ନୂଆ ରୂପ ନେବ ୪୬ ପର୍ଯ୍ୟଟନ ସ୍ଥଳ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା
ମହିଳା ଉଦ୍ୟୋଗୀଙ୍କୁ ମିଳିବ ପ୍ରୋତ୍ସାହନ
ଭୁବନେଶ୍ବର : ରାଜ୍ୟର ୩୬୦ ପର୍ଯ୍ୟଟନସ୍ଥଳରୁ ୪୬ଟି ପର୍ଯ୍ୟଟନସ୍ଥଳକୁ ଫୋକସ୍ରେ ରଖିଛି ପର୍ଯ୍ୟଟନ ବିଭାଗ। ଏହି ପର୍ଯ୍ୟଟନସ୍ଥଳକୁ ନୂଆ ରୂପ ଦିଆଯିବ। ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ରହଣି, ପାନୀୟଜଳ, ରାସ୍ତା ଏବଂ ଶୌଚାଳୟର ସୁବିଧା ମିଳିପାରିବ। ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କୋରାପୁଟ, ଗଞ୍ଜାମ ଭଳି ୧୯ଟି ଜିଲାର ୪୬ଟି ପର୍ଯ୍ୟଟନସ୍ଥଳକୁ ପ୍ରାଥମିକତା ଦିଆଯାଇଛି। ଏ କ୍ଷେତ୍ରରେ ମହିଳାଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକ ପ୍ରୋତ୍ସାହିତ କରାଯାଉଛି ବୋଲି ବିଭାଗୀୟ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି।
ନୂତନ ଭାବେ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବାଭାବିକ କରିବା ସହ ଆତିଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ। ପର୍ଯ୍ୟଟକଙ୍କ ପାଇଁ ରାସ୍ତା, ଗାଡ଼ିପାର୍କିଂ, ପାନୀୟ ଜଳ, ଶୌଚାଳୟ, ପୋଷାକ ବଦଳାଇବା ପାଇଁ କକ୍ଷ, ଆବର୍ଜନା ପରିଚାଳନା ବକ୍ସ, ସପିଂ ଷ୍ଟୋର୍, ଖାଦ୍ୟ ସାମଗ୍ରୀ, କାଫେଟେରିଆ ଓ ପାୱାର ସପ୍ଲାଏ ଭଳି ବିଭିନ୍ନ ସୁବିଧା କରାଯିବା ଯୋଜନା ରହିଛି।
ରାଜ୍ୟର ୪୬ଟି ପର୍ଯଟନ କ୍ଷେତ୍ର ମଧ୍ୟରୁ ଖୋର୍ଦ୍ଧା ଜିଲା ଚିଲିକାର ବରକୁଳ, ଖଣ୍ଡଗିରି ଓ ଉଦୟଗିରି, ଧଉଳି, ନନ୍ଦନକାନନ, ଯାଜପୁରର ଉଦୟଗିରି, ରତ୍ନଗିରି, ଲାଗୁଡ଼ି ପର୍ଯ୍ୟଟନ କ୍ଷେତ୍ର ରହିଥିବାବେଳେ କେନ୍ଦୁଝରର ଘଟଗାଁ, ସାନଘାଗରା, ଖଣ୍ଡାଧାର, ବଡ଼ଘାଗରା ରହିଛି। ଏଥିସହ ମୟୂରଭଞ୍ଜର ଖିଚିଙ୍ଗ, ଜଗତସିଂହପୁରର ପାରାଦ୍ବୀପ, କଟକର ଧବଳେଶ୍ବର ଓ ଲଳିତଗିରି ରହିଥିବା ବେଳେ ସୁନ୍ଦରଗଡ଼ର ଖଣ୍ଡାଧାର, କୋରାପୁଟର ଗୁପ୍ତେଶ୍ବର ଓ ଡୁଡୁମା ପର୍ଯ୍ୟଟନକ୍ଷେତ୍ରର ଉନ୍ନତି କରାଯିବ। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ମଣ୍ଡାସରୁ, ପୁରୀର ସତ୍ୟବାଦୀ, ପିପିଲି, ରାମଚଣ୍ଡି ଓ ସାତପଡ଼ା ରହିଥିବା ବେଳେ ଗଞ୍ଜାମର ଗୋପାଳପୁର, ରମ୍ଭା ଅଞ୍ଚଳର ଉନ୍ନତୀକରଣ କରାଯିବ। ଗଜପତିର ଜିରାଙ୍ଗ, ବରଗଡ଼ର ନୃସିଂହନାଥ, ବଲାଙ୍ଗୀରର ହରିଶଙ୍କର, ରାଣୀପୁର ଏବଂ ଭୀମଡୁଙ୍ଗୁରି ରହିଛି। ବାଲେଶ୍ବରର ଚନ୍ଦନେଶ୍ବର, ବଳରାମଗଡ଼ି, ଚାନ୍ଦିପୁର, ରେମୁଣା, ପଞ୍ଚଲିଙ୍ଗେଶ୍ବର, ତାଳସାରୀ ରହିଥିବାବେଳେ ସୁବର୍ଣ୍ଣପୁରର ସ୍ବର୍ଣ୍ଣପୁର, ଅନୁଗୋଳର ଦେଉଳିଝର ଓ ଟିକରପଡ଼ା ରହିଥିବାବେଳେ ଢେଙ୍କାନାଳର ଯୋରନ୍ଦା, ସପ୍ତଶଯ୍ୟା, କପିଳାସ ରହିଛି। ଏଥିସହ ନୟାଗଡ଼ର ବାରମୂଳ ଓ ଓଢ଼ଙ୍ଗ ପର୍ଯ୍ୟଟନ କ୍ଷେତ୍ରକୁ ବିଭାଗ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ବ ଦେଉଛି। ଚିଲିକା ଓ ଭିତରକନିକାରେ ଥିବା ବୋଟ୍ଗୁଡ଼ିକ ମରାମତି କରାଯିବ। ପର୍ଯ୍ୟଟକମାନେ ଯେପରି ସୁବିଧାରେ ବୋଟ୍ରେ ଭ୍ରମଣ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଥିବା ପ୍ରକାଶ।
Comments are closed.