ରାଜ୍ୟରେ ସଂଗ୍ରହ ହେଲାଣି ୨୬.୪୮ ଲକ୍ଷ ଟନ୍ ଧାନ; ଗତବର୍ଷଠାରୁ ୨୪% ଅଧିକ
ଭୁବନେଶ୍ୱର : ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ୍ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ଟନ୍ ଧାନସଂଗ୍ରହ କରାଯାଇଛି । ଏହା ଗତବର୍ଷ ଏହି ସମୟରେ ସଂଗୃହୀତ ଧାନଠାରୁ ଚଳିତ ବର୍ଷ ୨୪% ଅଧିକ ଧାନ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୬ ତାରିଖ ସୁଦ୍ଧା ସୁଦ୍ଧା ମୋଟ ୨୧ ଲକ୍ଷ ୩୦ ହଜାର ୧୯୯ ମେଟି୍ରକ୍ ଟନ ଧାନସଂଗ୍ରହ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ଧାନସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବେ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀମାନେ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି ଧାନସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ବିଭାଗ ଦ୍ୱାରା ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କଠାରୁ ପି-ପାସ୍ ଜରିଆରେ ଏବଂ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଖରିଫ୍ ଧାନସଂଗ୍ରହ କରାଯାଉଛି । ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀମାନଙ୍କଠାରୁ ଧାନସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ବରଗଡ଼ରେ ସର୍ବାଧିକ ୬୩୧୧୧୯ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ , କଳାହାଣ୍ଡିରେ ୩୨୪୧୧୯ ଟନ, କୋରାପୁଟରେ ୧୯୧୦୩୦ ମେଟି୍ରକ ଟନ, ନୂଆପଡ଼ାରେ ୧୦୪୪୬୫ ଟନ, ସୁବର୍ଣ୍ଣପୁର ୨୨୩୬୧୫ ଟନ ଓ ନବରଙ୍ଗପୁର ଜିଲ୍ଲାରେ ୯୭୩୩୧ ଟନ ଧାନସଂଗ୍ରହ ହୋଇଛି । ସେହିପରି ବଲାଙ୍ଗୀର ଜିଲାରେ ୨୧୪୩୪୦ , ସମ୍ବଲପୁରରେ ୩୨୨୭୨୪ ଟନ୍ ଧାନ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ମୋଟ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଥିବାବେଳେ ଅଦ୍ୟାବଧି ୧୪ ଲକ୍ଷ ୩୯ ହଜାର ୭୬୬ ଜଣଙ୍କ ନାମ ଯାଞ୍ଚ କରାଯାଇଛି । ଆଜି ସୁଦ୍ଧା ୪ ଲକ୍ଷ ୨୩ ହଜାର ୬୫୮ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି ।
Comments are closed.