷା କରିପାରେ, ୧୨ ବର୍ଷର ବାଳକ ବାଜି ରାଉତ ଦେଶର ସ୍ୱାଧୀନତା ପାଇଁ ନିଜର ବଳିଦାନ ଦେବାକୁ ବି ପଛାଏ ନାହିଁ, ସେହି ଜାତିର ଯୁବ ନେତୃତ୍ୱଙ୍କ ହାତରେ ଓଡ଼ିଶା ଆଗାମୀ ଦିନରେ ଶିଖରରେ ପହଞ୍ଚିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାକୁ ଆଗକୁ ନେବା ପାଇଁ ସ୍ୱପ୍ନ ଦେଖୁଥିବା ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ଯୁବ ଗୀତିକାର ଓ ଗବେଷକ ପ୍ରତୀକ ପଟ୍ଟନାୟକ, ୟୁଟ୍ୟୁବର ଇଶକ ମୁଣ୍ଡା, ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା, ୱିକିପିଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ କେଶରୀ ସେନାପତି, ଯୁବ ଲେଖକ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ନିଜ ପ୍ରତିଭା ମାଧ୍ୟମରେ ଆଗକୁ ବଢିବାର ପ୍ରଚେଷ୍ଟା ଏବଂ ଇଚ୍ଛାଶକ୍ତି ଯୁବଶକ୍ତିଙ୍କ ପାଇଁ ପ୍ରେରଣାଦାୟୀ।

କଣ୍ଠଶିଳ୍ପୀ ଅଭିପ୍ସା ପଣ୍ଡା, ଉଦ୍ୟୋଗୀ ବୀରେନ ସାହୁ, ପରିବେଶପ୍ରେମୀ ରାହୁଲ ମହାରଣା ଓ ସାହିତ୍ୟିକ ଦୀଲେଶ୍ୱର ରଣାଙ୍କ ଭଳି ସାମାନ୍ୟ ଘରର ପିଲାଙ୍କର ନିଜ ଦକ୍ଷତା ବଳରେ ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ଓ ବିଶ୍ୱକଲ୍ୟାଣ ଦିଗରେ ବ୍ରତୀ ହେବାର ପ୍ରଚେଷ୍ଟା ହିଁ ଓଡ଼ିଆ ଜାତିର ସ୍ୱପ୍ନ ଓ ସଂକଳ୍ପ ପୂର୍ଣ୍ଣ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ପାଇଁ ‘ବଡ଼ ଭାବିବା, ବଡ଼ ସ୍ୱପ୍ନ ଦେଖିବା’ । ନିଜ ପାଇଁ ନୁହେଁ ଅନ୍ୟ ମାନଙ୍କ ପାଇଁ ସ୍ୱପ୍ନ ଦେଖିବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories