ଡେସ୍କ: କଥାରେ ଅଛି ମଣିଷ ବେଳେ ବେଳେ ଯାହା ଭାବୁଥାଏ, ତାହା ପ୍ରକାଶ କରେନାହିଁ। ସେ ଜାଣିଶୁଣି ଅଲଗା କିଛି କହେ ଓ ସମାଜକୁ ଜଣାଇବାକୁ ଚାହେଁ ଯେ ସେ ଯାହା ପ୍ରକାଶ କରୁଛି, ତାହା ହିଁ ଭାବୁଥିଲା। ତେବେ ଯେତେ ଚତୁର ହେଲେ ବି ଧରା ପଡ଼ିଯାଏ।
ସମ୍ପ୍ରତି ବିବାଦ ସୃଷ୍ଟି କରିଥିବା ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ନେଇ ଆଜି (ସୋମବାର) ବିଧାନସଭାର ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ସୃଷ୍ଟି ହୋଇଥିବା ହଟ୍ଟଗୋଳ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ଆହୁରି ତୀବ୍ର କରିବା ମନେହୁଏ। ଗତ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ ସମୟରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମ୍ମୁଖରେ ମଞ୍ଚ ଉପରେ ଏଭଳି ମନ୍ତବ୍ୟ କେବଳ ଯେ ସମସ୍ତଙ୍କୁ ବ୍ୟଥିତ କରିଛି ତାହା ନୁହେଁ, ବରଂ ତାହା ରାଜ୍ୟ ଖଣ୍ଡବିଖଣ୍ଡିତ କରିବାକୁ ପ୍ରୟାସ ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି।
ଯଦିଓ ଏହା ତାଙ୍କ ବ୍ୟକ୍ତିଗତ ମତ କି ଦଳୀୟ ମତ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ସେ ଏଭଳି କହିଥିବାରୁ ବିବାଦ ସୃଷ୍ଟି ହୋଇଛି। ଶନିବାର ପୁର୍ବାହ୍ନରେ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ମାନଙ୍କୁ କିସ୍ତି ପ୍ରଦାନ ପାଇଁ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ରୁପେ ସାମିଲ ହୋଇଥିବା ବେଳେ ବିଧାୟକ ଜୟନାରାୟଣ ମିଶ୍ର ସମ୍ମାନୀତ ଅତିଥି ରୁପେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା। ତେବେ ବିଧାୟକ ଶ୍ରୀ ମିଶ୍ର ଏହି ସଙ୍ଗୀତ ଗାନ ସମୟରେ ତାଙ୍କର ସ୍ଥାନରୁ ନ ଉଠି ବସି ରହିଥିଲେ।
ସେ କହିଥିଲେ, ‘ସୁପ୍ରିମକୋର୍ଟ ଅନୁଯାୟୀ, ରାଜ୍ୟରେ କୌଣସି ରାଜ୍ୟ ସଙ୍ଗୀତ ହୋଇ ପାରିବ ନାହିଁ। କେବଳ ଗୋଟିଏ ଜାତୀୟ ସଙ୍ଗୀତ ରହିଛି। ଏହା ପରେ ମଧ୍ୟ ପ୍ରଶାସନ ତରଫରୁ ବନ୍ଦେ ଉତ୍କଳ ଜନନୀ ବଜାଇବାର ତାତ୍ପର୍ଯ୍ୟ କଣ ମୁଁ ବୁଝିପାରୁ ନାହିଁ। ଆଉ ଯଦି ବଜାଉଛନ୍ତି, ତାହା ହେଲେ ଜାଣି ରଖିବା ଉଚିତ, ଆମର ସମ୍ବଲପୁର ଅଞ୍ଚଳର ଲୋକ ମାନେ ଜାଣିବା ଉଚିତ ଯେ, ଆମର ସମ୍ବଲପୁର ଅଂଚଳର ଲୋକମାନେ, ଉତ୍କଳ କହିଲେ କଟକ, ପୁରୀ, ବାଲେଶ୍ୱର। ଉତ୍କଳ, କୋଶଳ ଓ କଳିଙ୍ଗ ମିଶିକରି ଓଡିଶା ପ୍ରଦେଶ ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ଗାଇବ, କୋଶଳ ଓ ଓଡ଼ିଶାର କଣ ପାଇଁ ଜୟଗାନ ହେବନି, ଏଇଟା ଗୋଟେ ମାନସିକତା…ଆମକୁ ତୁମେ ଶୋଷଣ କରୁଛ, ଆମର ଅର୍ଥ, ଆମର ଖଣି, ଆମର ଚାଷ, ଆମର ଜଙ୍ଗଲ…ସବୁଥିରେ ତୁମେ ଆମକୁ ଶୋଷଣ କଲ, ଚାକିରୀ ବାକିରି ସବୁଥିରେ…ଆଉ ଆଜି ତୁମେ କଲଚରାଲୀ (ସାଂସ୍କୃତିକ) ବି ଆମକୁ ଏକ୍ସପ୍ଳଏଟ (ଶୋଷଣ) କରିବାରେ ଲାଗିଛ। ଏଟା କି କଥା? ଆମେ ଓଡିଶା ପ୍ରଦେଶରେ ମିଶିଥିଲୁ, ଓଡିଶା ପ୍ରଦେଶ ଆମେ ମିଶିବା ପାଇଁ ଆନ୍ଦୋଳନରେ ବି ସାମିଲ ହୋଇଥିଲୁ, କିନ୍ତୁ ଓଡ଼ିଶାରେ ମିଶିକରି ଆମର ସବୁଠାରୁ ବଡ ଭୁଲ ହେଲା… ଆମର ଗୋଟେ ଐତିହାସିକ ଭୁଲ, ଆଉ ଐତିହାସିକ ଭୁଲକୁ ଆମେ ବାରମ୍ବାର କହୁଛୁ’।
ତେବେ ପ୍ରଶ୍ନ ଉଠୁଛି ଯେ ସେହିଦିନ ମଞ୍ଚ ଉପରେ ଥିବା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଏହି ବିଷୟ ଖଣ୍ଡନ କରିପାରି ଥାନ୍ତେ କିନ୍ତୁ ସେ ତାହା କଲେ ନାହିଁ। ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଗଲା ନାହିଁ। ଆଜି କିନ୍ତୁ ବିରୋଧୀଙ୍କ ସ୍ୱର ତୀବ୍ର ହେବା ଯୋଗୁ ବିଧାନସଭାରେ ରାଜ୍ୟ ସରକାର ଏକ ପ୍ରକାର ହଟହଟା ହେଲେ ଓ ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଲେ। ଜଣେ ନିର୍ବାଚିତ ବିଧାୟକଙ୍କ ସରକାରୀ ସଭାରେ ଏଭଳି ମନ୍ତବ୍ୟ ଦେବା କଣ ବ୍ୟକ୍ତିଗତ ବୋଲି ଗ୍ରହଣ କରାଯାଇ ପାରିବ କି? ରାଜ୍ୟର ବିଜେପି ସରକାର ଏଭଳି ସ୍ପର୍ଶକାତର ବିଷୟକୁ ହାଲକା ଭାବରେ ଗ୍ରହଣ କରିବା ଆଗାମୀ ଦିନରେ ରାଜ୍ୟ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ତ?
ଯଦି ମୁଣ୍ଡ କହୁଛି ଓଡ଼ିଆ ଅସ୍ମିତା ହେଲେ ତୁଣ୍ଡ କହୁଛି ଏକ ହେବା ଥିଲା ଐତିହାସିକ ଭୁଲ, ତେବେ କେଉଁଟି ଠିକ।



